କରୋନା ଟିକାକରଣ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ : ଆସିଲା ୨୧ ଲକ୍ଷ ସିରିଞ୍ଜ, ୨୪ ଆଇଏଲଆର

ଭୁବନେଶ୍ବର : କରୋନା ଟିକାକରଣ ନେଇ ରାଜ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୧ ଲକ୍ଷ ସିରିଞ୍ଜ ଓ ୨୪ ଆଇସ୍ ଲାଇନ୍‌ଡ ରେଫ୍ରିଜିରେଟର୍‌ ବା ଆଇଏଲଆର୍‌ ଯୋଗାଇ ଦିଆଯାଇଛି। ଅଳ୍ପ କିଛି ଦିନ ଭିତରେ ଦେଶରେ କରୋନା ପାଇଁ ଟିକାକରଣ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଛି, ଯାହାକୁ ନେଇ ଓଡ଼ିଶାରେ ଉତ୍କଣ୍ଠା ବୃଦ୍ଧି ପାଇଛି।

ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ବରିଷ୍ଠ ନାଗରିକଙ୍କୁ ମିଶାଇ ସମୁଦାୟ ୩.୨ଲକ୍ଷଙ୍କୁ ଟିକା ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଛି। ଏଥିପାଇଁ ସମସ୍ତଙ୍କ ପଞ୍ଜୀକରଣ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କେଉଁ କମ୍ପାନିର ଟିକା ଓ କେତୋଟି ଡୋଜ୍ ଦିଆଯିବ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ଅଧିକାଂଶ କମ୍ପାନିଙ୍କର ଟିକା ଦୁଇଟି ଡୋଜ୍ ରହିଥିବା ଆଲୋଚନା ହେଉଛି। ରାଜ୍ୟରେ ଗଣ ଟିକାକରଣ ୯୩୬ ଆଇସ-ଲାଇନ୍‌ଡ ରେଫ୍ରିଜରେଟର୍‌ ବା ଆଇଏଲଆର, ୭୦ ବଡ଼ ଆଇଏଲଆର, ୩୦ ବୃହତ୍‌ ଡିପ୍‌ ଫ୍ରଜିର, ୭୩୩୧ ନିଡିଲ ତଥା ହବ୍ କଟର, ୫୦୬ ସାର୍ପ ପିଟ୍‌, ୧୪୭୩ ଡାଟା ଲଗର୍ସ, ୨ଟି ୱାକ୍ ଇନ୍‌ କୁଲର ଓ ୨ଟି ୧୫ କେଭିଏ ଜେନେରେଟର୍‌ ଆବଶ୍ୟକ। ଏହାସହ ୧୦ କୋଟିରୁ ଅଧିକ ସିରିଞ୍ଜର ଆବଶ୍ୟକତା ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା।

ଏହି ଭିତ୍ତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୦.୫ ମିଲିର ସ୍ବୟଂ ନଷ୍ଟ ବା ଏଡି ୨୧ଲକ୍ଷ ସିରିଞ୍ଜ ଓ ୨୪ ଆଇଏଲଆର ଯୋଗାଇ ଦିଆଯାଇଛି। ମାତ୍ର ଡିପ୍ ଫ୍ରିଜର୍‌ ଆସିନାହିଁ। ପର୍ଯ୍ୟାୟକ୍ରମେ ଟିକାକରଣ ପାଇଁ ଆବଶ୍ୟକ ଜିନିଷପତ୍ର ଆସିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅଧିକାରୀଙ୍କ ସୂଚନା ଅନୁସାରେ, ଯେହେତୁ ପ୍ରଥମ ପର୍ଯ୍ୟାୟରେ ୩.୨ ଲକ୍ଷଙ୍କର ଟିକାକରଣ ହେବ, ତେଣୁ ରାଜ୍ୟ ସରକାରଙ୍କ ରହିଥିବା ଭିତ୍ତିଭୂମି‌ରେ ଏ ନେଇ କୌଣସି ସମସ୍ୟା ହେବ ନାହିଁ। ଦେଶରେ ଆସାମ, ଆନ୍ଧ୍ର, ଗୁଜରାଟ ଓ ପଞ୍ଜାବରେ ଟିକାକରଣ ପାଇଁ ଡ୍ରାଏ ରନ୍ କରାଯାଉଛି। ଏସବୁ ରାଜ୍ୟରେ ଡ୍ରାଏ ରନ୍ ଶେଷ ହେବା ପରେ ଓଡ଼ିଶାରେ ମଧ୍ୟ ଡ୍ରାଏ ରନ୍ କରାଯିବ। ମାତ୍ର ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଚିଠି ଜାରି ହୋଇ ନଥିବା ଅଧିକାରୀଜଣକ ସୂଚନା ଦେଇଛନ୍ତି।

ରାଜ୍ୟରେ ଏବେ ଗୋଟିଏ ରାଜ୍ୟସ୍ତରୀୟ ଭ୍ୟାକ୍ସିନ୍ ଷ୍ଟୋର୍‌ ଥିବା ବେଳେ ୯ଟି ଆଞ୍ଚଳିକ ଭ୍ୟାକ୍ସିନ୍ ଷ୍ଟୋର୍‌ ଓ ୩୨ଟି ଷ୍ଟୋର୍‌ ଜିଲ୍ଲାସ୍ତରରେ ରହିଛି। ଏହାସହ ୧୨୨୨କୋଲ୍‌ଡ ଚେନ୍ ପଏଣ୍ଟ ମଧ୍ୟରୁ ୬୮୦ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବା ପିଏଚ୍‌ସି, ୩୮୧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବା ସିଏଚ୍‌ସିରେ ରହିଛି। ଏଥିପାଇଁ ରାଜ୍ୟରେ ୨ଲକ୍ଷ ୯ ହଜାର ୨୭୬ ଟିକାକରଣ ସ୍ଥାନ ଚିହ୍ନଟ କରାଯାଇଥିବା ବେଳେ ଟିକାକରଣରେ ୮,୨୭୬ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହେବେ। ‌ଗୋଟିଏ କେନ୍ଦ୍ରରେ ଭ୍ୟାକ୍ସିନେଟର୍‌, ଭ୍ୟାକ୍ସିନ୍ ଅଧିକାରୀ, ଜଣେ ଭେରିଫାୟାର ଓ ୨ଜଣ ସୁପରଭାଇଜର୍‌ ରହିବେ। ଟିକାକରଣ କେନ୍ଦ୍ରରେ ପ୍ରତୀକ୍ଷାଳୟ, ନିରୀକ୍ଷଣ କୋଠରି ଓ ଟିକାକରଣ କୋଠରିକୁ ମିଶାଇ ସମୁଦାୟ ୩ଟି କକ୍ଷ ରହିବ। ଟିକାକରଣ ପରେ ଜଣକୁ ୩୦ ମିନିଟ୍‌ ଯାଏ ନିରୀକ୍ଷଣରେ ରଖାଯିବ ଓ ପରେ ସାର୍ଟିଫିକେଟ୍ ପ୍ରଦାନ କରାଯିବ।

The post କରୋନା ଟିକାକରଣ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ : ଆସିଲା ୨୧ ଲକ୍ଷ ସିରିଞ୍ଜ, ୨୪ ଆଇଏଲଆର first appeared on Sambad.



from ରାଜ୍ୟ – Sambad https://ift.tt/3rC2QNO

Post a Comment

0 Comments