
ନୟାଗଡ଼/ ଭୁବନେଶ୍ବର : ନୟାଗଡ଼ ଯଦୁପୁର ଗ୍ରାମର ନାବାଳିକା ଅମ୍ରିତାସ୍ନେହା ସାହୁ (ପରୀ)ହତ୍ୟାକାଣ୍ଡ ମାମଲାରେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍ଆଇଟି) ଜଣେ ଛାତ୍ରଙ୍କ ଘର ଉପରେ ଘନ ଘନ ଚଢ଼ଉ କରୁଥିଲେ। ଉକ୍ତ କଲେଜ ଛାତ୍ର ଆଜି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଏଥିସହିତ ଛାତ୍ର ଜଣକ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।
ପରୀ ଗ୍ରାମ ଯଦୁପୁରର ଏହି ଛାତ୍ର ହେଉଛନ୍ତି ସରୋଜ କୁମାର ସେଠୀ(୧୮)। ସରୋଜଙ୍କ କହିବା ଅନୁଯାୟୀ, ଏସ୍ଆଇଟି ମୁଖ୍ୟ ଶ୍ରୀ ବୋଥ୍ରା, ନାବାଳିକା ପରୀକୁ ହତ୍ୟା କରିଥିବା ସ୍ବୀକାର କରିବାକୁ ତାଙ୍କୁ ପ୍ରବର୍ତ୍ତାଉଛନ୍ତି। କେବଳ ଏତିକି ନୁହେଁ, ଦିଲ୍ଲୀର ନିର୍ଭୟା ଦୁଷ୍କର୍ମ ମାମଲାରେ ଯେଭଳି ୪ ଜଣ ଫାଶୀ ପାଇଲେ, ନାବାଳକ ଦୋଷୀ ଜଣକ ଖସିଗଲେ ତାହାର ଉଦାହରଣ ଦେଇଛନ୍ତି। ବୋଥ୍ରା ଏ ସମ୍ପର୍କିତ ନ୍ୟୁଜ୍ କ୍ଲିପିଂ ଦେଖାଇ ଛାତ୍ର ଜଣଙ୍କୁ ପରୀ ହତ୍ୟା ସ୍ବୀକାର କରିବାକୁ ବାଧ୍ୟ କରୁଛନ୍ତି। ‘ ତୋ ବୟସ ୧୮ ବର୍ଷ ହୋଇଥିଲେ ମଧ୍ୟ ଆମେ କାଗଜପତ୍ରରେ ୧୭ ବର୍ଷ ଦେଖାଇବୁ, ତୁ ବାଳ ସୁଧାର ଗୃହରେ ୩ ବର୍ଷ ରହିବା ପରେ ମୁକ୍ତି ପାଇବୁ, ତତେ ୫ ଲକ୍ଷ ଟଙ୍କା ମିଳିବ’ ବୋଲି ପ୍ରଲୋଭନ ଦେଖାଇଥିବା ଛାତ୍ରଜଣକ ଗଣମାଧ୍ୟମ ଆଗରେ କହିଛନ୍ତି। ଶ୍ରୀ ବୋଥ୍ରା ଓ ତାଙ୍କ ଟିମ୍ ଅଯଥାରେ ଆମକୁ ବଦ୍ନାମ୍ ଓ ଭୟଭୀତ କରୁଥିବା ଛାତ୍ର ଜଣକ ଅଭିଯୋଗ କରିଛନ୍ତି। ଏଥିସହିତ ସରୋଜ କହିଛନ୍ତି, ‘ ଏସ୍ଆଇଟି ଜବତ୍ କରିଥିବା ମୋବାଇଲ୍ ମୋର ନୁହେଁ। ଏହା ମୋ ଦିଦିର, ସେଥିରେ କୌଣସି ଏକ ଫୋଲ୍ଡର୍ରେ ଲକ୍ ପଡ଼ିଯାଇଛି। ଏହା କୌଣସି ଉପାୟରେ ପଡ଼ି ଯାଇଥିବା ଦିଦି କିମ୍ବା ମୁଁ ଜାଣିନାହୁଁ। ମୋବାଇଲ୍ରେ ସେଭଳି କିଛି ଜିନିଷ ନାହିଁ। ଏସ୍ଆଇଟି ୨ ତାରିଖରେ ମୋବାଇଲ ଜବତ୍ କରିଥିବା ବେଳେ, ୬ ତାରିଖରେ ପାସ୍ୱାର୍ଡ ଫିଟାଇବାକୁ ଆସି ନାଟକ କରିଥିଲା। ଉକ୍ତ ଛାତ୍ରଜଣକ ପରୀର ପଡ଼ୋଶୀ ଘରର ହୋଇଥିବା ବେଳେ, ପରୀ ବେଳେ ବେଳେ ତାଙ୍କ ଘରକୁ ଆସିଥାଏ, ତାଙ୍କ ଭଉଣୀଙ୍କ ନିକଟରେ ଖେଳିବୁଲି ଯାଇଥାଏ। ପରୀ ହତ୍ୟାରେ ସେମାନଙ୍କୁ ଅଯଥା ବଦ୍ନାମ୍ କରାଯାଉଥିବା ଭଳି ସାଂଘାତିକ ଅଭିଯୋଗ କରିଛନ୍ତି ସରୋଜ।
ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ‘ ମତେ ଅଯଥାରେ ବଦ୍ନାମ୍ କରିବାକୁ ଏସ୍ଆଇଟି ଆମ ଘରେ ୩ ଥର ଚଢ଼ଉ କରିବା ସହିତ, ମୋର ପ୍ୟାଣ୍ଟ୍, ସାର୍ଟ ଆଦି ନେଇଯିବା ସହିତ, ଗାଁ’ ସଭାପତିଙ୍କୁ ଡକାଇ ମୋର ମାନହାନୀ କରାଯାଉଛି। ’ ଏସ୍ଆଇଟି ୨ ତାରିଖରେ ମତେ ସର୍କିଟ୍ ହାଉସ୍ ନେଇ ଜେରା କରିଥିଲା। ଖାଇବା ପିଇବାକୁ ଦେଇଥିଲେ, କିନ୍ତୁ ମାନସିକ ଭାବେ ନିର୍ଯାତନା ଦେଇଥିବା କହିଛନ୍ତି। ସରୋଜଙ୍କ ଏଭଳି ବୟାନ ପରେ ଏସ୍ଆଇଟି ତଦନ୍ତକୁ ନେଇ ନାନା କଥା ନୟାଗଡ଼ରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ, ଏସ୍ଆଇଟି ସ୍କାନର୍ରେ ରଖିଥିବା କଲେଜ ଛାତ୍ର ଉପରେ ଆମର କୌଣସି ସନ୍ଦେହ ନଥିବା ପରୀ ବାପା କହିଛନ୍ତି। ବାପା ଅଶୋକ ସାହୁ ଛାତ୍ରଙ୍କୁ କ୍ଲିନ୍ ଚିଟ୍ ଦେଉଥିବା ବେଳେ, ବିଜେଡି ନେତା ବାବୁଲି ନାୟକଙ୍କୁ ବଞ୍ଚାଇବାକୁ ଏସ୍ଆଇଟି ଏଭଳି ନାଟକ କରୁଥିବା ସରୋଜ ମତ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଏସ୍ଆଇଟି ମୁଖ୍ୟ ଆଇଜି ଅରୁଣ ବୋଥ୍ରା ପ୍ରତିକ୍ରିୟାରେ କହିଛନ୍ତି, ବିଭିନ୍ନ ସନ୍ଦିଗ୍ଧମାନଙ୍କୁ ପଚରାଉଚରା କରାଯାଉଛି। କାହାକୁ ଅପରାଧର ସ୍ବୀକାରୋକ୍ତି ପାଇଁ ବାଧ୍ୟ କରାଯାଇ ନାହିଁ। ଖାଲି ଯେ ଜଣେ ସ୍ବୀକାର କରିଦେଲେ ହେବ ନାହିଁ, ତଥ୍ୟ ପ୍ରମାଣ ଯୋଗାଡ଼ କରିବା ମଧ୍ୟ ଜରୁରୀ। ତଦନ୍ତ ଚାଲିଛି, ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି।
The post ପରୀ ହତ୍ୟାକାଣ୍ଡ ମାମଲା : ମିଛରେ ଦୋଷ ସ୍ବୀକାର କରିବାକୁ ପ୍ରବର୍ତ୍ତାଉଛି ଏସ୍ଆଇଟି first appeared on Sambad.
from ରାଜ୍ୟ – Sambad https://ift.tt/34bZozd
0 Comments