ପାରଳାଖେମୁଣ୍ଡି: ଶିଶୁ ଅପହରଣ ଏବେ ସାରା ଓଡ଼ିଶାରେ ମୁଖ୍ୟ ଆଲୋଚନାର ବିଷୟ ହୋଇଥିବା ବେଳେ ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳରୁ ଆସିଛି ଏଭଳି ଆଉ ଏକ ଖବର । କାଶୀନଗର ମର୍ଣ୍ଣିଙ୍ଗି ସାହିରେ ରହୁଥିବା ଜାମି ମନ୍ମଥ ଗୋପୀଙ୍କର ୭ ବର୍ଷର ପୁଅ ଜାମି ହାର୍ଦ୍ଦିକଙ୍କୁ ବୁଧବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଏହି ଖବର ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା କାଶୀନଗର ଥାନା ଅଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, କାଶୀନଗର ମର୍ଣ୍ଣିଙ୍ଗି ସାହିରେ ହାର୍ଦ୍ଦିକ କିଛି ପିଲାଙ୍କ ସହ ମିଶି ଖେଳୁଥିଲା । ଏହି ସମୟରେ ସେଠାରେ ଦୁଇଜଣ ବ୍ୟକ୍ତି ଏକ ବାଇକ ଯୋଗେ ଆସି ତାକୁ ଡାକିଥିଲେ। ଗୋପୀ ଜଣେ କାଜୁ ବ୍ୟବସାୟୀ ହୋଇଥିବାରୁ ବାପାଙ୍କ କାଜୁ ଗୋଦାମ ଦେଖାଇବା କଥା କହି ତାକୁ ନିଜ ସାଙ୍ଗରେ ନେଇଥିଲେ। ଏହାପରେ ସେ ଆଉ ଘରକୁ ଫେରିନଥିଲେ। ଅନେକ ରାତି ଯାଏ ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିବା ସହ ସେ ଖେଳୁଥିବା ପିଲାମାନଙ୍କୁ ପଚାରିବାରୁ ଏସଂପର୍କରେ ସେମାନେ ଜଣାଇଥିଲେ। ଫଳରେ ପରିବାର ଲୋକେ ପୁଅକୁ କେହି ଅପହରଣ କରିନେଇଥିବା ସନ୍ଦେହ ପ୍ରକାଶ କରି କାଶୀନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଏହି ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ନିଖୋଜ ଶିଶୁକୁ ଉଦ୍ଧାର କରିବା ପାଇଁ ପୁଲିସ୍ ତୁରନ୍ତ ଜିଲ୍ଲାର ବିଭିନ୍ନ ପ୍ରବେଶ ପଥକୁ ସିଲ କରିବା ସହ ଯାଞ୍ଚକୁ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି । ଗୋପୀ ଜଣେ କାଜୁ ବ୍ୟବସାୟୀ ହୋଇଥିବାରୁ ବ୍ୟାବସାୟିକ ଶତ୍ରୁତା କିମ୍ବା ଅର୍ଥ ଲୋଭରେ କେହି ଅପହରଣ କରିନେଇଥିବା ପୁଲିସ ସନ୍ଦେହ କରୁଛି।
The post କାଜୁ ବ୍ୟବସାୟୀଙ୍କ ୭ ବର୍ଷର ପୁଅ ନିଖୋଜ: ବ୍ୟାବସାୟିକ ଶତ୍ରୁତା କାରଣରୁ ଅପହରଣ ସନ୍ଦେହ first appeared on Sambad.
from ରାଜ୍ୟ – Sambad https://ift.tt/34kErSO
0 Comments