ଏମିତି ଚାଲିଛି ରାଉରକେଲା ଆର୍‌ଟିଓ : ସହରରେ ଗାଡିର ରେଜିଷ୍ଟ୍ରେସନ୍‌, ବାହାର ରାଜ୍ୟରେ ତିଆରି ହେଉଛି ଡାଲା!

ରାଉରକେଲା : ରାଉରକେଲା ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) ଗୋଟିଏ ପରେ ଗୋଟିଏ ଦୁର୍ନୀତି ପଦାକୁ ଆସୁଛି। କେତେବେଳେ ବିନା ଟେଣ୍ଡର ଓ ବିଜ୍ଞାପନରେ ମନଇଚ୍ଛା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି ତ ପୁଣି କେତେବେଳେ ବେଆଇନ ଭାବେ ଗାଡିକୁ ଗୁଡ଼ିକୁ ପଞ୍ଜିକରଣ କରି ଦିଆଯାଉଛି। ନିକଟରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ପରିବହନ ବିଭାଗ ସଜାଗ ହୋଇଥିଲା। ବିନା ଅନୁମତିରେ କାମ କରୁଥିବା ପ୍ରାୟ ୧୦ରୁ ଅଧିକ ନକଲି କର୍ମଚାରୀଙ୍କୁ ଅଫିସରୁ ବିଦା କରି ଦିଆଯାଇଥିଲା। ମାତ୍ର ୩/୪ ଦିନ ପରେ ସ୍ଥିତି ଯେମିତିକୁ ସେମିତି। ଯେଉଁମାନଙ୍କୁ ବାହାର କରି ଦିଆଯାଇଥିଲା ସେମାନେ ମଧ୍ୟରୁ କିଛି କର୍ମଚାରୀ ଜୋରଜବରଦସ୍ତ ଅଫିସ୍‌ ଭିତରେ ପଶି କାମ କରୁଛନ୍ତି। ପରିବହନ କର୍ତ୍ତୃପକ୍ଷ କିନ୍ତୁ ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ‌ନ ନେଇ ଚୁପ୍‌ ବସିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ସମ୍ବଲପୁର ଡିସି ଡି.ପାତ୍ର ଏମିତି ଅଭିଯୋଗ ପାଇବା ପରେ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ। ଏହା ସତ୍ବେ ଆର୍‌ଟିଓ ଅଫିସ୍‌ରେ ସ୍ଥାୟୀ କିମ୍ବା ଅସ୍ଥାୟୀ କର୍ମଚାରୀ ନଥିବା କିଛି ବ୍ୟକ୍ତି ଅଧିକାଂଶ ବିଭାଗରେ ସ୍ଥାୟୀ କର୍ମଚାରୀଙ୍କ ଭଳି ବସି କାମ କରୁଛନ୍ତି। ଏଥିରୁ ପରିବହନ ବିଭାଗ କେମିତି ଚାଲିଛି ସ୍ପଷ୍ଟ ବାରି ହୋଇ ପଡୁଛି।

