
ଭୁବନେଶ୍ବର: ଆଇଏଫ୍ଏସ୍ ଅଫିସର ଅଭୟ ପାଠକଙ୍କ ପୁଅ ଆକାଶ ନାମରେ ହୋଇଥିବା ଠକେଇ ମାମଲା ବାବଦରେ କମିସନରେଟ୍ ପୁଲିସ ଆଜି କୋର୍ଟଙ୍କୁ ଅବଗତ କରିଛି। ଖାରବେଳ ନଗର ଥାନା ପକ୍ଷରୁ ଲିଖିତ ଭାବେ ଏହି ମାମଲା ସମ୍ପର୍କରେ ଭୁବନେଶ୍ବର ଏସ୍ଡିଜେଏମ୍ଙ୍କ କୋର୍ଟରେ ଉପସ୍ଥାପନ କରାଯାଇଛି। ସ୍କାଏ କିଙ୍ଗ୍ ସଂସ୍ଥାକୁ ୬୫ ଲକ୍ଷ ଟଙ୍କା ଠକିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହେବା ପରେ ପୁଲିସ ଉଭୟ ବାପ-ପୁଅଙ୍କ ନାମରେ ଏକ ମାମଲା ରୁଜୁ କରିଥିଲା। ଉଭୟ ଜେଲ୍ରେ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ହୋଇନଥିଲା। ଏଣୁ କୋର୍ଟ ଜରିଆରେ ଅଭିଯୁକ୍ତଙ୍କୁ ଅବଗତ କରାଯାଇଛି। ଏହି ଆବେଦନ ଗ୍ରହଣ ହେବା ପରେ ପୁଲିସ ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଆକାଶର ସ୍ପେସିମେନ୍ ଦସ୍ତଖତ ସଂଗ୍ରହ କରାଯାଇଛି। ଏହି ଦସ୍ତଖତ ସହ ଟାଟା ମୋଟର୍ସ ଲେଟର ପ୍ୟାଡ୍ରେ ଥିବା ବିଭିନ୍ନ ଦସ୍ତଖତର ସାମଞ୍ଜସ୍ୟ ପରୀକ୍ଷା କରିବା ପାଇଁ ଫରେନ୍ସିକ୍ ଲ୍ୟାବ୍କୁ ପଠାଯାଇଛି।
ସ୍କାଏ କିଙ୍ଗ୍ ସଂସ୍ଥାର ମ୍ୟାନେଜିଂ ପାର୍ଟନର ପ୍ରଭାସ ଚୌଧୁରୀଙ୍କ ଅଭିଯୋଗ କ୍ରମେ ଖାରବେଳ ନଗର ଥାନାରେ ରୁଜୁ ହୋଇଥିବା ମାମଲାର ଖୋଳତାଡ଼ କରୁ କରୁ ପୁଲିସ ଆଇଏଫ୍ଏସ୍ ଅଫିସର ଅଭୟ ପାଠକଙ୍କ ସମ୍ପୃକ୍ତିର ପ୍ରମାଣ ପାଇଛି। ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଆଇଏଫ୍ଏସ୍ ଅଫିସରଙ୍କ ଘର ବିହାରରେ। ଅଭିଯୋଗକାରୀ ପ୍ରଭାସ ଚୌଧୁରୀଙ୍କ ଘର ମଧ୍ୟ ବିହାରରେ। ଏଣୁ ଉଭୟ ପରିଚିତ। ଏହି ପରିଚୟକୁ ନେଇ ଉଭୟଙ୍କ ମଧ୍ୟରେ କାରବାର ଆରମ୍ଭ ହୋଇଥିଲା। ଅଭୟ ନିଜ ପୁଅକୁ ଟାଟା ମୋଟର୍ସର ମ୍ୟାନେଜର ଭାବରେ ପ୍ରଭାସଙ୍କୁ ପରିଚୟ ଦେଇଥିଲେ। ଅଭୟ ଜଣେ ଆଇଏଫ୍ଏସ୍ ଅଫିସର ହେବା ସହ ପରିଚିତ ଥିବାରୁ ଆକାଶର ବୃତ୍ତିଗତ ଜୀବନକୁ ନେଇ ଅଧିକ ଖୋଳତାଡ଼ କରିନଥିଲେ। ବଡ଼କଥା ହେଲା ପ୍ରଭାସଙ୍କ ସହ ମିଶି ଅଭୟ ଏକ ବଡ଼ ବ୍ୟବସାୟ କରିବେ ବୋଲି ଲୋଭ ଦେଖାଇଥିଲେ। ଏଣୁ ଟଙ୍କା ବାକି ରଖି ଅନେକ ଥର ଆକାଶ ଏହି ସଂସ୍ଥା ଜରିଆରେ ଚାର୍ଟର ଫ୍ଲାଇଟ ବୁକିଂ କରିଥିଲେ। ଅଫିସ୍ କାମରେ ବାହାରକୁ ଯିବାକୁ ପଡ଼ୁଛି ବୋଲି କହି ସେ ଏହି ବୁକିଂ କରୁଥିଲେ।
ସ୍କାଏ କିଙ୍ଗ୍ ଠକେଇ ମାମଲା ବାପା ଅଭୟଙ୍କର ଏହି ସମ୍ପୃକ୍ତି ଜଣାପଡ଼ିବା ପରେ ତାଙ୍କ ପାଇଁ ଅଡ଼ୁଆ ବଢ଼ିଛି। ରିମାଣ୍ଡରେ ଆସିଲେ ଏ ବାବଦରେ ଅଧିକ ତଥ୍ୟ ମିଳିବା ଆଶା ରହିଛି। ରିମାଣ୍ଡ ସମୟରେ ଉଭୟ ବାପା-ପୁଅଙ୍କୁ ସାମ୍ନାସାମ୍ନି ଜେରା କରାଯାଇ ଏହି ଅଭିଯୋଗର ପ୍ରମାଣ ସଂଗ୍ରହ କରିବାକୁ କମିସନରେଟ୍ ପୁଲିସ ଯୋଜନା କରିଛି। ଅଭିଯୋଗ ମୁତାବକ, ଆକାଶ ଗତ ଜୁନ୍ ଠାରୁ ଚଳିତ ମାସ ପର୍ଯ୍ୟନ୍ତ ୨ କୋଟି ୭୮ ଲକ୍ଷ ୩୯ ହଜାର ୮୭ ଟଙ୍କାର ବୁକିଂ କରିଥିବା ବେଳେ ୨ କୋଟି ୧୩ ଲକ୍ଷ ୨୨ ହଜାର ୮ଶହ ୫୪ ଟଙ୍କା ପେମେଣ୍ଟ କରିଥିଲେ। ଅବଶିଷ୍ଟ ଦେୟ ୬୫ ଲକ୍ଷ ୧୬ ହଜାର ୨୩୩ ଟଙ୍କା ଦେଇ ନଥିଲେ। ବାକି ବାକି ଟଙ୍କା ନ ଦେଲେ ଆଉ ଟିକେଟ ବୁକିଂ କରିହେବ ନାହିଁ ବୋଲି ପ୍ରଭାସ କହିବା ପରେ ଆକାଶ ପ୍ରଭାସଙ୍କୁ ହତ୍ୟା ଧମକ ଦେଇଥିଲେ।
The post ପାଠକ ଠକେଇ ମାମଲା: କୋର୍ଟଙ୍କୁ ଅବଗତ କଲା କମିସନରେଟ୍ ପୁଲିସ, ଅଭୟଙ୍କ ସମ୍ପୃକ୍ତିର ପ୍ରମାଣ ଦେଲା first appeared on Sambad.
from ରାଜ୍ୟ – Sambad https://ift.tt/36ZMFS7
0 Comments