ଓଡ଼ିଶା କ୍ୟାରିଅର୍‌ ପୋର୍ଟାଲ୍‌ର ଶୁଭାରମ୍ଭ, ୫୫୦ରୁ ଅଧିକ ବୃତ୍ତି ବା ଧନ୍ଦା ସମ୍ବନ୍ଧୀୟ ତଥ୍ୟ ରହିଛି

ଭୁବନେଶ୍ୱର: ୟୁନିସେଫ୍‌ ସହଯୋଗରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା କ୍ୟାରିଅର୍‌ ପୋର୍ଟାଲ୍‌ର ଶୁଭାରମ୍ଭ ହୋଇଛି। ଏହାଦ୍ବାରା ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକସ୍ତରର ଛାତ୍ରଛାତ୍ରୀ ସେମାନଙ୍କ ଭବିଷ୍ୟତ ବୃତ୍ତିଗୁଡ଼ିକ ସମ୍ବନ୍ଧରେ ଜାଣିବା ସହ ବିଶେଷଜ୍ଞଙ୍କ ପରାମର୍ଶ ପାଇପାରିବେ। ଛାତ୍ରଛାତ୍ରୀ ନିଜର ଲଗ୍‌ଇନ୍‌ ଆଇଡି ଓ ପାସ୍‌ୱାର୍ଡ ମାଧ୍ୟମରେ https://ift.tt/38yV6mN କୁ ଲଗ୍‌ଇନ୍‌ କରି ଏହି ସହାୟତା ପାଇପାରିବେ। ଏହାଦ୍ବାରା ପିଲାମାନେ ବିଭିନ୍ନ ବୃତ୍ତି ଓ ଶିକ୍ଷାନୁଷ୍ଠାନ ସମ୍ବନ୍ଧରେ ଜାଣିବେ। ଶିକ୍ଷକଙ୍କ ସହିତ ସିଧାସଳଖ କଥାବାର୍ତ୍ତା ମଧ୍ୟ କରିପାରିବେ। ଏହି ପୋର୍ଟାଲ୍‌କୁ ବ୍ୟବହାର କରିବା ପାଇଁ ପ୍ରସ୍ତୁତ ହୋଇଥିବା ଏକ ମୋବାଇଲ୍‌ ଉପଯୋଗୀ ଆପ୍‌କୁ ପ୍ରୟୋଗ କରି ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ।

