
ନରସିଂହପୁର: ନରସିଂହପୁର ତହସିଲ ଅନ୍ତର୍ଗତ ଆଇଁଷିଆ ଗ୍ରାମ ନିକଟରେ ନିଧଡ଼କରେ ଇଟା ଭାଟି ଚାଲିଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜନବସତି ନିକଟରେ ଚାଲିଥିବା ଏହି ଭାଟିରୁ ଧୂଆଁ ବାହାରି ପରିବେଶ ଦୂଷିତ ହେଉଛି। ଏହାଦ୍ୱାରା ଜନଜୀବନ ପ୍ରଭାବିତ ହେଉଛି। ଲୋକେ ଅସ୍ୱାସ୍ଥକର ପରିବେଶରେ ଦିନ କାଟୁଛନ୍ତି। ଇଟା ମାଫିଆମାନେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଅସାଧୁ କର୍ମଚାରୀଙ୍କୁ ହାତ କରି ଦିନ ଦ୍ବିପ୍ରହରରେ ବେପାର କରୁଥିବା ସାଧାରଣରେ ଅଭିଯୋଗ କରାଯାଇଛି।
ଏହିପରି ଭାବେ ନରସିଂହପୁର ତହସିଲର ବିଭିନ୍ନ ସ୍ଥାନରେ ଚାଲିଥିବା ଇଟାଭାଟି ଯୋଗୁଁ ଆସନ୍ତା ଗ୍ରୀଷ୍ମଋତୁରେ ଅସହ୍ୟ ତାତି ସାଙ୍ଗକୁ ପରିବେଶ ପ୍ରଦୂଷଣ ବଢ଼ିବ ବୋଲି ମତପ୍ରକାଶ ପାଇଛି। ଏ ନେଇ ଅଞ୍ଚଳର ବୁଦ୍ଧିଜୀବୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ଆଲୋକ କୁମାର ଦେହୁରୀ କହିଛନ୍ତି ଯେ ଏ ନେଇ ଅଭିଯୋଗ ପରେ ବେଆଇନ ଇଟାଭାଟିକୁ ନୋଟିସ ଜାରି କରାଯାଇଛି। ଖୁବ୍ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ଶ୍ରୀ ଦେହୁରୀ ପ୍ରକାଶ କରିଛନ୍ତି।
The post ନିଧଡ଼କରେ ଚାଲିଛି ଇଟାଭାଟି, ପ୍ରଶାସନ ନିରବଦ୍ରଷ୍ଟା first appeared on Sambad.
from ରାଜ୍ୟ – Sambad https://ift.tt/34szQhq
0 Comments