
ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ
କଡ଼ା ସୁରକ୍ଷା ନେଇ ସରକାରଙ୍କୁ କଟାକ୍ଷ କଲେ
ଭୁବନେଶ୍ୱର : ପରୀ ହତ୍ୟା ଘଟଣାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଜେପି ଅଟଳ ରହିଛି। ଆଜି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତା ଅରୁଣଙ୍କ ସରକାରୀ ବାସଭବନ ଘେରାଉ କରିଛନ୍ତି। ମନ୍ତ୍ରୀ ପଦରେ ରହି ସେ ସମସ୍ତ ପ୍ରକାର ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବେ। ସେ ଇସ୍ତଫା ଦେବା ଦରକାର। ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ କରିବ। ଏହି ମାମଲାର ସିବିଆଇ ତଦନ୍ତ ବି ହେବା ଦରକାର ବୋଲି ସେମାନେ କହିଛନ୍ତି।
ଏହି ଅବସରରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି ଯେ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆଜି ଅଭୂତପୂର୍ବ ସୁରକ୍ଷା ଗ୍ରହଣ କରାଯାଇଥିଲା। ସାମାନ୍ୟ ପିମ୍ପୁଡିଟିଏ ମଧ୍ୟ କଡା ସୁରକ୍ଷା ବଳୟକୁ ଭେଦ କରିବାକୁ ସକ୍ଷମ ନଥିଲେ। ବାସଭବନକୁ ଚତୁଃପାଶ୍ୱର୍ରୁ ପ୍ଲାଟୁନ ପ୍ଲାଟୁନ ପୁଲିସ ଓ ସୁରକ୍ଷାକର୍ମୀ ଘେରି ରହିଥିଲେ। ହେଲେ ବିଡମ୍ବନାର ବିଷୟ ହେଲା ଏହି ସୁରକ୍ଷା ବଳୟ ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ ଓ ଅଭିଯୁକ୍ତଙ୍କୁ ଘଂଟ ଘୋଡାଉଥିବା ରାଜ୍ୟର ପ୍ରଭାବଶାଳୀ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ପାଇଁ କରାଯାଇଥିଲା। ରାଜ୍ୟ ସରକାର ଯଦି ରାଜ୍ୟର ମା’, ଭଉଣୀ ଓ କୋମଳମତୀ ଶିଶୁଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଏତିକି ତତ୍ପରତା ଓ ଚିନ୍ତା ପ୍ରକଟ କରନ୍ତେ, ତେବେ ପରୀ ହତ୍ୟାକାଣ୍ଡ ଭଳି ଘଟଣାମାନ ରାଜ୍ୟରେ ହୁଅନ୍ତା ନାହିଁ। ରାଜ୍ୟ ସରକାର ପୁଲିସ ଓ ପ୍ରଶାସନ କଳକୁ ଅପବ୍ୟବହାର କରି ମହିଳା କାର୍ଯ୍ୟକର୍ତାଙ୍କୁ ଯେଉଁ ଭଳି ଅଗଣତାନ୍ତ୍ରିକ ଭାବେ ଜୋର ଜବରଦସ୍ତି ଗିରଫ କରିଲେ, ଏହା ଦ୍ୱାରା ସତ୍ୟକୁ କେବେହେଲେ ରୋକାଯାଇ ପାରିବେ ନାହିଁ। ସେ କହିଲେ ଯେ ପରୀର ବାପା, ମା’ ବାବୁଲି ନାୟକ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ନାମ ବାରମ୍ବାର କହିବା ସତ୍ତ୍ବେ ସେମାନଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ? କାହାର ପ୍ରରୋଚନାରେ ପୁଲିସ ପ୍ରଶାସନ ପରୀର ବାପା, ମା’ଙ୍କୁ ୫ ଲକ୍ଷ ଟଙ୍କା ଯାଚିବା ସହ ବିଭିନ୍ନ ପ୍ରଲୋଭନ ଦେଇ ମାମଲାକୁ ଚାପି ଦେବାର ପ୍ରୟାସ କରାଯାଉଛି? ପରୀର ବାପା, ମା’ ବାବୁଲି ନାୟକଦ୍ୱାରା ଅଙ୍ଗ ତସ୍କରୀ ହୋଇଥିବା ଅଭିଯୋଗ କରିଛନ୍ତି ଓ ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହାୟତା ପ୍ରସଙ୍ଗ ଉଠାଇଛନ୍ତି। ଏ ସମସ୍ତ ଘଟଣାର ସତ୍ୟାସତ୍ୟ ପର୍ଦ୍ଦାଫାସ ହେବା ନିହାତି ଜରୁରୀ ବୋଲି ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି।
ଆଜିର ଏହି ବିକ୍ଷୋଭ ଓ ଘେରାଓ କାର୍ଯ୍ୟକ୍ରମରେ ବିଧାୟିକା କୁସୁମ ଟେଟେ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା ଓ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ପ୍ରବକ୍ତା ସୋନାଲୀ ସାହୁଙ୍କ ସମେତ ଇରାନୀ ରାୟ, କାନନବାଳା ପଟ୍ଟନାୟକ, କସ୍ତୁରୀ ମିଶ୍ର, ରଶ୍ମୀରେଖା ଦାଶ, ମନ୍ଦାକିନୀ ପାତ୍ର, ସୁବାଷିନୀ ପୃଷ୍ଟି, ତୃପ୍ତି ମକଦ୍ଦମ, ପ୍ରବୀଣା ମହାପାତ୍ର, ପ୍ରବୀଣା ଭଞ୍ଜଦେଓ, ଯାଜ୍ଞସେନୀ ଜେନା, ହରପ୍ରିୟା ସାହୁ, ପ୍ରିୟଦର୍ଶିନୀ ନନ୍ଦ, ମିନାଲତା ମହାନ୍ତି, ନିରୋଜ ନାଲିନୀ ମହାଲିକ ଓ ଶତାଧିକ ମହିଳା କାର୍ଯ୍ୟକର୍ତା ସାମିଲ ହୋଇଥିଲେ।
The post ପରୀ ପ୍ରସଙ୍ଗ : ଅରୁଣଙ୍କ ଇସ୍ତଫା ଜିଦ୍ରେ ବିଜେପି ଅଟଳ first appeared on Sambad.
from ରାଜ୍ୟ – Sambad https://ift.tt/2VEwOBZ
0 Comments