ବୌଦ୍ଧରେ ଦୁଇଟି ଅଭାବନୀୟ ଘଟଣା: ବାଇକ୍ ଚାଳକଙ୍କ ମୃତ୍ୟୁ, ଟ୍ରାକ୍ଟର ଚକା ତଳେ ଚାପି ହୋଇଗଲେ ଚାଷୀ

ବାଉଁଶୁଣି: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅଞ୍ଚଳରେ ଦୁଇଟି ଦୁର୍ଘଟଣା ଘଟିଛି। ବାଉଁଶୁଣି ହୋଣ୍ଡା ସୋରୁମ ସାମ୍ନାରେ ଠିଆ ହୋଇଥିବା ଏକ ଟ୍ରକ ପଛରେ ସୋନପୁର ଅଭିମୁଖେ ଯାଉଥିବା ଏକ ବାଇକ (ଓଡି ୨୭ଏ -୧୮୧୨) ପିଟି ହୋଇ ଘଟଣା ସ୍ଥଳରେ ହିଁ ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣାଟି ଘଟିଥିବା କୁହାଯାଉଛି। ଚାଳକର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଖବର ପାଇ ବାଉଁଶୁଣି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବାଉଁଶୁଣି ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲା। ପୁଲିସ ତଦନ୍ତ ଜାରି ରଖିଛି।

ଏଣେ ବାଉଁଶୁଣି ଥାନା ଅନ୍ତର୍ଗତ ପୁରଣାବହିରା ଗ୍ରାମରେ ଟ୍ରାକ୍ଟର ଚକା ତଳେ ଚାପି ହୋଇ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତକଙ୍କ ନାମ ପଦୁ ସାହୁ ବୋଲି ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳ ୫ଟାରେ ପଦୁ ସାହୁ(୩୫) ସାନ ଭାଇଙ୍କ ସହ ନିଜ ଖଳାରେ ଟ୍ରାକ୍ଟରରେ ଧାନ ମଡ଼ାଉଥିଲେ । ଉକ୍ତ ସମୟରେ ଅସାବଧାନତା କାରଣରୁ ସେ ଟ୍ରାକ୍ଟର ଚକା ତଳେ ଚାପି ହୋଇଗଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ବାଉଁଶୁଣି ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଜଣାଯାଇଛି।

The post ବୌଦ୍ଧରେ ଦୁଇଟି ଅଭାବନୀୟ ଘଟଣା: ବାଇକ୍ ଚାଳକଙ୍କ ମୃତ୍ୟୁ, ଟ୍ରାକ୍ଟର ଚକା ତଳେ ଚାପି ହୋଇଗଲେ ଚାଷୀ first appeared on Sambad.



from ରାଜ୍ୟ – Sambad https://ift.tt/3mg2qIR

Post a Comment

0 Comments