୨୦୨୧ ପାଇଁ ବଡ଼ ଯୋଜନା : ଏସ୍‌ସିବିର ହେବ ନବକଳେବର

୩୫୦୦ କୋଟି ଖର୍ଚ୍ଚ ହେବ, ୫୦୦୦ ଶଯ୍ୟା ରହିବ
ଏମ୍‌ସ୍ ପ୍ଲସ୍ ପାଇଁ ପ୍ରସ୍ତୁତି, ମିଳିବ ବିଶ୍ବସ୍ତରୀୟ ଚିକିତ୍ସା
ସରକାରୀସ୍ତରରେ ଦେଶରେ ହେବ ସର୍ବବୃହତ୍ ପ୍ରକଳ୍ପ
୨୦୨୪ ଜାନୁଆରି ପହିଲାରେ ଉଦ୍‌ଘାଟନ ତାରିଖ ଘୋଷଣା

ଭୁବନେଶ୍ବର : କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡ଼ିକାଲ କଲେଜର ନବକଳେବର ହେବ। ୫୦୦୦ ଶଯ୍ୟା ସହିତ ଡାକ୍ତର, ରୋଗୀ ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏଠାରେ ଉପଲବ୍ଧ ହେବ। ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ସରକାରୀସ୍ତରରେ ଏହା ଦେଶର ସର୍ବବୃହତ୍ ପ୍ରକଳ୍ପ ହେବ। ଏସବୁ ପାଇଁ ପାଖାପାଖି ୩୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

ନୂଆ ବର୍ଷ ଅବ୍ୟବହିତ ପୂର୍ବରୁ ଅର୍ଥାତ୍ ୨୦୨୧ ପାଇଁ ଏକ ବଡ଼ ଯୋଜନାର ଆରମ୍ଭ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ପ୍ରକଳ୍ପର ପ୍ରାଥମିକ ନକ୍ସାକୁ ଚୂଡ଼ାନ୍ତ କରିଛନ୍ତି। ଏକ ଉଚ୍ଚସ୍ତରୀୟ ବୈଠକରେ ଏସ୍‌ସିବି ମେଡିକାଲ କଲେଜକୁ ଏମ୍‌ସ ପ୍ଲସ ଓ ବିଶ୍ବସ୍ତରୀୟ ଚିକିତ୍ସା କେନ୍ଦ୍ରରେ ପରିଣତ କରାଯିବା ସଂକ୍ରାନ୍ତରେ ଅନେକ ନିଷ୍ପତ୍ତି ନିଆଯାଇଛି।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ଅନୁଷ୍ଠାନ ୫-ଟି କାର୍ଯ୍ୟକ୍ରମ ଅଧୀନରେ କାର୍ଯ୍ୟକାରୀ ହେବ।

ସେ ନିଜେ ଏହି ପ୍ରକଳ୍ପକୁ ବ୍ୟକ୍ତିଗତ ଭାବେ ତଦାରଖ କରିବେ। ଏହାକୁ ଏଭଳି ଏକ ସ୍ତରକୁ ନିଆଯିବ, ଯାହା ଦ୍ବାରା ସମସ୍ତଙ୍କ ସହଯୋଗରେ ଏହି ଅନୁଷ୍ଠାନ ଦିନେ ଦେଶର ଶ୍ରେଷ୍ଠ ୩ଟି ଚିକିତ୍ସା ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇବାରେ ସଫଳ ହେବ। ୧୭୫ଏକର ଜମିରେ ବିକଶିତ ହେବାକୁ ଥିବା ଏହି ମର୍ଯ୍ୟାଦାଜନକ ପ୍ରକଳ୍ପରେ ପ୍ରଥମ ପର୍ଯ୍ୟାୟରେ ୩୫୦୦ ଶଯ୍ୟା କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ଏହାକୁ ୫୦୦୦କୁ ବୃଦ୍ଧି କରାଯିବ। ୩ବର୍ଷରେ ସମ୍ପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପରେ ଡାକ୍ତର, ରୋଗୀ, ରୋଗୀଙ୍କ ସହାୟକ, ସ୍ବାସ୍ଥ୍ୟ କର୍ମଚାରୀ ସମସ୍ତଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ଅତ୍ୟାଧୁନିକ ସୁବିଧା ସହିତ ପରିବହନ ବ୍ୟବସ୍ଥା, ଆଧୁନିକ ରେସ୍ତୁରାଁ, ବାଣିଜ୍ୟ କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ ସୁବିଧା ଉପଲବ୍ଧ ହେବ। ଏଥିରେ ୧୨୮୦ଟି ସରକାରୀ ବାସଗୃହ ନିର୍ମିତ ହେବା ସହିତ ଛାତ୍ରାବାସରେ ୨୨୦୦ ଜଣ ଛାତ୍ରଛାତ୍ରୀ ରହିବା ବ୍ୟବସ୍ଥା କରାଯିବ। ଏହି ହସ୍ପିଟାଲର ଉନ୍ନତି ସହିତ କ୍ରୀ଼ଡ଼ା ଓ ମନୋରଂଜନ ପାଇଁ ମଧ୍ୟ ଉତ୍ତମ ପରିବେଶ ସୃଷ୍ଟି କରାଯିବ।

ଏହି ମେଡ଼ିକାଲ କଲେଜ ହସ୍ପିଟାଲର ସୁପରିଚାଳନା ପାଇଁ ଏକ ସ୍ବାଧୀନ ପରିଚାଳନାମଣ୍ଡଳୀ ରହିବ, ଯାହାକି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହିତ ଚିକିତ୍ସା, ଶିକ୍ଷା ଓ ଗବେଷଣାର ମାନ ବୃଦ୍ଧି ପାଇଁ କାମ କରିବ। ଏହି ପ୍ରକଳ୍ପ ନିର୍ଧାରିତ ସମୟ ମଧ୍ୟରେ ଶେଷ ହେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। କେବଳ ସେତିକି ନୁହେଁ, ଆଉ ପାଦେ ଆଗକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୨୪ ଜାନୁଆରି ପହିଲା ଦିନ ଏହାର ଉଦ୍‌ଘାଟନ ହେବ।

ଉଲ୍ଲେଖଥାଉକି, ୧୯୪୪ ମସିହାରେ ସ୍ଥାପିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଦୀର୍ଘଦିନ ଧରି ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ରାଜ୍ୟର ଲୋକଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେଇ ଆସୁଛି। ଏଠାରେ ପଢ଼ିଥିବା ଡାକ୍ତରମାନେ ସାରା ପୃଥିବୀରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏଣୁ ଦେଶର ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏହି ମର୍ଯ୍ୟାଦାଜନକ ଅନୁଷ୍ଠାନକୁ ଏକ ବିଶ୍ବସ୍ତରୀୟ ଚିକିତ୍ସା କେନ୍ଦ୍ରରେ ପରିଣତ କରାଯିବ।

ଆଜିର ଏହି ବୈଠକରେ ମୁଖ୍ୟସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପୂର୍ତ ସଚିବ ଡାକ୍ତର କ୍ରିଷନ୍ କୁମାର ପ୍ରକଳ୍ପ ସଂପର୍କରେ ବିସ୍ତୃତ ଉପସ୍ଥାପନା ରଖିଥିଲେ।

The post ୨୦୨୧ ପାଇଁ ବଡ଼ ଯୋଜନା : ଏସ୍‌ସିବିର ହେବ ନବକଳେବର first appeared on Sambad.



from ରାଜ୍ୟ – Sambad https://ift.tt/3rG5zpo

Post a Comment

0 Comments