ରେଙ୍ଗାଲି ସମବାୟ ସମିତିରେ ଋଣ କେଳେଙ୍କାରୀ, ଚାଷୀଙ୍କ ନାଁରେ କୋଟିକୋଟି ଟଙ୍କା ହରିଲୁଟ୍‌

ସମ୍ବଲପୁର: ଚାଷୀ ନାଁରେ ସମବାୟ ବିଭାଗର କେଳେଙ୍କାରୀ। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସମବାୟ ସମିତିରେ ଚାଷୀଙ୍କ ନାଁରେ ଲକ୍ଷଲକ୍ଷ ଟଙ୍କାର ଜାଲ୍ ଋଣ କାରବାରର ଗୁମର ଫିଟାଇଛି ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଅଡିଟ ରିପୋର୍ଟ। ଏଥି ସହିତ ରେଙ୍ଗାଲି ସମବାୟ ସମିତିର ନିଲମ୍ବିତ ସମ୍ପାଦକ ଶୁକଦେବ ବିଶ୍ବାଳ ଏବଂ ସହସମ୍ପାଦକ ରମେଶ ମାହାଣାଙ୍କଠାରୁ ଜାଲିଆତି ଯୋଗୁଁ ସମବାୟର ହୋଇଥିବା କ୍ଷତିର ଭରଣା ହେବ ବୋଲି ଜଣା ପଡ଼ିଛି। ଏହି ଦୁର୍ନୀତିରେ ଆଉ ଜଣେ ଅଧିକାରୀଙ୍କ ଅବହେଳା ଥିବା ନେଇ ରିପୋର୍ଟରେ ଦର୍ଶାଯାଇଥିଲେ ମଧ୍ୟ ସେ ଦିଗରେ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ଋଣରେ ଜାଲିଆତି ନେଇ ଠକେଇର ଶିକାର ଚାଷୀ ଡିଆର୍‌ସିଏସ୍‌ କାର୍ଯ୍ୟାଳୟ ଏବଂ ଜିଲ୍ଲାପାଳଙ୍କ ନିକଟରେ ଲଗାତାର ଅଭିଯୋଗ କରି ଆସୁଥିଲେ। ମାତ୍ର ଏହାକୁ ଗୁରୁତ୍ବ ଦିଆଯାଉ ନଥିଲା। ୨୦୧୮ ମସିହା ମେ ମାସ ୨୮ ତାରିଖରେ ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଜିଲ୍ଲାପାଳ ପୃଥକ ଭାବରେ ଏଡିଏମ୍‌ ଏବଂ ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦେଶ ଦେବା ପରେ ଋଣ ଜାଲିଆତି ପଦାକୁ ଆସିଥିଲା। ଉଭୟଙ୍କ ତଦନ୍ତର ସୁପାରିସ ଆଧାରରେ ଅନେକ ମାସ ପରେ ସମ୍ପାଦକଙ୍କୁ ନିଲମ୍ବିତ ଏବଂ ସହସମ୍ପାଦକଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିଲା। ଏଥିସହିତ ଉଭୟଙ୍କ ବିରୋଧରେ ଏତଲା ହୋଇଥିଲା। ଏଡିଏମ୍‌ଙ୍କ ରିପୋର୍ଟରେ ସମବାୟ ସମିତିର ୯୮୨ ଚାଷୀଙ୍କ ୨ କୋଟି ୮୨ ଲକ୍ଷ ଟଙ୍କାର ଋଣ ପରିଶୋଧ କରି ନଥିବା ତଥ୍ୟ ପଦାକୁ ଆସିଥିଲା।  ଏ ନେଇ ଜିଲ୍ଲାପାଳଙ୍କ ସୁପାରିସ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏଥି ଯୋଗୁଁ ବଡ଼ବଡ଼ିଆ ସୁରକ୍ଷିତ ରହିଛନ୍ତି।

