ଆହୁରି ୫୫୦୩ ‘ପରୀ’ କୁଆଡ଼େ ଗଲେ? ବିଜେପି ରାଜ୍ୟ ସଭାପତି ଉଠାଇଲେ ପ୍ରଶ୍ନ

ଅନୁଗୁଳ: ‘ପରୀ ପରେ ‘ସ୍ବାତୀ’। ନୟାଗଡ଼ ଜିଲ୍ଲାର କେବଳ ଏହି ଦୁଇ ଶିଶୁ ନହେଁ, ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାର ଏମିତି ୫ହଜାର ୫୦୩ଜଣ ନିଖୋଜ ହୋଇଛନ୍ତି। ଓଡ଼ିଶାର ବିଭିନ୍ନ ଥାନାରେ ଏନେଇ ମାମଲା ଦାୟର ହୋଇଛି। ଏନ୍‌ସିଆର୍‌ବିର ଏହି ତଥ୍ୟ ଓଡ଼ିଶାର ଭୟଙ୍କର ସ୍ଥିତିକୁ ବୟାନ କରୁଛି। ମା’ କୋଳରୁ ଓଡ଼ିଶାର ଏହି ୫ ହଜାର ନିଖୋଜ ପରୀ ଯାଇଛନ୍ତି କୁଆଡ଼େ? ସେମାନଙ୍କର ସ୍ଥିତି କ’ଣ? ନୟାଗଡ଼ ପରୀ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବାବେଳେ ଏହି ୫ହଜାର ନିଖୋଜ ମାମଲାକୁ ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ ଘେରିଛନ୍ତି।

ରାଣୀଗୋଡ଼ାସ୍ଥିତ ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ବିଜେପି ସଭାପତି ଶ୍ରୀ ମହାନ୍ତି କହିଛନ୍ତି, ନୟାଗଡ଼ ଜିଲ୍ଲାର ଶିଶୁ ‘ପରୀ’ ହତ୍ୟାକାଣ୍ଡ ଓଡ଼ିଶା ଶାସନ ବ୍ୟବସ୍ଥାର ଏକ ପ୍ରତୀକ ମାତ୍ର। ଓଡ଼ିଶାର କୋଣ ଅନୁକୋଣରେ ଏମିତି ଘଟଣା ରୀତିମତ ଚାଲିଛି। ଏହାପଛରେ ଅଙ୍ଗ ତସ୍କରୀ ରାକେଟ୍‌ ଏବଂ ଅନ୍ତଃରାଜ୍ୟ ଷଡ଼୍‌ଯନ୍ତ୍ର ଚାଲିଛି ବୋଲି ଶ୍ରୀ ମହାନ୍ତି ସିଧାସଳଖ ଅଭିଯୋଗ କରିଛନ୍ତି। ଦୀର୍ଘଦିନ ଗଡ଼ିଗଲା ପଛେ ପରୀ ପରିବାରଙ୍କୁ ନ୍ୟାୟ ମିଳିଲା ନାହିଁ। ଘଟଣାରେ କ୍ୟାବିନେଟ୍ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ପଦାକୁ ଆସିଲା ପରେ ସରକାର ଏସ୍‌ଆଇଟି ତଦନ୍ତ କରାଇଛନ୍ତି। କିନ୍ତୁ, ଏହି ତଦନ୍ତର ନିର‌ପେକ୍ଷତାକୁ ନେଇ ମଧ୍ୟ ବିଜେପି ପ୍ରଶ୍ନ କରିଛି। କହିଛି, ହତ୍ୟାକାଣ୍ଡରେ ମନ୍ତ୍ରୀ ଶ୍ରୀ ସାହୁଙ୍କ ସମ୍ପୃକ୍ତି ପଦାକୁ ଆସୁଥିବା ବେଳେ ଏସ୍‌ଆଇଟି ମନ୍ତ୍ରୀଙ୍କୁ ଜେରା କରିଛନ୍ତି କି? ଅଭିଯୁକ୍ତ କୁହାଯାଉଥିବା ବାବୁଲା ନାୟକ ବିଷୟରେ କ’ଣ ତଦନ୍ତ କରାଯାଇଛି? ଏହି ଘଟଣା ସମୟରେ ମନ୍ତ୍ରୀ କେତେଥର ଏସ୍‌ପିଙ୍କ ସହ କଥା ହୋଇଥିଲେ ଏବଂ କଣ କହିଥିଲେ? ଏସ୍‌ଆଇଟି ତଦନ୍ତରେ ନୟାଗଡ଼ ଏସ୍‌ପି ତଦନ୍ତ ପରିସରଭୁକ୍ତ ହୋଇଛନ୍ତି କି? ଏହି ତମାମ୍‌ ପ୍ରଶ୍ନବାଣ ନେଇ ବିଜେପି ସଭାପତି ଶ୍ରୀ ମହାନ୍ତି କେବଳ ରାଜ୍ୟ ସରକାରଙ୍କୁ ଘେରି ନାହାନ୍ତି, ବରଂ ଏହି ଘଟଣାରେ କଂଗ୍ରେସକୁ ବି ଟାଣିଛନ୍ତି। ଯେଉଁଭଳି ଭାବେ କଂଗ୍ରେସ ମୁହଁରେ ଏସ୍‌ଆଇଟି ତଦନ୍ତ କଥା ସରକାର କୁହାଇଲେ, ସେଥିରୁ ବିଜେଡି-କଂଗ୍ରେସର ଭିତିରି ସମ୍ପର୍କ ଜଳଜଳ ଦେଖାଯାଉଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ସହିତ ମନ୍ତ୍ରୀ ଶ୍ରୀ ସାହୁଙ୍କ ଇସ୍ତଫା ବିଜେପି ଦାବି କରିଛି। ତା’ସହିତ ୫ହଜାର ୫୦୩ ଶିଶୁ ନିଖୋଜ ମାମଲା ନେଇ ସରକାର ତତ୍ପରତା ଦେଖାନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।

ଜିଲ୍ଲା ବିଜେପି ସଭାପତି ଦିଲେଶ୍ବର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ, ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, କାଳନ୍ଦୀ ସାମଲ, ଅଶୋକ ମହାନ୍ତି, ପ୍ରତାପ ପ୍ରଧାନ, ଅଗସ୍ତୀ ବେହେରାଙ୍କ ସମେତ ବହୁ ଦଳୀୟ ନେତୃବନ୍ଦ ଉପସ୍ଥିତ ଥିଲେ।

The post ଆହୁରି ୫୫୦୩ ‘ପରୀ’ କୁଆଡ଼େ ଗଲେ? ବିଜେପି ରାଜ୍ୟ ସଭାପତି ଉଠାଇଲେ ପ୍ରଶ୍ନ first appeared on Sambad.



from ରାଜ୍ୟ – Sambad https://ift.tt/388Rg3L

Post a Comment

0 Comments