ନୂଆବର୍ଷକୁ ହାଡ଼ଭଙ୍ଗା ଜାଡ଼

ଭୁବନେଶ୍ବର : ନୂଆବର୍ଷରେ ଜାଡ଼ରେ ଥରିବ ସାରା ଓଡ଼ିଶା। ରାଜଧାନୀ ସମତେ ପୂରା ରାଜ୍ୟର ତାପମାତ୍ରା ୪ରୁ ୫ଡିଗ୍ରି ପର୍ଯ୍ୟନ୍ତ ଖସି ଆସିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏପରି ଆକଳନ କରିଛି। କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି, ୩୧ ତାରିଖ ସକାଳୁ ରାଜ୍ୟରେ ପୁଣି ଉତ୍ତରା ପବନର ପ୍ରବାହ ଆରମ୍ଭ ହୋଇଯିବ। ଫଳରେ ଶୀତର ପ୍ରକୋପ ବଢ଼ିବ। ବିଶେଷକରି ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରେ ହାଡ଼ଭଙ୍ଗା ଶୀତ ହେବ। ରାଜଧାନୀର ରାତ୍ରି ତାପମାତ୍ରା ବି ୧୧ ଡିଗ୍ରିକୁ ଖସି ଆସିବ। ସେହିପରି ଅବଶିଷ୍ଟ ଅଞ୍ଚଳର ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିବ ବୋଲି ଶ୍ରୀ ବିଶ୍ବାସ କହିଛନ୍ତି।

ସୂଚନା ମୁତାବକ, ଗତ ୫/୬ ଦିନ ଧରି ରାଜ୍ୟକୁ ଉତ୍ତରା ଥଣ୍ଡା ପବନ ପ୍ରବେଶରେ ବାଧା ସୃଷ୍ଟି ହେବାରୁ ଶୀତ କମିଥିଲା। ରାଜ୍ୟବାସୀ ସାମାନ୍ୟ ଆଶ୍ବସ୍ତ ହୋଇଥିଲେ। କିନ୍ତୁ ୩୧ ତାରିଖରୁ ରାଜ୍ୟକୁ ପୁଣି ଶୀତ ଫେରିବ। ୨୯ ଓ ୩୦ ତାରିଖ ରାଜ୍ୟରେ ଆଜି ଭଳି ତାପମାତ୍ରା ଜାରି ରହିବ।

ଆଜି ପାରାଦୀପ ସମେତ କଟକ, ମାଲକାନଗିରି ଓ ନୟାଗଡ଼ ଆଦି ଜିଲ୍ଲାରେ ହାଲ୍‌କା କୁହୁଡ଼ି ଦେଖିବାକୁ ମିଳିଥିଲା। ଆସନ୍ତା ୨ ଦିନ କଟକ, ଜଗତ୍‌ସିଂହପୁର, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ୩୧ ସକାଳୁ ରାଜ୍ୟରେ ଶୀତ ପ୍ରକୋପ ବଢ଼ିବା‌ ଆରମ୍ଭ ହୋଇଯିବ।

ଗତ ୨୪ ଘଣ୍ଟାରେ ପୂରା ରାଜ୍ୟର ପାଗ ଶୁଖିଲା ରହିଥିଲା। ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ଓ ଉପକୂଳ ଓଡ଼ିଶାରେ ୧ରୁ ୨ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଥିଲା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୫.୫ ଡିଗ୍ରି ରେକର୍ଡ ‌ହୋଇଛି। ଭୁବନେଶ୍ବର ସର୍ବନିମ୍ନ ତାପମାତ୍ରା ୧୩.୨ ଡିଗ୍ରି ଥିଲା। ଆସନ୍ତା ୨ ଦିନ ବି ରାଜଧାନୀର ତାପମାତ୍ରା‌ ୧୩ଡିଗ୍ରି ପାଖାପାଖି ରହିବ। ଜାନୁଆରି ପହିଲା ସୁଦ୍ଧା ଏହା ଖସି ୧୧ ଡିଗ୍ରିରେ ପହଞ୍ଚିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

The post ନୂଆବର୍ଷକୁ ହାଡ଼ଭଙ୍ଗା ଜାଡ଼ first appeared on Sambad.



from ରାଜ୍ୟ – Sambad https://ift.tt/3nXQddx

Post a Comment

0 Comments