୨୦୧୮ ମସିହାରେ, ରେଙ୍ଗାଲି ବ୍ଲକ୍‌ ସାଲଡ ଗାଁର ଚିନ୍ତାମଣି ସାହୁଙ୍କ ଅଭିଯୋଗ ଅନୁଯାୟୀ, ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ କଟକ ଯାଇଥିଲେ। କିଛି ଦିନ ପରେ ଘରକୁ ଫେରିବା ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ନାଁରେ ୫୦ ହଜାର ଟଙ୍କାର ଋଣ ଉଠାଯାଇଛି। ପଣ୍ଡଲୋଇର ପ୍ରଶାନ୍ତ ମରେଇଙ୍କ ନାଁରେ ୭୦ ହଜାର, ସାଲେପଡ଼ାର ବିଜୟ ଓରାମଙ୍କ ନାମରେ ୪୦ ହଜାର, ବୈଷ୍ଣବ ପାଉଲେଙ୍କ ନାଁରେ ୬୮ ହଜାର ଟଙ୍କାର ଋଣ ସେମାନଙ୍କ ଅଜାଣତରେ ହୋଇଥିବା ନେଇ ୨୦୧୮ ମସିହା ମେ ମାସରେ ସମସ୍ତେ ତତ୍କାଳୀନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଲିଖିତ ଭାବରେ ଜଣାଇଥିଲେ। ରେଙ୍ଗାଲି ସମବାୟ ସମିତି ସମ୍ପାଦକ ଶୁକଦେବ ବିଶ୍ବାଳ, ସହସମ୍ପାଦକ ରମେଶ ଚନ୍ଦ୍ର ବିଭିନ୍ନ ଆଳରେ ଚାଷୀଙ୍କଠାରୁ ସେମାନଙ୍କ ପାସ୍‌ବୁକ୍‌ ରଖି ଏପରି ଜାଲିଆତି କରୁଥିବା ଅଭିଯୋଗ ହୋଇଥିଲା। ଚେକ୍‌ବୁକ୍‌ ଓ ପାସ୍‌ବୁକ୍‌ ସମବାୟ କାର୍ଯ୍ୟାଳୟରେ ରହୁଥିବାରୁ ସେମାନଙ୍କ ନାମରେ ହେଉଥିବା ଋଣ ଉଠାଣ ସମ୍ପର୍କରେ ସେମାନେ ଜାଣିପାରୁ ନ ଥିଲେ। ଏହି ଅଭିଯୋଗ ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶିତ ହେବା ପରେ ଲଗାତାର ଅନେକ ଦିନ ଧରି ଜଣ ପରେ ଜଣେ କରି ୧୨ ଜଣ ଚାଷୀ ସେମାନଙ୍କ ନାମରେ ଜାଲିଆତି କରି ଉଠାଯାଇଥିବା ଋଣ କେଳେଙ୍କାରୀ ସମ୍ପର୍କରେ ଅଭିଯୋଗ କରିଥିଲେ। ସ୍ବତନ୍ତ୍ର ଅଡିଟ ରିପୋର୍ଟରେ ସେକ୍ସନ ୬୭ ଅନୁସାରେ, ସବଚାର୍ଜ ପ୍ରୋସିଡିଂ ହେବା କଥା। ଅଡିଟର ଜେନରାଲ ଏହାର ଶୁଣାଣି କରିଥାଆନ୍ତି। ଶୁଣାଣିରେ ସେ ଦୋଷୀ ସାବ୍ୟସ୍ତ ହେଲେ ଉଭୟ ନାମରେ ଡିକ୍ରି ହେବ। ଏହି ଦୁର୍ନୀତି ଯୋଗୁଁ ସମବାୟ ସମିତିରେ ହୋଇଥିବା କ୍ଷତି ଭରଣା ହେବ। ଏଆର୍‌ସିଏସ୍‌ କୋର୍ଟରେ ଇପି ପରେ ଉଭୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଜବତ ହେବ। ଚାଷୀଙ୍କ ପାଇଁ ସ୍ବଳ୍ପ ସୁଧରେ ଋଣ ବ୍ୟବସ୍ଥା ରହିଛି। ମାତ୍ର ବିଭିନ୍ନ ସ୍ଥାନରେ ସରକାରୀ ଅଧିକାରୀ, କର୍ମଚାରୀ ଏହାର ଲାଭ ଉଠାଉଛନ୍ତି। ସମବାୟ ବ୍ୟାଙ୍କକୁ ଦେବାଳିଆ କରିବାରେ ଲାଗି ପଡ଼ିଛନ୍ତି ବୋଲି ଅଭିଯୋଗ ହୋଇଛି।

ଖସିଗଲେ ସମବାୟ ବ୍ୟାଙ୍କ ମ୍ୟାନେଜର, ସନ୍ଦେହ ଘେରରେ ଏଆର୍‌ସିଏସ୍‌
ରେଙ୍ଗାଲି ସମବାୟ ବ୍ୟାଙ୍କ ମ୍ୟାନେଜରଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଋଣ ଜାଲିଆତି ସମ୍ଭବ ହୋଇଥିବା ପୂର୍ବତନ ଡିଆରସିଏସ ତାଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଇଥିଲେ। କିନ୍ତୁ ବ୍ୟାଙ୍କ ମ୍ୟାନେଜରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ବର୍ତ୍ତମାନ ଏହି ମ୍ୟାନେଜର ଅବସର ମଧ୍ୟ ନେଇ ସାରିଲେଣି। ଏହି ଜାଲିଆତି ଘଟଣାକୁ ଲୋକଲୋଚନକୁ ଆଣିବାରେ ମୁଖ୍ୟ ଭୂମିକା ନେଇଥିବା ରେଙ୍ଗାଲିର ବରିଷ୍ଠ ନାଗରିକ ଦୁର୍ଗା ନାଥ ଏଆର୍‌ସିଏସ୍‌ଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଜାଲିଆତି ସମ୍ପର୍କରେ ଏଆର୍‌ସିଏସ୍‌ଙ୍କୁ ଜଣାଇଥିଲେ ମଧ୍ୟ ସେ ଏହାକୁ ଗୁରୁତ୍ବ ଦେଇନଥିଲେ। ଏପରିକି ଏନେଇ ଡିଆର୍‌ସିଏସ୍‌ କାର୍ଯ୍ୟାଳୟରେ ପ୍ରଥମେ ଅଭିଯୋଗ ହୋଇଥିଲା। ଏଆର୍‌ସିଏସ୍‌ଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇ ଥିଲା। ଏଆର୍‌ସିଏସ୍‌ ଏହାକୁ ଗୁରୁତ୍ବର ସହିତ ଗ୍ରହଣ କରି ନଥିବା ଦୁର୍ଗା ନାଥ କହିଛନ୍ତି।

The post ରେଙ୍ଗାଲି ସମବାୟ ସମିତିରେ ଋଣ କେଳେଙ୍କାରୀ, ଚାଷୀଙ୍କ ନାଁରେ କୋଟିକୋଟି ଟଙ୍କା ହରିଲୁଟ୍‌ first appeared on Sambad.



from ରାଜ୍ୟ – Sambad https://ift.tt/2IxGcV8

Post a Comment

0 Comments