୧୫ ଡିଗ୍ରି ତଳେ ରାଜ୍ୟର ୧୮ ସହର

ଭୁବନେଶ୍ୱର : ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ତମାନର ସ୍ଥିତି ଜାରି ରହିବ। ଥଣ୍ଡାରେ ସେଭଳି ଆଖିଦୃଶିଆ ପରିବର୍ତନ ହେବ ନାହିଁ। ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ବଙ୍ଗୋ‌ପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ବୁରେଭି’ର ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ। ଏହା ୩ ତାରିଖ ମଧ୍ୟରାତି ଓ ୪ ତାରିଖ ଭୋର ସମୟରେ ତାମିଲନାଡ଼ୁ ଉପକୂଳର କନ୍ୟାକୁମାରୀ ଓ ପାମବନ୍‌ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିବ। ପ୍ରଭାବରେ ଘଣ୍ଟା ପ୍ରତି ୯୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପକୂଳ ସମୁଦ୍ରରେ କୌଣସି ବିପଦ ନ ଥିବାରୁ ମତ୍ସ୍ୟଜୀବୀଙ୍କ ଲାଗି କିଛି ବି ସତର୍କ ସୂଚନା ଜାରି କରାଯାଇ ନାହିଁ। ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ୧୮ଟି ସହରର ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା। ସୋନପୁରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ଫୁଲବାଣୀରେ ୯, ଅନୁଗୁଳରେ ୧୦, ଦାରିଙ୍ଗବାଡ଼ିରେ ୧୦.୫, ଭବାନୀପାଟଣାରେ ୧୧.୫, କେନ୍ଦୁଝରରେ ୧୨.୨, ତାଳଚେରରେ ୧୨.୩, ବାରିପଦାରେ ୧୨.୫, କୋରାପୁଟରେ ୧୨.୬, ଝାରସୁଗୁଡ଼ାରେ ୧୨.୯, ସୁନ୍ଦରଗଡ଼ରେ ୧୩, ବୌଦ୍ଧ ଓ ବଲାଙ୍ଗୀରରେ ୧୪, କଟକରେ ୧୪.୨, ଟିଟିଲାଗଡ଼ରେ ୧୪.୫, ସମ୍ବଲପୁର ଓ ଚାନ୍ଦବାଲିରେ ୧୪.୬, ଭୁବନେଶ୍ବରରେ ୧୫ ଡିଗ୍ରି ରହିଥିଲା।

The post ୧୫ ଡିଗ୍ରି ତଳେ ରାଜ୍ୟର ୧୮ ସହର first appeared on Sambad.



from ରାଜ୍ୟ – Sambad https://ift.tt/3my7cCI

Post a Comment

0 Comments