ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ, ଶ୍ରୀମନ୍ଦିର ଢାଞ୍ଚାରେ ସଂସ୍କାର

ଭୁବନେଶ୍ବର: ଏଣିକି ଆଉ ଦେବୋତ୍ତର ବିଭାଗ ଅଧୀନରେ ଲିଙ୍ଗରାଜ ମନ୍ଦିର ପରିଚାଳିତ ହେବ ନାହିଁ। ଶ୍ରୀଲିଙ୍ଗରାଜ ମନ୍ଦିରର ପରିଚାଳନା ପାଇଁ ସ୍ବତନ୍ତ୍ର ଆଇନ୍‌ ପ୍ରଣୟନ କରାଯାଇଛି। ସରକାରଙ୍କ ଦ୍ବାରା ନିଯୁକ୍ତ ଜଣେ ମୁଖ୍ୟ ପ୍ରଶାସକ ହିଁ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନାର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ପୁରୀ ଶ୍ରୀମନ୍ଦିର ପରିଚାଳନା ପାଇଁ ଯେପରି ବ୍ୟବସ୍ଥା ରହିଛି, ସେହି ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ପରିଚାଳନା କରିବାକୁ ନୂଆ ଆଇନ୍‌ରେ ବ୍ୟବସ୍ଥା ରହିଛି। ଆଇନ୍‌କୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସରକାର ଅଧ୍ୟାଦେଶ ଜାରି କରିବାକୁ ସ୍ଥିର କରିଛନ୍ତି। ଆଜି ଏହି ଅଧ୍ୟାଦେଶକୁ କ୍ୟାବିନେଟ୍‌ ମୋହର ବାଜିଛି। ୧୨ ଦିନ ତଳେ ଅର୍ଥାତ୍ ଡିସେମ୍ବର ୨ ତାରିଖରେ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଏକାମ୍ର କ୍ଷେତ୍ର ସ୍ଥିତି ଅନୁଧ୍ୟାନ ବେଳେ ସେବାୟତମାନେ ଶ୍ରୀମନ୍ଦିର ଢାଞ୍ଚାରେ ଶ୍ରୀଲିଙ୍ଗରାଜ ମନ୍ଦିର ଆଇନ କରିବାକୁ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀ ଜରୁର୍ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଉ ଆଜି ପ୍ରତିଶ୍ରୁତି ରଖିବାକୁ ଯାଇ ନୂଆ ଆଇନକୁ ଅଧ୍ୟାଦେଶ ବଳରେ ତତ୍କାଳ କାର୍ଯ୍ୟକାରୀ କରିବା ଲାଗି ସରକାର ବାଟ ଖୋଲିଛନ୍ତି। ସରକାର ଏକଥା ବି ଆଶ୍ବାସନା ଦେଇଛନ୍ତି ଯେ ସେବାୟତଙ୍କ କଲ୍ୟାଣ ଓ ସେମାନଙ୍କ ଅଧିକାର ସୁରକ୍ଷିତ ରହିବ। ନୂଆ ଆଇନରେ ଲିଙ୍ଗରାଜ ମନ୍ଦିର ଓ ଏହାର ସମ୍ପତ୍ତି, ମନ୍ଦିର ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ ଓ ମଠ ସମ୍ପର୍କିତ ବ୍ୟାପାରଗୁଡ଼ିକର ପରିଚାଳନା ଭାର ଶ୍ରୀମନ୍ଦିର ଢାଞ୍ଚାରେ ଏକ ସ୍ବତନ୍ତ୍ର କମିଟିକୁ ଯିବ। ଏହାଦ୍ବାରା ମନ୍ଦିରର କାର୍ଯ୍ୟଗୁଡ଼ିକର ଉତ୍ତମ ଓ ଠିକ୍ ପରିଚାଳନା ହେବା ସହିତ ତୀର୍ଥଯାତ୍ରୀ, ଭକ୍ତ ଓ ଉପାସକମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ହେବ। ଏହା ମଧ୍ୟ ମନ୍ଦିରର ସମ୍ପତ୍ତି ସୁରକ୍ଷିତ ରଖିବା ପାଇଁ କମିଟିକୁ ସଶକ୍ତ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ଅଧ୍ୟାଦେଶରେ ମନ୍ଦିରର ସୁପରିଚାଳନା ନିମନ୍ତେ ବିସ୍ତୃତ ଭାବରେ ବ୍ୟବସ୍ଥା କରାଯାଇଛି। ପରିଚାଳନା କମିଟି ଗଠନ, କମିଟିର ସଭ୍ୟ ସଂଖ୍ୟା, କମିଟିର ଦାୟିତ୍ବ ଓ କ୍ଷମତା, ପରିଚାଳକଙ୍କ କ୍ଷମତା ଓ ଦାୟିତ୍ବ, ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସୁରକ୍ଷା ଓ ପରିଚାଳନା, ସେବକମାନଙ୍କର ଭୂମିକା ଓ ଦାୟିତ୍ବ, ମନ୍ଦିର ପାଣ୍ଠିର ଗଠନ ଓ ପରିଚାଳନା ଇତ୍ୟାଦି ପାଇଁ ସମସ୍ତ ବ୍ୟବସ୍ଥ‌ା ରହିଛି।

ଏହା ବାଦ୍ ନିକଟ ଅତୀତରେ ଲିଙ୍ଗରାଜ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଅନେକ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ଏସବୁ ମଧ୍ୟ ନୂଆ ଆଇନ୍‌ ବଳରେ ଅଗ୍ରାଧିକାର ଭିତ୍ତିରେ କରାଯିବ ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ୍‌ ପ୍ରସ୍ତୁତ କରିବାକୁ ସରକାର ଗତ ବର୍ଷ ଘୋଷଣା କରିଥିଲେ। ଏଥିପାଇଁ ବିଭିନ୍ନ ପର୍ଯ୍ୟାୟରେ ଆଇନ ବିଭାଗର ପ୍ରସ୍ତୁତି ବୈଠକ ହୋଇଥିଲା।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ରେ ଏହି ଅଧ୍ୟାଦେଶ ପ୍ରସ୍ତାବ ପାରିତ ହେଲା ପରେ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ତାହାକୁ ସ୍ବାଗତ କରାଯାଇଛି। ଲିଙ୍ଗରାଜ ମନ୍ଦିର ସାମ୍ନାରେ ଶହ ଶହ ଲୋକ ଦୀପ ଜଳାଇ ସରକାରଙ୍କ ଏହି ନିଷ୍ପତ୍ତିକୁ ଏକ ଉତ୍ସବ ଭଳି ପାଳନ କରିଛନ୍ତି। ସମୂହ ଦୀପ ଦାନ କରି ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯାଇଥିଲା। ଆଇନ ମନ୍ତ୍ରୀ ପ୍ରତାପ ଜେନା, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଲୋକଙ୍କ ସହ ସାମିଲ ହୋଇ ଦୀପ ଦାନ କରିଥିଲେ।

The post ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ, ଶ୍ରୀମନ୍ଦିର ଢାଞ୍ଚାରେ ସଂସ୍କାର first appeared on Sambad.



from ରାଜ୍ୟ – Sambad https://ift.tt/3mlFIz0

Post a Comment

0 Comments