ସିଂହଦ୍ବାର ସୁରକ୍ଷା ବଳୟକୁ ଭେଦ କରି ଶ୍ରୀମନ୍ଦିରରେ ଧସେଇ ପଶିଲେ ଲଙ୍ଗୁଳି ବାବା

ପୁରୀ: ଶ୍ରୀମନ୍ଦିରରେ ଆଜି ଜନୈକ ଲଙ୍ଗୁଳି ବାବାଙ୍କୁ ନେଇ ଅଭାବନୀୟ ପରିସ୍ଥିତି ଦେଖାଦେଇଥିଲା। ବାବା ଜଣକ ସିଂହଦ୍ବାର ସୁରକ୍ଷା ବଳୟକୁ ଭେଦ କରି ଶ୍ରୀମନ୍ଦିର ଭିତରେ ଧସେଇ ପଶି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପରେ ଜେଟିପିମାନେ ତାଙ୍କୁ ବାହାରକୁ ତଡ଼ିଥିଲେ ବି ମହାପ୍ରଭୁଙ୍କ ଦର୍ଶନ ପାଇ ସେ ଆତ୍ମତୃପ୍ତି ଲାଭ କରିଥିବା କହିଛନ୍ତି। ଏହି ଲଙ୍ଗୁଳି ବାବା ଜଣକ ଲଙ୍ଗୁଳି ମଠର ବୈଷ୍ଣବ ପୁରୀ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ବାବା ବୈଷ୍ଣବ ପୁରୀ ପତିତପାବନଙ୍କୁ ଦର୍ଶନ ଆଳରେ ସିଂହଦ୍ବାରକୁ ଯାଇଥିଲେ। ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଚାହିଁଥିଲେ ବି ସିଂହଦ୍ବାରରେ ଜଗିଥିବା ଜେଟିପିମାନେ ତାଙ୍କୁ ପରିଚୟପତ୍ର ମାଗିଥିଲେ। ପରେ ଡମ୍ବରୁ ବଜାଇ କିଛି ସମୟ ଧରି ପତିତପାବନଙ୍କ ଦର୍ଶନ ପରେ ହଠାତ୍‌ ବାବା ବାଇଶିପାହାଚ ଦେଇ ଶ୍ରୀମନ୍ଦିର ଭିତରକୁ ଦୌଡ଼ିଥିଲେ। ଜେଟିପିମାନେ ଅଟକାଇବାକୁ ଚେଷ୍ଟା କରିଥିଲେ ବି ପାରିନଥିଲେ। ପରେ ବାବା ଜଣକ ମହାପ୍ରଭୁଙ୍କୁ ଦର୍ଶନ କରିବା ଅବସ୍ଥାରେ ଜେଟିପିମାନେ ତାଙ୍କୁ ଧରି ଦକ୍ଷିଣଦ୍ବାର ଦେଇ ବାହାରକୁ ଛାଡ଼ିଥିଲେ।

ବାହାରକୁ ଆସିବା ପରେ ବାବା ଜଣକ କହିଛନ୍ତି, ମୋର ବହୁତ ଇଚ୍ଛ‌ା ଥିଲା ମହାପ୍ରଭୁଙ୍କୁ ଦର୍ଶନ କରିବି ବୋଲି। ମୁଁ ଯେତେବେଳେ ସିଂହଦ୍ବାରକୁ ଗଲି ଓ ପତିତପାବନଙ୍କୁ ଦର୍ଶନ କଲି, ସେ ସମୟରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଗୁହାରି କରିଥିଲି। ଆଉ ଏହାର କିଛି ସମୟ ପରେ କ’ଣ ହେଲା କେଜାଣି, ମୁଁ ଦୌଡ଼ିବାକୁ ଲାଗିଲି। ଏହା କହିବା ବେଳେ ବାବା ଜଣକ କାନ୍ଦି ପକାଇଥିଲେ।
ବାବା ବୈଷ୍ଣବ ପୁରୀଙ୍କ ଏଭଳି ଘଟଣା ପ୍ରଥମ ନୁହେଁ। ପୂର୍ବରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ବଡ଼ଛତା ମଠ ଉଚ୍ଛେଦ ବେଳେ ବାବା ବୈଷ୍ଣବ ପୁରୀ ଆଗ ଠେଙ୍ଗା ବାଡ଼ି ଧରି ଏହାର ପ୍ରତିବାଦ ଜଣାଇଥିଲେ। ଏହାର କିଛିଦିନ ପରେ ଜୋରଜବରଦସ୍ତ ମଙ୍ଗୁ ମଠରେ ପ୍ରବେଶ ବେଳେ ପୁଲିସ ଦ୍ବାରା ମାଡ଼ ଖାଇଥିଲେ। ଏହି ଭଳି କାର୍ଯ୍ୟ ପାଇଁ ସେ ଅନେକ ଥର ଜେଲ୍‌ ବି ଯାଇଛନ୍ତି। ପୁରୀ ବନ୍ଦ ଡାକରା ବେଳେ ବାବା ଇଂରାଜୀ ଭାଷାରେ ଅନର୍ଗଳ କହି ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଥିଲେ।

The post ସିଂହଦ୍ବାର ସୁରକ୍ଷା ବଳୟକୁ ଭେଦ କରି ଶ୍ରୀମନ୍ଦିରରେ ଧସେଇ ପଶିଲେ ଲଙ୍ଗୁଳି ବାବା first appeared on Sambad.



from ରାଜ୍ୟ – Sambad https://ift.tt/2WHSjm4

Post a Comment

0 Comments