ପରୀ ଘଟଣାରେ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗ : ସରକାର ନିଷ୍ପତ୍ତି ନ ନେଲେ ରାଜରାସ୍ତାକୁ ଓହ୍ଲାଇବୁ

କଂଗ୍ରେସ-ବିଜେଡି ଏକାଠି ହୋଇ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଛନ୍ତି

ଭୁବନେଶ୍ୱର : ଆଇନ ଆଗରେ ବଡ ସାନର ବିଭେଦ ନାହିଁ। ପରୀ ଗରିବ ଅଟୋ ଡ୍ରାଇଭରର ଝିଅ। ପରୀର ଅପହରଣ ଓ ହତ୍ୟା କ’ଣ ଏକ ଛୋଟ ଘଟଣା? ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ସରକାରଙ୍କୁ ଚାପରେ ରଖିବା ପାଇଁ ବିଧାନସଭାରେ ଲମ୍ବା ସମୟ ଧରି ବିତର୍କର କ’ଣ ଆବଶ୍ୟକ ନଥିଲା? ମାତ୍ର ଶାସକ ବିଜେଡି ଓ କଂଗ୍ରେସର ଏକାଠି ହୋଇ ଏକ ଷଡଯନ୍ତ୍ରର ଅଙ୍ଗ ଭାବେ ଗରିବ ବାପା, ମା’ର ଝିଅ ପରୀକୁ ନ୍ୟାୟ ଦେବା ପରିବର୍ତେ ଅଭିଯୁକ୍ତ ଓ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି। ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ସଙ୍ଗିନ୍ ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ମଧ୍ୟ ଉପସ୍ଥିତ ଥିଲେ।

ବିଜେପି କହିଛି ଯେ ପରୀର ବିବାଦ ଛୋଟ ଝିଅ ଅପହରଣରୁ ଆରମ୍ଭ ହୋଇଛି। ଅପହରଣ ପରେ ହତ୍ୟାର ସଙ୍ଗୀନ ସତ୍ୟ ସାମ୍ନାକୁ ଆସିଛି। ପରୀର ବାପା, ମା’ ତାଙ୍କ ଝିଅର ଆଖି, କିଡ୍‌ନି ଚୋରି ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପରୀର ମରଶରୀର ଉଦ୍ଧାର ହେଲା ବେଳକୁ ସଂପୂର୍ଣ୍ଣ ମିଳାଇଯାଇଥିବା କହି ଝିଅଟିକୁ ଦୁଷ୍କର୍ମ କରାଯାଇଥିଲା କି ନାହିଁ, ତାର ପ୍ରମାଣ ନାହିଁ ବୋଲି ବିଧାନସଭାରେ ଖୋଦ୍ ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ଦେବା ସହ ଅସହାୟତା ପ୍ରକାଶ କରିଛନ୍ତି। ୪ ମାସ ଧରି ପୁଲିସ କ’ଣ ତଦନ୍ତ କରୁଥିଲା? ନୟାଗଡ ପୁଲିସ ଅଭିଯୋଗକାରୀ ପରୀର ବାପା, ମା’ ଓ ଅନ୍ୟମାନଙ୍କର ପଲିଗ୍ରାଫ୍ ଟେଷ୍ଟ କରିଛନ୍ତି। ବାବୁଲି ନାୟକ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ନାମ ପରୀର ବାପା, ମା’ ବାରମ୍ବାର କହିବା ସତ୍ତ୍ବେ କାହିଁକି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ସେହିଭଳି ସ୍ଥାନୀୟ ପୁଲିସ ୫ ଲକ୍ଷ ଟଙ୍କା ନେଇ ପରୀର ବଡବାପା ଓ ବଡମା’ଙ୍କ ନାମରେ ଅଭିଯୋଗ ଆଣିଲେ ପରୀର ମୂର୍ତି ପ୍ରତିଷ୍ଠା ସହ ସ୍କୁଲରେ ପରୀ ନାଁରେ ପୁରସ୍କାର ଦିଆଯିବ ବୋଲି କହି ପ୍ରଭାବିତ କରୁଥିଲେ। ଅପର ପକ୍ଷେ ସ୍ଥାନୀୟ ସରପଞ୍ଚଙ୍କ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଦୁଇଟି ଭାଇରାଲ ଅଡିଓ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଗୋଟିଏ ଅଡିଓରେ ମନ୍ତ୍ରୀ ଶ୍ରୀ ସାହୁ ସରପଞ୍ଚଙ୍କୁ ପରୀ ନ୍ୟାୟ ପାଇଁ ଆନ୍ଦୋଳନ ବନ୍ଦ କରିବାକୁ ଧମକ ଦେଉଛନ୍ତି। ଅନ୍ୟ ଅଡିଓରେ ପରୀର ହତ୍ୟାର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକ ଭୂବନେଶ୍ୱରରେ ତାଙ୍କୁ ସାକ୍ଷାତ କରିଥିବା ନେଇ ମନ୍ତ୍ରୀ ସ୍ପଷ୍ଟ ଭାବେ କହୁଥିବା ଶୁଣାଯାଉଛି। ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବାରମ୍ବାର ଏହି ପ୍ରସଙ୍ଗକୁ ଉଠାଇବା ସତ୍ତ୍ବେ ପରୀ ହତ୍ୟାକାଣ୍ଡରେ ମର୍ମାହତ ବୋଲି ନାଟକ କରୁଥିବା ମନ୍ତ୍ରୀ ଅରୁଣ ସାହୁ ଏହି ଭାଇରାଲ ଅଡିଓ ସଂପର୍କରେ କାହିଁକି ସ୍ପଷ୍ଟୀକରଣ ଦେଉନାହାନ୍ତି ବୋଲି ବିଜେପି ପ୍ରଶ୍ନ କରିଛି।

ବିଜେପି ଆହୁରି କହିଛି ଯେ ରାଜ୍ୟ ସରକାର ଅଙ୍ଗ ତସ୍କରୀ ଘଟଣାରେ ସଂପୂର୍ଣ୍ଣ ହାତ ଟେକି ଦେଇଛନ୍ତି। ପରୀର ବାପା, ମା’ ବାବୁଲି ନାୟକ ଦ୍ୱାରା ଅଙ୍ଗ ତସ୍କରୀ ଓ ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହାୟତା ପ୍ରସଙ୍ଗ ଉଠାଇଛନ୍ତି। ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇ ରାଜ୍ୟ ସରକାର ଓ ତାଙ୍କ ପୋଲିସ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ପରୋକ୍ଷରେ ସ୍ୱୀକାର କରିଛନ୍ତି। ତେଣୁ ନିରପେକ୍ଷ ପରୀ ହତ୍ୟାକାଣ୍ଡ ତଦନ୍ତ କେବଳ ସିବିଆଇ ଦ୍ୱାରା ସମ୍ଭବ। ଏହି ପରିସ୍ଥିତିରେ କ୍ଷମତାଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଛଡା ପରୀ ପରିବାରକୁ ନ୍ୟାୟ ମିଳିବାର ସମ୍ଭାବନା ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ରାଜ୍ୟସରକାର ନିଜ ଜିଦ୍‌ରୁ ନ ଓହରିଲେ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଏବଂ ଡା.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ।

The post ପରୀ ଘଟଣାରେ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗ : ସରକାର ନିଷ୍ପତ୍ତି ନ ନେଲେ ରାଜରାସ୍ତାକୁ ଓହ୍ଲାଇବୁ first appeared on Sambad.



from ରାଜ୍ୟ – Sambad https://ift.tt/36vYRtu

Post a Comment

0 Comments