ଡେମୋ ଦେଖାଇଲା ପରୀ ହତ୍ୟା ଅଭିଯୁକ୍ତ ସରୋଜ

ନୟାଗଡ଼: ନାବାଳିକା ପରୀ ହତ୍ୟା ଅଭିଯୁକ୍ତ ସରୋଜ ସେଠୀ ଆଜି ଡେମୋ ପ୍ରଦର୍ଶନ କରିଛି। ସେ ହତ୍ୟା ପରେ ପରୀର ଶବକୁ କିଭଳି ନେଇ ଫିଙ୍ଗିଲା, ସେ ସବୁର ଅଭିନୟ କରି ଦେଖାଇଥିଲା। ତିନି ଦିନିଆ ରିମାଣ୍ଡରେ ସରୋଜକୁ ଏସ୍ ଆଇ ଟି ନେଇଥିବା ବେଳେ ଆଜି ସନ୍ଧ୍ୟାରେ ରିମାଣ୍ଡ ଅବଧି ସରୁଛି।

ଆଜି ଦିନ ପ୍ରାୟ ବାରଟା ବେଳେ ଏସ୍ ଆଇଟିର କିଛି ସଦସ୍ୟ ଆସି ଯଦୁପୁରରେ ସରୋଜର ଘରେ ପହଞ୍ଚି ଥିଲେ। ତାର ମା’ ଓ ଭଉଣୀଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଏସ୍ ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଆସି ଯଦୁପୁରରେ ପହଞ୍ଚିଥିଲେ। ବୋଥ୍ରାଙ୍କ ଉପସ୍ଥିତିରେ ସରୋଜ ଡେମୋ ଦେଖାଇଥିଲା।

ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ଗାଁର ନାବାଳିକା ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା କଲେଜ ଛାତ୍ର ସରୋଜ ସେଠୀକୁ ଜେରା ବେଳେ ଏସଆଇଟିକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରମାଣ ମିଳିଥିଲା। ସରୋଜର ସ୍ବୀକାରୋକ୍ତିକୁ ଆଧାର କରି ତଦନ୍ତକାରୀ ଦଳ ଆଜି ତା ଘରୁ ଏକ ରକ୍ତଲଗା ଗାମୁଛା ଜବତ କରିଥିଲା। ହତ୍ୟା ବେଳେ ସେ ଏହି ଗାମୁଛା ବ୍ୟବହାର କରିଥିଲା।

ସରୋଜର ବୟାନ ଅନୁଯାୟୀ ତଣ୍ଟି ଚିପି ହତ୍ୟା କରିବା ସମୟରେ ପରୀ ନାକରୁ ରକ୍ତ ବାହାରିଥିଲା। ସରୋଜ ଏକ ଗାମୁଛାରେ ଏହି ରକ୍ତକୁ ପୋଛିଥିଲା। ଏହାପରେ ଗାମୁଛାକୁ ସେ ଧୋଇ ଘରେ ରଖିଥିବା କହିଥିଲା। ଏହି ସ୍ବୀକ‌ାରୋକ୍ତି ପରେ ତଦନ୍ତକାରୀ ଦଳ ଯଦୁପୁର ଯାଇ ଉକ୍ତ ୨ଟି ଗାମୁଛା ଜବତ କରିଥିଲେ। ଗାମୁଛାରେ ରକ୍ତ ନଥିଲେ ମଧ୍ୟ ଦାଗ ରହିଥିଲା। କେମିକାଲ ପରୀକ୍ଷାରେ ଜଣାପଡ଼ିଥିଲା ଯେ ଏହା ହେଉଛି ରକ୍ତ ଦାଗ। ତେବେ ଏହି ରକ୍ତ ପରୀର କି ନାହିଁ ତାହା ଜାଣିବା ଲାଗି ଅଧିକ କେମିକାଲ ପରୀକ୍ଷା ପାଇଁ ପଠାଯାଇଥିବା ଏସ୍‌ଆଇଟିର ଜଣେ ଅଧିକାରୀ କହିଛନ୍ତି।

The post ଡେମୋ ଦେଖାଇଲା ପରୀ ହତ୍ୟା ଅଭିଯୁକ୍ତ ସରୋଜ first appeared on Sambad.



from ରାଜ୍ୟ – Sambad https://ift.tt/3piMiIE

Post a Comment

0 Comments