
ଭୁବନେଶ୍ବର: ଆମେରିକୀୟ କମ୍ପାନି ଏଇଏସ୍ ଓପିଜିସିରୁ ପୁଞ୍ଜି ପତ୍ୟାହାର ପରେ ସମସ୍ତେ ଆଶା କରୁଥିଲେ, ସରକାର ଯୋଗ୍ୟତା ଭିତ୍ତିରେ ଓପିଜିସି ଏବଂ ଓସିପିଏଲ୍ରେ କମ୍ପାନି ମୁଖ୍ୟଙ୍କୁ ନିଯୁକ୍ତି ଦେବେ। କିନ୍ତୁ, ଯେଉଁ ଏଇଏସ୍ ଅଫିସରମାନେ ଓପିଜିସି ଓ ଓସିପିଏଲ୍ ଦୁର୍ଗତିର କାରଣ ସାଜିଥିଲେ, ସେମାନଙ୍କୁ ପୁନଃନିଯୁକ୍ତି ପାଇଁ ମସୁଧା ଚାଲିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଓସିପିଏଲ୍ର ସିଇଓ ଭାବେ କ୍ଷୀରୋଦ ବ୍ରହ୍ମାଙ୍କୁ ପୁନଃନିଯୁକ୍ତି ଦିଆଯିବ। ଏହି ଅଧିକାରୀଙ୍କୁ ଆସନ୍ତା ସପ୍ତାହରେ ପୁନଃନିଯୁକ୍ତି ମିଳିଯିବାର ସମ୍ଭାବନା ରହିଛି । ଧର୍ମକୁ ଆଖି ଠାରୁ ମାରିବା ଭଳି କେବଳ ଏକ ସାକ୍ଷାତକାର ପରୀକ୍ଷା କରାଯାଇ ଏହି ଅଧିକାରୀଙ୍କୁ ପୁନଃନିଯୁକ୍ତି ଦିଆଯିବ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି। ତେବେ, ଓସିପିଏଲ୍ ଦୁର୍ନୀତିକୁ ନେଇ କିଛି ମାସ ଧରି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସତ୍ତ୍ବେ ସରକାର ଏବଂ ବିଭାଗୀୟ ସଚିବ ଏଥିପ୍ରତି କର୍ଣ୍ଣପାତ ନକରିବା ଏକ ଆଶ୍ଚର୍ଯ୍ୟଜନକ ବିଷୟ ହୋଇଛି। ଯେମିତି କଥାରେ ଅଛି, ‘ ଚେଇଁ ଶୋଇବ ଯିଏ, ତାକୁ ଉଠାଇବ କିଏ’!
ଅଭିଯୋଗ ଅନୁସାରେ, ରାଜ୍ୟ ସରକାର ଓପିଜିସି ଅଧିକାରୀଙ୍କ ଯୁକ୍ତିଯୁକ୍ତ ଦାବିକୁ ଶୁଣୁନାହାନ୍ତି। ଏଇଏସ୍ର ଅଫିସର୍ମାନଙ୍କର ବିଭିନ୍ନ ରାଜନୈତିକ ଦଳ ଓ ଖଣିମାଫିଆଙ୍କ ସହ ସମ୍ପର୍କ ରହିଥିବାରୁ ସେମାନଙ୍କ ଅଭିଯୋଗକୁ ମଧ୍ୟ ଗୁରୁତ୍ବ ଦେଉନାହାନ୍ତି। ଅପରପକ୍ଷେ, ଓସିପିଏଲ୍ କୋଇଲା ଖଣିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଆସୁଛି। ସିଏଜି କର୍ତ୍ତୃପକ୍ଷ ମଧ୍ୟ ଏହି ଦୁର୍ନୀତି ସମ୍ପର୍କରେ ଅଙ୍ଗୁଳି ନିର୍ଦ୍ଦେଶ କରିସାରିଛନ୍ତି। ଏପରିସ୍ଥଳେ, ଓସିପିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପୁନଃନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିଛି ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ‘ ସରକାର ଓ ଭିଜିଲାନସ୍ ବିଭାଗ ଛୋଟଛୋଟ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି କିନ୍ତୁ ଖଣି ମାଫିଆଙ୍କ ସହ ସଂପୃକ୍ତ ଥିବା ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଖୋଲା ଛାଡ଼ି ଦେଉଛନ୍ତି।’ ସମ୍ପୃକ୍ତ ଅଫିସର୍ ସିଇଓ ଭାବେ ନିଯୁକ୍ତି ପାଇଲେ କେବଳ ଓସିପିଏଲ୍ର କ୍ଷତି ହେବନାହିଁ, ଓପିଜିସି ଭଳି ଏକ ଅଗ୍ରଣୀ ତଥା ଲାଭଦାୟୀ ତାପଜ ବିଦ୍ୟୁତ୍ କେନ୍ଦ୍ର ମଧ୍ୟ କ୍ଷତି ଆଡ଼କୁ ମୁହାଁଇବ। ସରକାର ବାଧ୍ୟହୋଇ ବିଦ୍ୟୁତ୍ ଦର ବୃଦ୍ଧି କରିବେ ଏବଂ କୋଇଲା ଉତ୍ପାଦନ ଦର ବିଦ୍ୟୁତ୍ ଉତ୍ପାଦନ ଦରକୁ ପ୍ରଭାବିତ କରିବ ବୋଲି ସେମାନେ ମତ ଦେଇଛନ୍ତି। ବିଧାୟକ କିଶୋର ମହାନ୍ତି ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ଏଥିସହିତ, ବିଜୁବାବୁଙ୍କ ଦ୍ବାରା ପ୍ରତିଷ୍ଠିତ ଓପିଜିସିକୁ ସରକାର ଆଗତ ବିପର୍ଯ୍ୟୟରୁ ବଞ୍ଚାଇବା ପାଇଁ ବିଧାୟକ ଶ୍ରୀ ମହାନ୍ତି ଦାବି କରିଛନ୍ତି । ସରକାର ତୁରନ୍ତ ଏହି ନିଯୁକ୍ତି ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ସହିତ ଜଣେ ଦକ୍ଷ ବ୍ୟକ୍ତିଙ୍କୁ ଓସିପିଏଲ୍ ସିଇଓ ଭାବେ ନିଯୁକ୍ତି ପାଇଁ ବିଭିନ୍ନ ମହଲରେ ଦାବି କରାଯାଉଛି।
The post ଦୁର୍ନୀତିକୁ ଆଖି ବୁଜି ଦେଉଛନ୍ତି ସରକାର, ଓସିପିଏଲ୍ ସିଇଓଙ୍କୁ ପୁନଃନିଯୁକ୍ତି ମସୁଧା first appeared on Sambad.
from ରାଜ୍ୟ – Sambad https://ift.tt/3mol4ys
0 Comments