ବାହାଘର ପାଇଁ ଭଡ଼ା ନେଲେ, ଚାଳକ ମୁଣ୍ଡରେ ବନ୍ଧୁକ ଲଗାଇଲେ

ଭୁବନେଶ୍ୱର : ବାହାଘର ଅଛି କହି ଭୁବନେଶ୍ବରରୁ କାର୍‌ ଭଡ଼ା ନେଲେ। ଚାଳକ ମୁଣ୍ଡରେ ବନ୍ଧୁକ ଲଗାଇ ଜଙ୍ଗଲକୁ ନେଇଗଲେ। ରାତି ଅଧରେ ମାରଣାସ୍ତ୍ର କାରବାର କଲେ। ଟିକିଏ ସମୟ ପାଇ ଚାଳକ ମାଲିକଙ୍କୁ ଜଣାଇଲା। ଗାଡ଼ିରେ ଲାଗିଥିବା ଜିପିଏସ୍‌ ଟ୍ରାକ୍‌ କରି ଗାଡ଼ିର ଅବସ୍ଥିତି ଜାଣିବା ପରେ ଗାଡ଼ି ମାଲିକ ପୁଲିସକୁ ଖବର ଦେଲେ। ବୌଦ୍ଧ ପୁଲିସ ନାକାବନ୍ଦୀ କରି ଗାଡ଼ିକୁ ଧରିବା ସହ ୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ପିସ୍ତଲ, ଦୁଇଟି ଭୁଜାଲି, ୧୦ଟି ମୁଖା ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଗାଡ଼ି ଭଡ଼ାରେ ନେଇଥିବା ଏହି ୮ ଜଣଙ୍କ ନାମରେ ବିଭିନ୍ନ ଥାନାରେ ଡକାୟତି ମାମଲା ଥିବା ପୁଲିସର ଖୋଳତାଡ଼ ବେଳେ ଜଣାପଡ଼ିଛି। ଏଭଳି ଏକ ନାଟକୀୟ ଢଙ୍ଗରେ ଆଜି ସକାଳେ ବୌଦ୍ଧ ପୁଲିସକୁ ସଫଳତା ମିଳିଛି। ଗାଡ଼ିରେ ଲାଗିଥିବା ଜିପିଏସ୍‌ ୮ ଡକାୟତଙ୍କୁ ଧରାଇବା ଦେବା ସହ ଚାଳକଙ୍କ ଜୀବନକୁ ମଧ୍ୟ ବଞ୍ଚାଇ ଦେଇଛି। ସମସ୍ତ ଅଭିଯୁକ୍ତଙ୍କୁ ବୌଦ୍ଧ ପୁଲିସ ମାରାଥନ୍‌ ଜେରା କରୁଛି।

ସୂଚନା ମୁତାବକ, ଗତ ୧୧ ତାରିଖ ଦିନ ୟୁନିଟ୍‌-୪ରେ ଥିବା ମିଶ୍ର ଟ୍ରାଭେଲ୍ସରୁ ୭ ଜଣ ଯୁବକ ଏକ ଇନୋଭା ଗାଡ଼ି (ଓଡି୦୨ବି- ୭୧୧୧) ବୁକିଂ କରିଥିଲେ। ଚୁକ୍ତି ଥିଲା କି ବଲାଙ୍ଗୀର ଯାଇ ଏକ ବାହାଘର ଭୋଜିରେ ଯୋଗଦେଇ ଫେରିବେ। ୧୧ ତାରିଖ ରାତିରେ ଏଠାରୁ ଗାଡ଼ି ବାହାରିଥିଲା। ସେମାନେ ବଲାଙ୍ଗୀର ନ ଯାଇ ଅନ୍ୟ ଏକ ରାସ୍ତାରେ ପ୍ରାୟ ୨ଶହ କିଲୋମିଟର ଯିବାକୁ କହିଥିଲେ। ୨ଶହ କିଲୋମିଟର ଭିତରକୁ ଯିବା ପରେ ସେମାନେ ନାରାୟଣପାଟଣା ପାଖାପାଖି ପହଞ୍ଚିଥିଲେ। ସେତେବେ‌ଳକୁ ୧୨ ତାରିଖ ରାତି ୮ଟା ହୋଇଯାଇଥିଲା। ସେଠାରେ ୪ ଜଣ ଲୋକଙ୍କ ଠାରୁ ବନ୍ଧୁକ, ଭୁଜାଲି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଆଣିଥିଲେ। ଏହା ଦେଖିବା ପରେ ଚାଳକ ମାଲିକଙ୍କୁ ଫୋନ୍‌ କରି ସୂଚନା ଦେଇଥିଲେ। ବିଳମ୍ବ ହେଉଥିବା ଦର୍ଶାଇ ଚାଳକ ଫେରିଯିବା ପାଇଁ କହିବାରୁ ସେମାନେ ତା’ ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା କରିବା ପାଇଁ ଧମକ ଦେଇଥିଲେ। ତା’ ଠାରୁ ମୋବାଇଲ ମଧ୍ୟ ଛଡ଼ାଇ ନେଇଗଲେ। ଏଣୁ ବାଧ୍ୟ ହୋଇ ଚାଳକ ତାଙ୍କ କହିବା ଅନୁସାରେ ଗାଡ଼ି ଚଳାଇବାକୁ ବାଧ୍ୟ ହେଲେ।

