ବାହାରି ପାରୁନି ନିଷ୍କର୍ଷ, ବାଲି ଉଠାଣକୁ ନେଇ ତେଜୁଛି ଅସନ୍ତୋଷ

ପୁରୁଷୋତ୍ତମପୁର: ପୁରୁଷୋତ୍ତମପୁର ତହସିଲ ଅଧୀନ ଋଷିକୁଲ୍ୟା କନକା ମୌଜା ନଦୀଘାଟରୁ ବାଲି ଉଠାଣକୁ ନେଇ ଟ୍ରକ୍ ଓ ଟ୍ରାକ୍ଟର୍ ମାଲିକମାନଙ୍କ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି। ଓ୍ବାଇ ଫର୍ମ ନ ଥିବାରୁ ପୁରୁଷୋତ୍ତମପୁର ତହସିଲ ଓ ଏହାର ଆଖପାଖ ଅଞ୍ଚଳ ସମେତ ବ୍ରହ୍ମପୁରର ଶତାଧିକ ଟ୍ରାକ୍ଟର ଓ ଟ୍ରକ୍ ମାଲିକମାନେ ନଦୀଘାଟରୁ ବାଲି ଉଠାଣ କରିପାରୁ ନାହାନ୍ତି। ଏଥିପାଇଁ ଅନେକ ନିର୍ମାଣ କାମ ଅଟକି ଯାଇଥିବା ବେଳେ ଏକାଧିକ ଠିକାଦାରମାନେ ହାତବାନ୍ଧି ବସିଛନ୍ତି।

ଖବରରୁ ଜଣାପଡ଼ିଛି ଋଷିକୂଲ୍ୟା ନଦୀଘାଟରୁ ଦୈନିକ ୬୦୦ରୁ ଅଧିକ ଟ୍ରକ୍ ଓ ୫୦୦ରୁ ଅଧିକ ଟ୍ରାକ୍ଟର ବାଲି ଉଠାଣ କରି ଆସୁଥିଲେ। ତେବେ କିଛି ଦିନ ହେଲା ତହସିଲ ଅଫିସ ପକ୍ଷରୁ ବାଲି ଉଠାଣ ପାଇଁ ୫୦୦ଟି ଓ୍ବାଇ ଫର୍ମ ପ୍ରଦାନ କରାଯାଇଥିଲା। ଫଳରେ ଠିକାଦାରମାନେ ଦୈନିକ ୫୦୦ ଓ୍ବାଇ ଫର୍ମ ମାଧ୍ୟମରେ ବାଲି ଉଠାଉଥିଲା ବେଳେ ଅନ୍ୟ ଗାଡ଼ି ମାଲିକମାନେ ହାତବାନ୍ଧି ବସୁଥିଲେ।

ଅନ୍ୟପକ୍ଷରେ ଲିଜ୍ ଧାରିମାନେ କେବଳ ବାହାର ରାଜ୍ୟକୁ ଯାଉଥିବା ଟ୍ରକ୍ ମାଲିକମାନଙ୍କୁ ଓ୍ବାଇ ଫର୍ମ ଦେଉଥିବା ବେଳେ ଆମେ ମାଗିଲା ବେଳକୁ ଫର୍ମ ସରିଯାଇଥିବା କହୁଥିବା ଟ୍ରାକ୍ଟର ମାଲିକମାନେ ଅଭିଯୋଗ କରିଛନ୍ତି। ଏଥିପାଇଁ ଆମେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ବାଲି ଯୋଗାଇ ପାରୁ ନାହୁଁ ବୋଲି ଟ୍ରାକ୍ଟର୍ମାଲିକମାନେ କହିଛନ୍ତି। କିଛିଦିନ ତଳେ ରୋଟେସନ୍ ଭିତ୍ତିରେ ଦିନେ ବ୍ରହ୍ମପୁର ଓ ଆଉ ଦିନେ ସ୍ଥାନୀୟ ମାଲିକମାନଙ୍କୁ ଓ୍ବାଇ ଫର୍ମ ପ୍ରଦାନ ପାଇଁ ସ୍ଥିର ହୋଇଥିଲେ ହେଁ ଗତ ୪ ଦିନ ହେବ କନକା ମୌଜା ନଦୀଘାଟରେ ଶହେରୁ ଅଧିକ ଟ୍ରକ୍ ରଖି ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରି ସ୍ଥାନୀୟ ପୁଲିସ ଓ ତହସିଲ କାର୍ଯ୍ୟାଳୟରେ ଦାବି କରଛନ୍ତି।

ଫଳରେ ଗତ ୪ ଦିନ ହେଲା ବାଲି ଅଭାବରୁ ସରକାରୀ ଓ ବେସରକାରୀ ନିର୍ମାଣ କାମ ଅଟକି ରହିଛି। ଘଟଣା ସଂପର୍କରେ ଗଞ୍ଜାମ ଜିଲ୍ଲାପାଳ, ଛତ୍ରପୁର, ବ୍ରହ୍ମପୁର ଉପଜିଲ୍ଲାପାଳ, ଛତ୍ରପୁର ଓ ବ୍ରହ୍ମପୁର ଏସ୍.ପି.ଙ୍କୁ ଜଣା ଯାଇଥିଲେ ମଧ୍ୟ ସମାଧାନ ବାହାରି ପାରି ନାହିଁ।

The post ବାହାରି ପାରୁନି ନିଷ୍କର୍ଷ, ବାଲି ଉଠାଣକୁ ନେଇ ତେଜୁଛି ଅସନ୍ତୋଷ first appeared on Sambad.



from ରାଜ୍ୟ – Sambad https://ift.tt/3gWj9jw

Post a Comment

0 Comments