ଯାଜପୁରରେ ୨ ବର୍ଷର ଶିଶୁକନ୍ୟା ନିଖୋଜ ଘଟଣା : ପୁଲିସର ମନ୍ଥର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢ଼ୁଛି ଶିଶୁ ନିଖୋଜ ଘଟଣା। ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ବିଞ୍ଝାରପୁର ଥାନା ଅଧୀନରେ ଆସୁଥିବା ମଧୁସୂଦନପୁର ଗ୍ରାମ ପଞ୍ଚାୟତର ୨ ବର୍ଷର ଶିଶୁକନ୍ୟା ଅପହରଣ ଘଟଣାକୁ ୪ ମାସ ପୂରିଲାଣି। ଅଥଚ ତଦନ୍ତରେ ପୁଲିସ କିଛି ଟେର୍‌ ପାଉନି। ଏହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇବା ସହିତ ଶିଶୁ ନିଖୋଜ ଘଟଣା ଉପରେ ସରକାର ଏକ ଶ୍ବେତପତ୍ର ପ୍ରକାଶ କରିବାକୁ ଦାବି କରିଛି।

ଶନିବାର କଂଗ୍ରେସ ଭବନରେ ଦଳୀୟ ନେତା ପଦ୍ମାକର ଗୁରୁ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବରୀ ଶିଶୁ କନ୍ୟା ନିଖୋଜ ଘଟଣାରେ ବିଞ଼୍ଝାରପୁର ଥାନା ଅଧିକାରୀ ଓ ଯାଜପୁର ଜିଲ୍ଲା ଏସ୍‌ପିଙ୍କ ମନ୍ଥର ତଦନ୍ତକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବ୍ୟାପକ ସନ୍ଦେହ ଓ ଅସନ୍ତୋଷ ଦାନା ବାନ୍ଧୁଛି। ଏହି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ବିଜେଡି ଶାସନ ସମୟରେ ୨୦୧୭ରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୬ ହଜାରରୁ ଉର୍ଦ୍ଧ୍ବ ଶିଶୁ ନିରୁଦ୍ଦିଷ୍ଟ ହୋଇଥିବା ନେଇ ମାମଲା ଗଡ଼ୁଛି। ମଧୁସୂଦନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଜଣେ ମହିଳା ଓ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ସରକାରୀ ଦଳର ମୁଖ୍ୟ ସଚେତିକା ପଦବିରେ ଅଛନ୍ତି। ସେହିପରି ଯାଜପୁରର ବିଜେଡି ସାଂସଦ ବି ମହିଳା, ରାଜ୍ୟ ଦିବ୍ୟାଙ୍ଗ ଅଧ୍ୟକ୍ଷା ଜଣେ ମହିଳା, ମହିଳା କମିସନର ସଦସ୍ୟା ବି ବିଞ୍ଝାରପୁରର ହୋଇ ବି ଜଣେ ଶିଶୁ ନିଖୋଜ ଘଟଣାରେ କିଛି ବି ସ୍ବର ଉଠାଇନାହାନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡ଼ା, ଯୋଜପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ମନୋଜ ରାଉତ, ବିଞ୍ଝାରପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ମନୋରଞ୍ଜନ ଦାସ, ଯାଜପୁର ପୌରପରିଷଦର ପୂର୍ବତନ ଅଧ୍ୟକ୍ଷ ଆଲୋକ ବେହେରା, ବିଧାୟକ ପ୍ରାର୍ଥୀ ରମେଶ ଜେନା ପ୍ରମୁଖ ଆଜି ନିଖୋଜ ଶିଶୁ କନ୍ୟାର ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ବାପା ଓ ମାଆଙ୍କୁ ସାକ୍ଷାତ କରି ତଥ୍ୟ ସଂଗ୍ରହ କରିଛନ୍ତି।

କଂଗ୍ରେସ ନେତା ମନୋଜ ମହାପାତ୍ର ଅଭିଯୋଗ କରି କହିଛନ୍ତି, ପରୀ ହତ୍ୟା ଅଭିଯୋଗ ନେଇ ସାରା ରାଜ୍ୟରେ ଆନ୍ଦୋଳନ ଚାଲୁଥିବା ବେଳେ ଗତକାଲି ନୟାଗଡ଼ର ରଣପୁର ବ୍ଲକର ବିଧିପାଟଣା ଗ୍ରାମର ସଞ୍ଜୟ ସାହୁଙ୍କ ଝିଅ ସ୍ବାତୀ ସାହୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଛନ୍ତି। ୨୦୧୬ ସେପ୍ଟେମ୍ବରରୁ ଏବେ ଯାଏ ରାଜ୍ୟରେ ପ୍ରାୟ ୭ ହଜାର ନାବାଳକ ଓ ନାବାଳିକା ନିଖୋଜ ହୋଇଥିବା ସରକାରୀ ତଥ୍ୟ ରହିଛି। ଏଥିରୁ ପ୍ରାୟ ୫ ହଜାର ୫୦ ଜଣ ହେଉଛନ୍ତି କେବଳ ନାବାଳିକା। ଏଭଳି ଅଭାବନୀୟ ଓ ହୃଦୟବିଦାରକ ତଥ୍ୟ ପ୍ରମାଣ କରୁଛି ଯେ, ରାଜ୍ୟରେ ଅନାଥ ଓ ବିପନ୍ନ ଶିଶୁମାନଙ୍କର ଏକାଧିକ ଚାଲାଣ ଓ ରାକେଟ୍‌ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ଆସନ୍ତା ୧୪ ତାରିଖରେ ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜ୍ୟ ମାନବାଧିକାର କମିସନ, ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ଓ ପୁଲିସ ଡିଜିଙ୍କୁ ଉଭୟ ଘଟଣାର ତଦନ୍ତ ତ୍ବାରାନ୍ବିତ କରିବା ସହିତ ପରିବାର ବର୍ଗଙ୍କୁ ନ୍ୟାୟ ଦେବା ପାଇଁ ଦୃଢ଼ ଦାବି କରିବ। ସରକାର ବାଘ ଗଣନା, ହାତୀ ଗଣନା, ଚିଲିକାରେ ପକ୍ଷୀ ଗଣନା କରୁଛନ୍ତି। ପଶୁ ଓ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଲେ ତତ୍ପରତା ଦେଖାଉଛନ୍ତି। କିନ୍ତୁ ରାଜ୍ୟରେ ଛୋଟ ଛୋଟ ଶିଶୁ ନିଖୋଜ ଘଟଣାରେ ପୁଲିସ ନାମକୁ ମାତ୍ର ନିଖୋଜ ମାମଲାଟିଏ କରି ହାତବାନ୍ଧି ବସିଯାଉଛି। ନୟାଗଡ଼ ପରୀ ମାମଲାରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ରାଜ୍ୟ ପୁଲିସର ଅପାରଗତାକୁ ନେଇ ଭର୍ତ୍ସନା କରିଥିଲେ। ପୁଲିସ ବିଭାଗର ମୁଖ୍ୟ ଭାବରେ ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେଇଦାବ ଉଚିତ୍‌ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି। ଏହି ସମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରଶ୍ମି ମହାପାତ୍ର, ଅମୀୟ ପାଣ୍ଡବ ଓ ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

The post ଯାଜପୁରରେ ୨ ବର୍ଷର ଶିଶୁକନ୍ୟା ନିଖୋଜ ଘଟଣା : ପୁଲିସର ମନ୍ଥର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ first appeared on Sambad.



from ରାଜ୍ୟ – Sambad https://ift.tt/3a0mtsu

Post a Comment

0 Comments