
କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଉଦ୍ଘାଟିତ ହୋଇଛି ଶାତ୍ସୀୟ ବାଦ୍ୟ ,ନୃତ୍ୟ ଓ ସଂଗୀତର ମହାକୁମ୍ଭ କୋଣାର୍କ ମହୋତ୍ସବ -୨୦୨୦ । ଶାତ୍ସୀୟ ବାଦ୍ୟ ଓ ସଂଗୀତର ତାଳେତାଳେ ନୃତ୍ୟାଙ୍ଗନାଙ୍କ ନୂପୁରର ଝଙ୍କୃତ ହୋଇଛି ମୁକ୍ତାକାଶ ରଂଗମଂଚ। ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଭିଡ଼ିଓ କନଫରନେସିଂ ମାଧ୍ୟମରେ ଉଦ୍ଘାଟନ କରିଥିଲେ।
ଉଦ୍ଘାଟନୀ ସଂଧ୍ୟାରେ ଓଡ଼ିଶୀ ଓ ