ବାବୁଙ୍କ ମର୍ଜିରେ ଚାଲିଛି କୋଭିଡ୍‌ କଟକଣା

ଲୋକସେବା ଭବନ ପାଲଟିଛି ଅଭେଦ୍ୟ ଦୁର୍ଗ
ସଭା, ସାଂସ୍କୃତିକ କାର୍ଯ୍ୟକ୍ରମରେ ବି ଉଦ୍ଭଟ କଟକଣା

ଭୁବନେଶ୍ୱର, (ଚୌଧୁରୀ ଅମିତାଭ ଦାସ) : ସପ୍ତାହରେ ପାଞ୍ଚ ଦିନ ସରକାରୀ ଅଫିସ୍‌ ଖୋଲା ରହୁଛି। କାହାକୁ କରୋନା ହେଉ ନାହିଁ। କିନ୍ତୁ ଶନିବାର ଅଫିସ୍‌ ଖୋଲିଲେ କରୋନା ମାଡ଼ିଯିବ। ୭୫% କର୍ମଚାରୀ ଅଫିସ୍‌ ଆସିବେ। ଆଉ ୨୫% ଆସିଲେ କରୋନା ପଶିଯିବ।

ସବୁ ସରକାରୀ କାର୍ଯ୍ୟାଳୟରେ ଲୋକମାନେ ସୂଚନା ଅଧିକାର ଆଇନ୍‌ (ଆର୍‌ଟିଆଇ)ରେ ତଥ୍ୟ ପାଇଁ ସିଧାସଳଖ ଆବେଦନ କରି‌ପାରିବେ। କିନ୍ତୁ ଲୋକସେବା ଭବନରେ ଆବେଦନ ହୋଇପାରିବ ନାହିଁ। କରୋନା ଆଳରେ ଏଠି ଅଭ୍ୟର୍ଥନା ପ୍ରକୋଷ୍ଠରେ ଥିବା ଆର୍‌ଟିଆଇ ସେଲ୍‌ରେ ୯ ମାସ ହେଲା ତାଲା ଝୁଲୁଛି। ଯେମିତି ଏହି ସେଲ୍‌ ଖୋଲିଲେ ଆର୍‌ଟିଆଇ କାଗଜ ମାଧ୍ୟମରେ ଲୋକସେବା ଭବନକୁ କରୋନା ପଶିଯିବ। ସମାନ ସ୍ଥିତି ଖାରବେଳ ଭବନ ଓ ରାଜୀବ ଭବନରେ।

କୋଣାର୍କ ଉତ୍ସବ ହେଲା ଓ ଶିଳ୍ପୀମାନେ ନାଚିଲେ। ୫୦୦ରୁ ଅଧିକ ଲୋକ ପ୍ରତିଦିନ କାର୍ଯ୍ୟକ୍ରମ ଉପଭୋଗ କଲେ। ସେଠି କରୋନା ଭୟ ରହିଲାନି। କିନ୍ତୁ ରାଜ୍ୟର ଆଉ କେଉଁଠି ସାଂସ୍କୃତିକ କାର୍ଯ୍ୟକ୍ରମ କଲେ, କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଯିବ।

ରାଜନୈତିକ କାର୍ଯ୍ୟକ୍ରମ ହେଉଛି। ସବୁ ପ୍ରମୁଖ ଦଳର ନେତାମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଯାଇ ସମର୍ଥକମାନଙ୍କ ଗହଣରେ ଘଣ୍ଟାଘଣ୍ଟା ରହୁଛନ୍ତି। ବିମାନବନ୍ଦରରେ ନେତାଙ୍କ ସ୍ବାଗତ କରିବାକୁ ଖଚାଖଚ ଭିଡ଼ ହେଉଛି।

ସାମାଜିକ ଦୂରତା ସର୍ବନିମ୍ନ ବି ରହୁନି। କିନ୍ତୁ ଛୋଟ ପାନ ଦୋକାନ ପାଖରେ ଦୁଇ ଜଣ ଗ୍ରାହକ ପାଖାପାଖି ଠିଆ ହୋଇଗଲେ ପୁଲିସ୍‌ ନାଲି ଆଖି ଦେଖାଉଛି, ଫାଇନ୍ କାଟୁଛି। କିନ୍ତୁ ନେତାମାନଙ୍କ ପାଇଁ ଫାଇନ୍‌ କାଟିବାକୁ ହାତ ଯାଉନି।

ଏମିତି ଉଦ୍ଭଟ କୋଭିଡ୍‌ କଟକଣାର ତାଲିକା ଆହୁରି ଲମ୍ବିବ। ଦାୟିତ୍ବରେ ଥିବା କିଛି ବାବୁଙ୍କ ମର୍ଜିରେ କଟକଣା ଜାରି ହେଉଛି। କଟକଣା ପଛରେ କି ଯୁକ୍ତି ରହିଛି, ତାହା ସାଧାରଣ ଜନତା ବୁଝି ପାରୁ ନାହାନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶାସନର ‘ଡବଲ୍‌ ଷ୍ଟାଣ୍ଡାର୍ଡ’ ଭୂମିକା ଲୋକଙ୍କୁ ବ୍ୟଥିତ କରୁଛି। କୋଭିଡ୍‌ ପାଇଁ ଲୋକମାନେ ସମସ୍ୟାରେ ଘାଣ୍ଟି ହେଉଥିଲାବେଳେ ଏହାକୁ ଯେମିତି ସୁଯୋଗ ଭାବି ମଉଜ କରୁଛନ୍ତି କିଛି ବାବୁ। ଭାବି ଦେଇଛନ୍ତି ଯେ କେହି ପ୍ରଶ୍ନ ପଚାରିବେନି ଏବଂ ବିପର୍ଯ୍ୟୟ ଆଳରେ ସେମାନେ ନାଲି ଆଖି ଦେଖାଇ ଯାହା ଇଚ୍ଛା କରିବେ।

ରାଜ୍ୟ ଶାସନର ମୁଖ୍ୟ କେନ୍ଦ୍ର ଲୋକସେବା ଭବନକୁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଇଛି। ନା ଗଣମାଧ୍ୟମର ପ୍ରତିନିଧି ଯାଇପାରିବେ ନା କିଛି କାମ ନେଇ ସାଧାରଣ ଲୋକ ଯାଇପାରିବେ। ଅଭ୍ୟର୍ଥନା ପ୍ରକୋଷ୍ଠ ବନ୍ଦ କରିଦିଆଯାଇଛି। ଆଶ୍ଚର୍ଯ୍ୟର କଥା ସୂଚନା ଅଧିକାର ଆଇନ୍‌ରେ ସୂଚନା ପାଇଁ ଆବେଦନପତ୍ର ମଧ୍ୟ ଗ୍ରହଣ କରାଯାଉନି। ବାରମ୍ବାର ଦାବି ପରେ ଏଥି ପାଇଁ ବନ୍ଦୋବସ୍ତ କରାଯାଉନି। ମନ୍ତ୍ରୀ‌, ଅଧିକାରୀମାନେ କୋଭିଡ୍‌ ଆଳରେ ନିଶ୍ଚିନ୍ତରେ ନିଜ ନିଜ ଚାମ୍ବରରେ ବସୁଛନ୍ତି। କେହି ଯେମିତି ସେମାନଙ୍କ ଶାନ୍ତିଭଙ୍ଗ କରିପାରିବେ ନାହିଁ। ଲୋକସେବା ଭବନ ଯେ ଲୋକଙ୍କ ସେବା ପାଇଁ ଉଦ୍ଦିଷ୍ଟ, ତାହା ସମ୍ଭବତଃ ଦା‌ୟିତ୍ବରେ ଥିବା ମନ୍ତ୍ରୀ, ଅଧିକାରୀମାନେ ଭୁଲି ଯାଇଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ ଅଧିକ ଥିଲା ବେଳେ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାକୁ କମ୍ କର୍ମଚାରୀମାନେ କାମ କରିବାକୁ କୁହାଯାଇଥିଲା। ସେହି ଅନୁଯାୟୀ ସ୍ଥାନୀୟ ପ୍ରଶାସନ ଅଚାନକ ଯାଞ୍ଚ୍ ବି କରୁଥିଲା। ନିର୍ଦ୍ଦିଷ୍ଟ ଭାବେ ଭୁବନେଶ୍ବର-କଟକରେ ଏହି ନିୟମକୁ କଡ଼ାକଡ଼ି କରାଯାଉଥିଲା। କିନ୍ତୁ ସଂକ୍ରମଣ ଖସିଲା ପରେ ଏହି କଟକଣା ଆଉ ରହି ନାହିଁ। ବେସରକାରୀ ସଂସ୍ଥାଗୁଡ଼ିକ ତାଙ୍କର ସବୁ କର୍ମଚାରୀଙ୍କୁ ନେଇ ସ୍ବାଭାବିକ ଭାବେ କାର୍ଯ୍ୟ କରୁଛନ୍ତି।

