
ଯୋରନ୍ଦା/ଗଁଦିଆ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଖଙ୍କିରା ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଗତକାଲି ସଂଧ୍ୟାରୁ ହଠାତ୍ ନିଖୋଜ ହୋଇଯାଇଥିବା ତିନି ବର୍ଷର ଶିଶୁ କାଳିଆ ସାହୁର ମୃତଦେହ ଆଜି ଭୋର୍ରେ ଠାବ ହୋଇଛି। ଘରଠାରୁ ଅଳ୍ପ କେଇ ମିଟର ଦୂର ଏକ ପରିତ୍ୟକ୍ତ କୂଅରୁ ଏହି ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ କଅଁଳ ଶିଶୁ କାଳିଆର ମୃତଦେହ ଉଦ୍ଧାର ଘଟଣା ନୟାଗଡ଼ ଜିଲ୍ଲାର ‘ପରୀ’ ହତ୍ୟାକାଣ୍ଡକୁ ଢେଙ୍କାନାଳ ଜିଲ୍ଲାରେ ତାଜା କରାଇ ଦେଇଛି। ‘କାଳିଆ’ର ବାପା ଜୟନ୍ତ କୁମାର ସାହୁ(ଚନ୍ଦନ) ଏନେଇ ନିହଲପ୍ରସାଦ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି।
ସ୍ମରଣଯୋଗ୍ୟ, ଜୟନ୍ତଙ୍କର ଦୁଇ ପୁଅ ଗତକାଲି ସନ୍ଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିଲେ। ଏହି ସମୟରେ ବଡ଼ ପୁଅ ଶୌଚ ପାଇଁ ପଳାଇଥିବା ବେଳେ ସାନ ପୁଅ ‘କାଳିଆ’ ଏକୁଟିଆ ଖେଳୁଥିଲା। କିଛି ସମୟ ପରେ ହଠାତ୍ କାଳିଆ କେଉଁଆଡ଼େ ଉଭାନ ହୋଇଯାଇଥିଲା। ପରିବାର ଏବଂ ଗାଁ ଲୋକେ ରାତି ସାରା ଖୋଜାଖୋଜି କରିଥିଲେ। ଚାରି ଆଡ଼ୁ ନିରାଶ ହେବା ପରେ କୂଅ, ପୋଖରୀ ଖୋଜା ଚାଲିଥିଲା। ଘର ପାଖରେ ଏକ ପରିତ୍ୟକ୍ତ କୂଅ ଭିତରେ କାଳିଆର ମୃତ ଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା।
ଭୋର୍ରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସନ୍ଧ୍ୟାରେ ନିଖୋଜ କାଳିଆ ଏକ ପରିତ୍ୟକ୍ତ କୂଅ ଭିତରୁ ମିଳିବା ଘଟଣାକୁ ନେଇ ପରିବାର ଲୋକେ ସନ୍ଦେହ ପ୍ରକଟ କରିଛନ୍ତି। କାଳିଆକୁ ହତ୍ୟା କରି କୂଅରେ ପକାଇ ଦିଆଯାଇଥିବା ବାପା ଜୟନ୍ତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ କେସ୍ ନମ୍ବର ୧୪୩/୨୦୨୦, ଦଫା ୩୦୨ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଜୟନ୍ତଙ୍କ ପଡ଼ୋଶୀ ସଂପର୍କୀୟ ଭାଇ, ଭାଉଜଙ୍କର ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି।
The post ‘ପରୀ’ ପରେ ‘କାଳିଆ’ ପରିତ୍ୟକ୍ତ କୂଅରୁ ମିଳିଲା ୩ ବର୍ଷ ଶିଶୁର ମୃତଦେହ first appeared on Sambad.
from ରାଜ୍ୟ – Sambad https://ift.tt/3alHBtb
0 Comments