ସେମିତି ପରିବହନ କାର୍ଯ୍ୟାଳୟରେ ଆଉ ସାଂଘାତିକ ଅଭିଯୋଗ ପଦାକୁ ଆସିଛି। ନୂଆ ଟ୍ରକର ଚେଚିସ୍‌ କିଣୁଥିବା ମାଲିକମାନେ ରାଜ୍ୟରେ ପଞ୍ଜିକୃ୍ତ ଡାଲା ନିର୍ମାଣକାରୀ ସଂସ୍ଥାରେ ଡାଲା ତିଆରି କରିବା ଦରକାର। କେବଳ ଏତିକି ନୁହେଁ ଡାଲା କେଉଁ ସଂସ୍ଥାରେ ତିଆରି ହେବ, ତାହାର ଅନୁମତି ସ୍ଥାନୀୟ ଆର୍‌ଟିଓରୁ ନେବା ବାଧ୍ୟତାମୂଳକ। ନ ହେଲେ ଗାଡିର ପଞ୍ଜିକରଣ ହୋଇ ପାରିବ ନାହିଁ। ବିଡମ୍ବନା, ରାଉରକେଲା ଆର୍‌ଟିଓରେ କିନ୍ତୁ ଏହାର ବହୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। ରାଉରକେଲା ଆର୍‌ଟିଓରେ ପଞ୍ଜିକୃତ ‌ହୋଇଥିବା ଅଧିକାଂଶ ଗାଡିର ଡାଲା ଓଡ଼ିଶା ପରିବର୍ତ୍ତେ ଝାଡ଼ଖଣ୍ଡ, ଛତିଶଗଡରେ କରାଯାଇଛି। ଯେଉଁ‌ମାନେ ଡାଲା ତିଆରି କରିବା ପୂର୍ବରୁ ରାଉରକେଲା ଆର୍‌ଟିଓ ଅଫିସରୁ ଟେମ୍ପରାରୀ ନମ୍ବର କିମ୍ବା ଅନୁମତି ନେଇ ନାହାନ୍ତି। ୫୦ କି ୧୦୦ ନୁହେଁ ଏମିତି ପ୍ରାୟ ୫୦୦ରୁ ଅଧିକ ଟ୍ରକ ରାଜ୍ୟ ବାହାରେ ଡାଲା ତିଆରି କରିଛନ୍ତି। ସେସବୁ ଟ୍ରକଗୁଡ଼ିକ ବେଆଇନ ଭାବେ ରାଉରକେଲା ଆର୍‌ଟିଓରେ ପଞ୍ଜିକୃ୍ତ ‌କରାଯାଇଛି । ଗୋଟିଏ ଗାଡି ପିଛା ଡାଲା ତିଆରିରେ ପ୍ରାୟ ୮୩ ହଜାର ଜିଏସ୍‌ଟି ଦେବାକୁ ପଡିଥାଏ। ରାଉରକେଲା ଆର୍‌ଟିଓ ଅଫିସରେ କିଛି କର୍ମଚାରୀ, ଟ୍ରକ ମାଲିକଙ୍କ ସହ ଭିତିରି ସଲାସୁତୁରା କରି ଏସବୁ ବେଆଇନ କାମ କରି ଲକ୍ଷ ଲକ୍ଷ ଟଙ୍କା ଜିଏସ୍‌ଟି ଫାଙ୍କିଛନ୍ତି। ଯାହା ତଦନ୍ତ ସାପେକ୍ଷ।

ଅନୁରୂପ ଭାବେ ସୋ’ରୁମ୍‌ଗୁଡ଼ିକରୁ ମୋଟରବାଇକ, ଅଟୋ, କାର୍‌ ସମେତ ଅନ୍ୟାନ୍ୟ ଗାଡି କିଣିବା ବେଳେ ସୋ’ରୁମ୍‌ ଗୁଡ଼ିକ ଟ୍ରେଡ୍‌ ଲାଇସେନ୍ସ ବାବଦରେ ଫି ଆଦାୟ କରୁଛନ୍ତି। ମୋଟରବାଇକ୍‌, ସ୍କୁଟି ପିଛା ପ୍ରାୟ ୭୦୦ ଟଙ୍କା ଆଦାୟ କରୁଥିବାବେଳେ ଅନ୍ୟଗୁଡ଼ିକରେ ଏହାଠାରୁ ଅଧିକ ଟଙ୍କା ନେଉଛନ୍ତି। କିନ୍ତୁ ଏ ବାବଦରେ ରଶିଦ୍‌ ଦେଉ ନାହାନ୍ତି। ବର୍ଷ ବର୍ଷ ଧରି ଚାଲିଥିବା ଏଭଳି ବେଆଇନ ଅର୍ଥ ଆଦାୟ ରଖିବାକୁ ପରିବହନ କାର୍ଯ୍ୟାଳୟ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଟ୍ରେଡିଂ ଲାଇସେନ୍ସ ବାବଦରେ ଆଦାୟ ହେଉଥିବା ଲକ୍ଷ ଲକ୍ଷ ଟଙ୍କା କେଉଁ ପାଣ୍ଠିକୁ ଯାଉଛି, ତାହାର ଉତ୍ତର କାହାରି ପାଖରେ ନାହିଁ। କେବଳ ଗୋଟିଏ ଦୁଇଟି ଉଦାହରଣ ନୁହେଁ ଏମିତି ଅନେକ ଉଦାହରଣ ରହିଛି। ତେବେ ରାଉରକେଲା ପରିବହନ କାର୍ଯ୍ୟାଳୟରେ ଏସବୁ ଦୁର୍ନୀତି ରୋକିବାକୁ ଜିଲ୍ଲାପାଳ ଧ୍ୟାନ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

The post ଏମିତି ଚାଲିଛି ରାଉରକେଲା ଆର୍‌ଟିଓ : ସହରରେ ଗାଡିର ରେଜିଷ୍ଟ୍ରେସନ୍‌, ବାହାର ରାଜ୍ୟରେ ତିଆରି ହେଉଛି ଡାଲା! first appeared on Sambad.



from ରାଜ୍ୟ – Sambad https://ift.tt/3n9NBJ4

Post a Comment

0 Comments