ଯଦି ସାମାଜିକ ଦୂରତା ନିୟମ ନିହାତି ଆବଶ୍ୟକ, ତେବେ ଲୋକସେବା ଭବନରେ ଏହି ନିୟମ କରୁଥିବା ବାବୁମାନେ ମାତ୍ର ଦୁଇ କିମି ଦୂରରେ ଥିବା ଭୁବନେଶ୍ବରର ସବ୍‌ରେଜି‌ଷ୍ଟ୍ରାର୍‌ ଓ ତହସିଲ୍‌ ଅଫିସ୍‌ରେ ବୁଲି ଆସିଲେ ଏ କ୍ଷେତ୍ରରେ ବାସ୍ତବତା ଜଣାପଡ଼ିଯିବ। ସରକାରଙ୍କ ରାଜସ୍ବ ଆୟର ପ୍ରମୁଖ ଉତ୍ସ ପାଲଟିଥିବା ଏହି କାର୍ଯ୍ୟାଳୟରେ ସବୁ ବୟସର, ସବୁ ବର୍ଗର ଲୋକ ଜମିଜମା କାମରେ ଏମିତି ଭିଡ଼ ଜମାଉଛନ୍ତି ଯେ ସାମାଜିକ ଦୂରତା ନିୟମ ବୋଲି କିଛି ନାହିଁ। ଯଦି ସାମାଜିକ ଦୂରତା ନିହାତି ଦରକାର, ତେବେ ଏପରି କାର୍ଯ୍ୟାଳୟରେ ସାମାଜିକ ଦୂରତା‌ ପାଇଁ ସରକାର କି ବିକଳ୍ପ ବ୍ୟବସ୍ଥା କରିଛନ୍ତି ? ଏହି ଅଫିସ୍‌ଗୁଡ଼ିକ କ’ଣ କରୋନା ସଂକ୍ରମଣଠାରୁ ଦୂରରେ କି ?

ଅଡିଟୋରିୟମ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ଷେତ୍ରରେ ତ ଆହୁରି ବିଚିତ୍ର କଟକଣା। ଅଡିଟୋରିୟମ୍‌ ଖୋଲିପାରିବନି ବୋଲି ସରକାରଙ୍କ ନିୟମ ଅଛି। କିନ୍ତୁ ବହୁ ଅଡିଟୋରିୟମ୍‌ରେ ସରକାରୀ କାର୍ଯ୍ୟକ୍ରମ ଚାଲିଛି। ସଭାସମିତି ବି ଚାଲିଛି। କିନ୍ତୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଏହାକୁ ବୃତ୍ତି କରିଥିବା ଶହ ଶହ କଳାକାର କିପରି ଦିନ କାଟୁଛନ୍ତି, ତାହା ସରକାରୀ ବାବୁମାନେ ଅନୁଭବ କରିପାରୁ ନାହାନ୍ତି। ପ୍ରଶ୍ନ ଉଠୁଛି, ଅଡିଟୋରିୟମ୍‌ ଭିତରେ କୋଭିଡ୍‌ ସଂକ୍ରମଣ କଲା ବେଳେ କ’ଣ ସରକାରୀ କି ବେସରକାରୀ, ସଭାସମିତି କି ସାଂସ୍କୃତିକ କାର୍ଯ୍ୟକ୍ରମ ଏମିତି ଦେଖିକି ଆସିବ କି ?

କୋଭିଡ୍‌ ଆଳରେ ପ୍ରଶାସନିକ ଅଧିକାରୀମାନଙ୍କର ଏମିତି ଅଯୌକ୍ତିକ ଓ ଅବାନ୍ତର କଟକଣା ପାଇଁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେମାନଙ୍କ ଦୂରଦୃଷ୍ଟିହୀନତା ପାଇଁ ଏହି କଟକଣା ସମାଜରେ ବିଷ ମଞ୍ଜି ବୁଣୁଛି। କ୍ଷମତାରେ ଥିବାରୁ ଲୋକ ପ୍ରଶ୍ନ କରିପାରିବେନି ବୋଲି ସେମାନେ ଭାବି ନେଇଛନ୍ତି। କିନ୍ତୁ ସବୁ ଦିଗକୁ ଓ ସବୁ ବର୍ଗର ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟି ନ ଦେଲେ କେତେବେଳେ ଜନ ଅସନ୍ତୋଷ ଯେ ବିସ୍ଫୋରକ ରୂପ ନେବ, ସେହି ଆଶଙ୍କାକୁ ଏଡ଼ାଇ ହେବ ନାହିଁ।

The post ବାବୁଙ୍କ ମର୍ଜିରେ ଚାଲିଛି କୋଭିଡ୍‌ କଟକଣା first appeared on Sambad.



from ରାଜ୍ୟ – Sambad https://ift.tt/2WcnMfW

Post a Comment

0 Comments