ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଏସଟି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ରାଉରକେଲା: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ବାଣିଜ୍ୟ କର ଓ ଜିଏସଟି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ ଚାଲିଥିବାର ଖବର ମିଳିଛି। ରାଉରକେଲା ସହକାରୀ ବାଣିଜ୍ୟ କର ଏବଂ ଜିଏସଟି ଅଧିକାରୀ ଅଲେଖ ମହାନନ୍ଦଙ୍କ ଘରେ ଚଢାଉ ଚାଲିଛି। ରାଉରକେଲାର ଛେଣ୍ଡ ସ୍ଥିତ ଫେଜ୧ ଏଲ ବାସଭବନ ସହ କାର୍ଯ୍ୟାଳୟ, ନିଜ ଗାଁ ଓ ଶଶୁର ଘର ଆଦି ୪ଟି ସ୍ଥାନରେ ବି ଚଢାଉ ଜାରି ରହିଛି।

ରାଉରକେଲା ଭିଜିଲାନ୍ସର ୪ଟି ସ୍ୱତନ୍ତ୍ର ଟିମ୍ ଏହି ଚଢାଉ କରୁଛି। ତାଙ୍କ ଗାଁ ସୁନ୍ଦରଗଡ଼ ଜିଲ୍ଲାର ଭଷ୍ମା ଥାନା ଅନ୍ତର୍ଗତ ମଙ୍ଗସପୁରରେ ଚଢାଉ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢାଉ ଚାଲିଛି। ତେବେ ଏହି ଚଢାଉ ସମୟରେ କେତେ ଟଙ୍କାର ସଂପତ୍ତି ଠାବ ହୋଇଛି, ସେଥିନେଇ ଭିଜିଲାନ୍ସ ପକ୍ଷରୁ କୌଣସି ତଥ୍ୟ ପ୍ରଦାନ କରାଯାଇନାହିଁ।

ଭିଜିଲାନ୍ସ ଏସପି ସୁବାସ ଚନ୍ଦ୍ର ସ୍ୱାଇଁଙ୍କ ନିର୍ଦେଶକ୍ରମେ ଡିଏସପି ବୀରେନ୍ଦ୍ର ନାୟକ ନେତୃତ୍ୱରେ ଚାରିଟି ଟିମ୍ ଏକ କାଳୀନ ଉଦିନଗର ଜିଏସଟି ଅଫିସ, ସୁନ୍ଦରଗଡ଼ ମଙ୍ଗସପୁରର ପୈତୃକ ଘର, ସୁନ୍ଦରଗଡ଼ ଗୋପାଳପୁର ଥାନା ଅନ୍ତର୍ଗତ ଚକରପୁର ଶ୍ୱଶୁର ଘରେ ଚଢ଼ଉ ଜାରି ରଖିଛି l  ଟିମର ଅଧିକାରୀମାନେ ଉଦିତନଗର ଅଫିସ ଚ୍ୟାମ୍ବରରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି l

ରାଉରକେଲାରେ ଜିଏସଟି ଠକେଇର ନୂଆ ନୂଆ ଘଟଣା ସାମ୍ନାକୁ ଆସୁଥିବା ବେଳେ ଜିଏସଟି ଅଧିକାରୀ ଅଲେଖ ମହାନନ୍ଦଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

The post ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଏସଟି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ first appeared on Sambad.



from ରାଜ୍ୟ – Sambad https://ift.tt/34AIAlM

Post a Comment

0 Comments