ଏଣେ ଏଭଳି ଖବର ପାଇ ମାଲିକଙ୍କର ମଥା ଘୂରିଗଲା। ଗାଡ଼ି ମାଲିକ କନକ ଟିଭି ରିପୋର୍ଟର ସୌଭାଗ୍ୟ ପରିଡ଼ାଙ୍କ ପାଖରେ ପହଞ୍ଚିଥିଲେ। ଗାଡ଼ିରେ ଲାଗିଥିବା ଜିପିଏସ୍‌ ବ୍ୟବସ୍ଥାକୁ ମୋବାଇଲରେ ଖୋଲିବା ପରେ ଗାଡ଼ି ବୌଦ୍ଧରେ ଥିବା ଜଣାପଡ଼ିଥିଲା। ଏହା ପରେ ବୌଦ୍ଧ ଏସ୍‌ପିଙ୍କୁ ଯୋଗାଯୋଗ କରାଯାଇଥିଲା। ଗାଡ଼ିର ଅବସ୍ଥିତି ବାବଦରେ ମଧ୍ୟ ଅବଗତ କରାଯାଇଥିଲା। ଜିପିଏସ୍‌ ଟ୍ରାକିଂ ଆଧାରରେ ବୌଦ୍ଧ ପୁଲିସ ଗାଡ଼ିକୁ ପିଛା କରିଥିଲା। ସେତେବେଳକୁ ଗାଡ଼ି ପୁରୁଣା କଟକରୁ ଚାରିଛକ ଆଡ଼କୁ ଯାଉଥିଲା। ଗାଡ଼ିର ଗତି ପ୍ରତି ଘଣ୍ଟା ୧୨୦ କିମି ରହିଥିଲା। ପୁଲିସ ସଦଳବଳ ଚାରିଛକରେ ପହଞ୍ଚି ବାରିକେଡ୍‌ ଲଗାଇ ନାକାବନ୍ଦୀ କରିଥିଲା। ଆଗରେ ନାକାବନ୍ଦୀ ଦେଖି ଅଭିଯୁକ୍ତମାନେ ଗାଡ଼ି ପଛକୁ ବୁଲାଇ ପଳାଇବାକୁ କହିଥିଲେ। ଗାଡ଼ି ବୁଲିବା ବେଳକୁ ପଛରୁ ଆଉ ଦୁଇଟି ପିସିଆର ଭ୍ୟାନ୍‌ ଆସି ଯାଇଥିଲା। ଏଣୁ ଖସିବାକୁ ଆଉ ବାଟ ନଥିଲା। ପୁଲିସ ହାତରେ ସମସ୍ତେ ଧରା ପଡ଼ିଥିଲେ।

ଏ ନେଇ ବୌଦ୍ଧ ଏସ୍‌ପି ରଘୁନାଥ ରାଓ କହିଛନ୍ତି, ସେମାନଙ୍କୁ ପଚରା ଉଚରା ହେଉଛି। ଭୁଜାଲି ଓ ବନ୍ଧୁକ ମିଳିଥିବାରୁ ଏମାନେ ଡକାୟତି କରିବା ଯୋଜନା କରିଥିବା ସ୍ପଷ୍ଟ ହୋଇଛି। ଏମାନଙ୍କ ନାମରେ ଖୋର୍ଦ୍ଧା, ଜଙ୍କିଆ, ନୟାଗଡ଼, ରଣପୁର ପ୍ରଭୃତି ଥାନାରେ ଡକାୟତି ମାମଲା ରହିଛି। ପୂର୍ବରୁ ଏମାନେ ଏଭଳି ଚାଳକଙ୍କୁ ଅପହରଣ କରି ଗାଡ଼ି ଚୋରି ମଧ୍ୟ କରିଥିବା ଆଶଙ୍କା କରାଯାଉଛି। ଏଯାବତ୍‌ ଲିଖିତ ଅଭିଯୋଗ ହୋଇନାହିଁ। ମାଲିକ ପହଞ୍ଚିବା ପରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଶ୍ରୀ ରାଓ କହିଛନ୍ତି।

The post ବାହାଘର ପାଇଁ ଭଡ଼ା ନେଲେ, ଚାଳକ ମୁଣ୍ଡରେ ବନ୍ଧୁକ ଲଗାଇଲେ first appeared on Sambad.



from ରାଜ୍ୟ – Sambad https://ift.tt/381eMzx

Post a Comment

0 Comments