ଏହି ପୋର୍ଟାଲ୍‌ ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯାଇଛି। ବିଭିନ୍ନ ବୃତ୍ତି ଓ ସେଗୁଡ଼ିକ ସହ ଜଡ଼ିତ ଥିବା ମହାବିଦ୍ୟାଳୟ, ଧନ୍ଦାମୂଳକ ଶିକ୍ଷାନୁଷ୍ଠାନ ଏବଂ ସେଥିପାଇଁ ରହିଥିବା ପ୍ରବେଶିକା ପରୀକ୍ଷା ତଥା ବୃତ୍ତିଗୁଡ଼ିକ ସମ୍ବନ୍ଧରେ ସଂପୂର୍ଣ୍ଣ ଭାବେ ସୂଚନା ପ୍ରଦାନ କରିବ। ଏହି ପୋର୍ଟାଲ୍‌ରେ ୫୫୦ରୁ ଅଧିକ ବୃତ୍ତି ବା ଧନ୍ଦା ସମ୍ବନ୍ଧୀୟ ତଥ୍ୟ ରହିଛି। ଏହାର ଉପଯୋଗ କରି ୨ ଲକ୍ଷ ୬୨ ହଜାର ୨୦୦ରୁ ଅଧିକ ମହାବିଦ୍ୟାଳୟ ଓ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନ ବିଷୟରେ ଛାତ୍ରଛାତ୍ରୀ ଜାଣିପାରିବେ। ଏଥିସହ ରାଜ୍ୟ ଓ ଦେଶରେ ଥିବା ୧୭୦୦ରୁ ଅଧିକ ନିମ୍ନ ସ୍ନାତକ, ସ୍ନାତକୋତ୍ତର ମହାବିଦ୍ୟାଳୟ, ଧନ୍ଦାମୂଳକ ଶିକ୍ଷାନୁଷ୍ଠାନ ବିଷୟରେ ସବିଶେଷ ତଥ୍ୟ ପାଇପାରିବେ। ଏହାବ୍ୟତୀତ ୧୧୫୦ଟି ପ୍ରବେଶିକା ପରୀକ୍ଷା ଓ ଆବେଦନ ପ୍ରଣାଳୀ ବିଷୟରେ ମଧ୍ୟ ଜାଣିହେବ। ପ୍ରଦତ୍ତ ଧନ୍ଦାଗୁଡ଼ିକ ସଂଲଗ୍ନ ୧୧୨୦ଟି ଛାତ୍ରବୃତ୍ତି, ପ୍ରତିଯୋଗିତାମୂଳକ ପରୀକ୍ଷା, ଦେଶ ଓ ଦେଶ ବାହାରେ ଉଚ୍ଚଶିକ୍ଷା ନିମନ୍ତେ ଥିବା ଫେଲୋସିପ୍‌ଗୁଡ଼ିକ ସମ୍ବନ୍ଧରେ ମଧ୍ୟ ସବିଶେଷ ବିବରଣୀ ମିଳିବ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ପୋର୍ଟାଲ୍‌ର ଶୁଭାରମ୍ଭ କରି କହିଲେ ଏହା ଅଦ୍ୱିତୀୟ ଓ ସମୟୋପଯୋଗୀ। ଏହାର ସମସ୍ତ ପାଠ୍ୟ ବିଷୟଗୁଡ଼ିକରେ ଆଞ୍ଚଳିକ ଭାବାପନ୍ନତା ଓ ସାଂପ୍ରତିକତା ବଜାୟ ରହିଛି। ଛାତ୍ରଛାତ୍ରୀ ଏହାର ଡ୍ୟାସ୍‌ବୋର୍ଡକୁ ଖୁବ୍‌ ସହଜରେ ନିଜର ଆଇଡି ଦ୍ୱାରା ଲଗ୍‌ଇନ୍‌ କରି ଖୋଲିପାରିବେ। ଆବଶ୍ୟକୀୟ ସୂଚନା ପାଇବା ସହ ତତ୍‌ସମ୍ବନ୍ଧୀୟ ନିଜର ସନ୍ଦେହମୋଚନ କରିପାରିବେ। ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ, ଓସେପା ରାଜ୍ୟ ପ୍ରକଳ୍ପ ସଂଯୋଜକ ଭୂପିନ୍ଦର ସିଂ ପୁନିଆ ଯୋଗଦେଇ କହିଲେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଜୀବନରେ ଏହା ବ୍ୟାପକ ସକାରାତ୍ମକ ପ୍ରଭାବ ପକାଇବ। ଏଥିସହ ବିଶ୍ୱବ୍ୟାପୀ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଛାତ୍ରଛାତ୍ରୀଙ୍କ ବିକାଶର ଆବଶ୍ୟକତା ଓ ବୃତ୍ତିଗତ ଚିନ୍ତାଧାରାକୁ ସମାଧାନ କରିବ। ୟୁନିସେଫ୍‌ କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ଡ. ମୋନିକା ନେଲ୍‌ସନ୍‌ କହି‌ଲେ ଏହି ପୋର୍ଟାଲ୍‌ ରାଜ୍ୟର ମାଧ୍ୟମିକ ସ୍ତରର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରୁ ବାହାରି କର୍ମ ଜଗତରେ ପ୍ରବେଶ କରିବା ପାଇଁ ଉଚ୍ଚତର ଅଧ୍ୟୟନ କରିବା ନିମନ୍ତେ ଏକ ଉଲ୍ଲେଖନୀୟ ମାଧ୍ୟମ ରୂପେ କାର୍ଯ୍ୟ କରିବ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଶାସନ ସଚିବ ରଘୁରାମ ଆୟାର, ଲଳିତା ପଟ୍ଟନାୟକ, ଆରତି ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

The post ଓଡ଼ିଶା କ୍ୟାରିଅର୍‌ ପୋର୍ଟାଲ୍‌ର ଶୁଭାରମ୍ଭ, ୫୫୦ରୁ ଅଧିକ ବୃତ୍ତି ବା ଧନ୍ଦା ସମ୍ବନ୍ଧୀୟ ତଥ୍ୟ ରହିଛି first appeared on Sambad.



from ରାଜ୍ୟ – Sambad https://ift.tt/3pmOvmf

Post a Comment

0 Comments