ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ହାଇକୋର୍ଟରେ ଚାଲେଞ୍ଜ

କଟକ : ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ, ୨୦୨୦ (ଓଡ଼ିଶା ୟୁନିଭରସିଟିଜ୍ (ଆମେଣ୍ଡମେଣ୍ଟ) ଆକ୍ଟ, ୨୦୨୦)କୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଜେଏନ୍‌ୟୁର ପୂର୍ବତନ ପ୍ରଫେସର ଅଜିତ କୁମାର ମହାନ୍ତିଙ୍କ ପକ୍ଷରୁ ଏ ନେଇ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ ହୋଇଛି।

ଆବେଦନରେ ଦର୍ଶାଯାଇଛି ଯେ ଏହି ସଂଶୋଧିତ ଆଇନ ଦ୍ବାରା ବିଶ୍ବବିଦ୍ୟାଳୟ ଗୁଡିକର ସ୍ବାୟତ୍ତ ଶାସନ ଅଧିକାର ଚାଲିଯିବ। ବିଶ୍ବବିଦ୍ୟାଳୟ ଓ ଏହାର ମୁଖ୍ୟ କୁଳପତିଙ୍କ ସ୍ବତନ୍ତ୍ରତା ନ୍ୟୂନ ହେବ। ଜାତୀୟ ଶିକ୍ଷାନୀତି ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିର ସ୍ବାଧୀନତା ଉପରେ ଅଧିକ ଗୁରୁତ୍ବାରୋପ କରୁଥିବାବେଳେ ସରକାର ଆଇନରେ ଏପରି ସଂଶୋଧନ ଆଣି ଏହା ଉପରେ ଅଙ୍କୁଶ ଜାରି କରିବାକୁ ଉଦ୍ୟମ କରିଛନ୍ତି। ଜାତୀୟ ଶିକ୍ଷାନୀତିର ଏହା ବିରୁଦ୍ଧାଚରଣ କରୁଛି। ଆଇନରେ ଏପରି ସଂଶୋଧନ ଦ୍ବାରା ବିଶ୍ବବିଦ୍ୟାଳୟ ଗୁଡିକର ପରିଚାଳନାରେ ସରକାରଙ୍କ ହସ୍ତକ୍ଷେପ ବଢିବ। ନିଯୁକ୍ତି ପ୍ରକ୍ରିୟା ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ତ୍ବାରାନ୍ବିତ କରାଯିବ ବୋଲି କୁହାଯାଉଥିବାବେଳେ ପ୍ରକୃତ ସ୍ଥିତି କିନ୍ତୁ ଭିନ୍ନ। ଲୋକସେବା ଆୟୋଗ ଉପରେ ପୂର୍ବରୁ ବହୁତ ଚାପ ରହିଥିବା ବେଳେ ଏପରି ବ୍ୟବସ୍ଥା ଦ୍ବାରା ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେବା ନିଶ୍ଚିତ। ଏଥିସହିତ ମାତ୍ରାଧିକ ସରକାରୀ ହସ୍ତକ୍ଷେପ ଦ୍ବାରା ବିଶ୍ବବିଦ୍ୟାଳୟ ଗୁଡିକର ପରିଚାଳନାରେ ସ୍ବାଧୀନତା ଓ ସ୍ବଚ୍ଛତା ରହିବା ନେଇ ସନ୍ଦେହ ରହିଛି। ଏହି ସଂଶୋଧନ ୟୁଜିସି ନିୟମାବଳୀ ଉଲ୍ଲଂଘନ କରୁଛି। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନର ସାମ୍ବିଧାନିକ ବୈଧତାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଏହି ସଂଶୋଧିତ ଆଇନକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ଉଚ୍ଚଶିକ୍ଷା ସଚିବ, ୟୁଜିସି ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ (ଓଡ଼ିଶା ୟୁନିଭରସିଟିଜ୍ (ଆମେଣ୍ଡମେଣ୍ଟ) ଅର୍ଡିନାନ୍ସ) , ୨୦୨୦କୁ ଚାଲେଞ୍ଜ କରି ପୂର୍ବରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ଏ ସଂପର୍କିତ ଆଇନକୁ ଚାଲେଞ୍ଜ କରି ମାମଲା ଦାୟର ପାଇଁ ଆବେଦନକାରୀଙ୍କୁ ଅନୁମତି ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ମାମଲା ପରିଚାଳନା କରୁଛନ୍ତି।

The post ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ହାଇକୋର୍ଟରେ ଚାଲେଞ୍ଜ first appeared on Sambad.



from ରାଜ୍ୟ – Sambad https://ift.tt/3gpZGY0

Post a Comment

0 Comments