ପୂରଣ ହେବ ୯୭୨ ଅଧ୍ୟାପକ ପଦ, ୮୦ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ବଣ୍ଟନ

ଭୁବନେଶ୍ବର: ଡିଗ୍ରି କଲେଜଗୁଡ଼ିକରେ ଖାଲି ଥିବା ଅଧ୍ୟାପକ ପଦ ପୂରଣ ଦିଗରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୨୦୧୬ରୁ ଆଜି ସୁଦ୍ଧା ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ୨୪୦୩ ଜଣ ଅଧ୍ୟାପକଙ୍କୁ ରାଜ୍ୟ ସିଲେକ୍ସନ୍‌ ବୋର୍ଡ ମାଧ୍ୟମରେ ଚୟନ କରାଯାଇ ନିଯୁକ୍ତି ଦିଆଯାଇଛି। ଏଥିସହ ଆଉ ୯୭୨ଟି ଅଧ୍ୟାପକ ପଦ ପୂରଣ ପାଇଁ ପ୍ରାର୍ଥୀ ଚୟନ ଲାଗି ରାଜ୍ୟ ସିଲେକ୍ସନ୍‌ ବୋର୍ଡକୁ ସୁପାରିସ କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। କୃଷି ଭବନରେ ନବନିଯୁକ୍ତ ୮୦ ଜଣ ଅଧ୍ୟାପକ ଅଧ୍ୟାପିକାଙ୍କ ନିମନ୍ତେ ଆୟୋଜିତ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଲେ ଛାତ୍ରଛାତ୍ରୀ ଶିକ୍ଷକଙ୍କ ଦ୍ୱାରା ବହୁ ମାତ୍ରାରେ ପ୍ରଭାବିତ ହୋଇଥାନ୍ତି। ସେହି ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କୁ ଗଢ଼ିବା ଦିଗରେ ଅଧ୍ୟାପକ ଅଧ୍ୟାପିକା ଅଧିକ ଯତ୍ନବାନ ହେବା ଆବଶ୍ୟକ। ଶିକ୍ଷକମାନେ ଛାତ୍ର ଗଢ଼ିବା ସହ ଦେଶ ଗଢ଼ିଥା’ନ୍ତି। ସତ୍ୟକୁ ଉନ୍ମୋଚିତ କରିବା ପାଇଁ ଐତିହାସିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତ୍ୟେକ ଜିନିଷର ଏକ ଇତିହାସ ରହିଛି। ତେଣୁ ଇତିହାସକୁ ଛାଡ଼ି କେହି ସ୍ୱୟଂସମ୍ପୂର୍ଣ୍ଣ ହୋଇପାରି ନାହିଁ। ଅତୀତ ଇତିହାସକୁ ବିଶ୍ଳେଷଣ କରି ବର୍ତ୍ତମାନର କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିପାରିଲେ ଗୌରବମୟ ଇତିହାସ ସୃଷ୍ଟି ସମ୍ଭବ ହେବ।

ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ପାଠପଢ଼ାକୁ ଆକର୍ଷଣୀୟ କରିପାରିଲେ ଛାତ୍ରଛାତ୍ରୀ ଅଧିକ ମାତ୍ରାରେ ଉତ୍ସାହିତ ହେବେ। ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ବିଭାଗ ଅନେକ ସଂସ୍କାରମୂଳକ ପଦକ୍ଷେପ ନେଇଛି। ଏହାର ସଠିକ୍‌ ରୂପାୟନ କରି ଛାତ୍ରଛାତ୍ରୀଙ୍କ ନିକଟରେ ଏହାର ସୁଫଳ ପହଞ୍ଚାଇବା ଦିଗରେ ଅଧ୍ୟାପକ ଅଧ୍ୟାପିକା ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ। ଅଧ୍ୟାପକମାନେ ପାଠପଢ଼ା ବ୍ୟତୀତ ମହାବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ନିଯୁକ୍ତିପତ୍ର ପାଇଥିବା ଅଧ୍ୟାପକଙ୍କ ମଧ୍ୟରେ ୭୪ ଜଣ ଇତିହାସ ବିଭାଗର ହୋଇଥିବାବେଳେ ଓଡ଼ିଆ ବିଭାଗରେ ୫ ଓ ରାଜନୀତି ବିଜ୍ଞାନ ବିଭାଗର ଜଣେ ରହିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ ସୁରେନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

The post ପୂରଣ ହେବ ୯୭୨ ଅଧ୍ୟାପକ ପଦ, ୮୦ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ବଣ୍ଟନ first appeared on Sambad.



from ରାଜ୍ୟ – Sambad https://ift.tt/38xXPx2

Post a Comment

0 Comments