ବିଜୁଙ୍କ ନାମରେ ପାରାଦୀପ ବନ୍ଦର ନାମିତ ଦାବିକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ

ଭୁବନେଶ୍ବର: ପାରାଦୀପ ବନ୍ଦରକୁ ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବା ପାଇଁ ଓଡ଼ିଶାର ରାଜ୍ୟସଭା ଏମ୍‌ପିମାନେ ଦାବି କରିଥିଲେ। କିନ୍ତୁ ଏମ୍‌ପିମାନଙ୍କ ଏହି ଦାବିକୁ କେନ୍ଦ୍ର ପକ୍ଷରୁ ପ୍ରତ୍ୟାଖ୍ୟାନ କରି ଦିଆଯାଇଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ, ଜଳପଥ (ସ୍ବାଧୀନ) ଏବଂ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ମଣ୍ଡଭିୟା ଏହି ମର୍ମରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିକଟକୁ ‌ଏକ ଚିଠି ଲେଖିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ ଗତ ସେପ୍ଟେମ୍ବର ୨୧ ତାରିଖରେ ରାଜ୍ୟସଭାର ୨୫୨ତମ ଅଧିବେଶନର ଶୂନ୍ୟ କାଳରେ ଆପଣ ପାରାଦୀପ ବନ୍ଦର ଟ୍ରଷ୍ଟର ନାମ ପରିବର୍ତ୍ତନ କରି ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବା ପାଇଁ ଦାବି କରିଥିଲେ। ତେବେ ଏହି ବିଷୟର ଅନୁଧ୍ୟାନ ମୁଁ କରିବା ପରେ ଜାଣିବାକୁ ପାଇଛି ଯେ ଏ ନେଇ କୌଣସି ପ୍ରସ୍ତାବ ମନ୍ତ୍ରାଳୟ ନିକଟରେ ନାହିଁ। ଏହି ଚିଠିର ନକଲ ରାଜ୍ୟସଭାର ୫ ଜଣ ଏମପିଙ୍କ ନିକଟକୁ ପଠାଯାଇଛି। ସେମାନେ ହେଲେ ଆନନ୍ଦ ଶର୍ମା, ଡ ଅମର ପଟ୍ଟନାୟକ, ଡ ସସ୍ମିତ ପାତ୍ର, ଭାସ୍କର ରାଓ ନେକାନ୍ତି ଓ ମନୋଜ କୁମାର ଝା।

The post ବିଜୁଙ୍କ ନାମରେ ପାରାଦୀପ ବନ୍ଦର ନାମିତ ଦାବିକୁ କେନ୍ଦ୍ରର ପ୍ରତ୍ୟାଖ୍ୟାନ first appeared on Sambad.



from ରାଜ୍ୟ – Sambad https://ift.tt/2LMaGnr

Post a Comment

0 Comments