ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା : ପାଞ୍ଚ ଦିନରେ ୧୮ ଜଣଙ୍କ ବୟାନ ରେକର୍ଡ଼

ବ୍ରହ୍ମପୁର : ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଗୁରୁବାର ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚ ଭୁବନେଶ୍ବରଠାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିବାବେଳେ ବ୍ରହ୍ମପୁରରେ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ତା’ର ତଦନ୍ତ ଜାରି ରଖିଛି। ଗତ ୪ଦିନ ହେଲା କ୍ରାଇମ୍‌ବ୍ରାଞ୍ଚ ବିଭିନ୍ନ ଲୋକଙ୍କୁ ଡାକି ତଥ୍ୟ ସଂଗ୍ରହ କରୁଛି। ଗୁରୁବାର ପଞ୍ଚମ ଦିନରେ ଶୀତଳାପଲ୍ଲୀ ଓ ଟାଟା କଲୋନି ଅଞ୍ଚଳର ୩ଜଣଙ୍କୁ ଡାକରା ହୋଇଥିଲା। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବ୍ରହ୍ମପୁର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଥିବା ଆଇପିଏସ୍‌ ମେସ୍‌ରେ ଏମାନଙ୍କୁ ବିଭିନ୍ନ ଦିଗ ଉପରେ ପଚରାଉଚରା କରିବା ସହ ସମସ୍ତଙ୍କ ବୟାନ୍‌ ରେକର୍ଡ଼ କରିଥିଲା। ଗୁରୁବାର ସୁଦ୍ଧା ପ୍ରାୟ ୧୮ଜଣଙ୍କ ବୟାନ୍‌ ରେକର୍ଡ଼ ହୋଇଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗି ସାରିଲାଣି। କିନ୍ତୁ ସେ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ କି ପୁଲିସ କିଛି ସ୍ପଷ୍ଟ କରୁ ନାହାନ୍ତି।

ଗୁରୁବାର ସମନ୍‌ ପାଇ ୩ଜଣ ଯୁବକ ଏସ୍‌.ପି. ଅଫିସ୍‌ରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ଆଇପିଏସ୍‌ ମେସ୍‌କୁ ଯାଇଥିଲେ। ସେଠାରେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ସେମାନଙ୍କୁ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ନେଣଦେଣ ଉପରେ ପ୍ରଶ୍ନ ପଚାରିଥିଲେ। ପ୍ରାୟ ୩ଘଣ୍ଟା ଧରି ବିଭିନ୍ନ ଦିଗ ଉପରେ ୩ଜଣଙ୍କୁ ପଚରାଉଚରା କରା ଯାଇଥିଲା। ଏହାପରେ ସେହି ୩ଜଣ ଯୁବକ ଦକ୍ଷିଣାଞ୍ଚଳ ରେଞ୍ଜ୍‌ ଡିଆଇଜିଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ମଧ୍ୟ ସେମାନଙ୍କୁ ପଚରାଉଚରା କରା ଯାଇଥିବା ଜଣାପଡ଼ିଛି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଗତ ୨୯ ତାରିଖରୁ ବ୍ରହ୍ମପୁରରେ ଡେରା ପକାଇଛି। ଆଇଏଫ୍‌ଏସ୍ ଅଫିସର‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମ୍‌ଡି ପରିଚୟ ଦେଇ ଗୋପାଳପୁର ନିର୍ବାଚନମଣ୍ଡଳୀର ପ୍ରାୟ ୬୮ଜଣ ଯୁବକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଟାଟା ମୋଟର୍ସ ତରଫରୁ ଗତ କିଛି ମାସ ତଳେ କ୍ରାଇମ୍‌ବ୍ରାଞ୍ଚ ନିକଟରେ ଅଭିଯୋଗ ହୋଇଥିଲା। ଠକେଇର ଶିକାର ହୋଇଥିବା ୬୮ଜଣ ଯୁବକଙ୍କ ମଧ୍ୟରୁ ବହୁ ଯୁବକଙ୍କୁ କ୍ରାଇମ୍‌ବ୍ରାଞ୍ଚ ଚିହ୍ନଟ କରି ସେମାନଙ୍କ ବୟାନ୍‌ ରେକର୍ଡ଼ କରିବା ସହ ତାଙ୍କର ବ୍ୟାଙ୍କ୍‌ ଆକାଉଣ୍ଟ୍‌ ବିବରଣୀ ଯାଞ୍ଚ୍‌ କରିଛି। ସେପଟେ ବିଧାୟକ ପ୍ରଦୀପଙ୍କ କିଛି ଘନିଷ୍ଠ ଅନୁଗତ ମଧ୍ୟ ଜେରାର ସମ୍ମୁଖୀନ ହୋଇଛନ୍ତି।

The post ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା : ପାଞ୍ଚ ଦିନରେ ୧୮ ଜଣଙ୍କ ବୟାନ ରେକର୍ଡ଼ first appeared on Sambad.



from ରାଜ୍ୟ – Sambad https://ift.tt/2VzV5Jj

Post a Comment

0 Comments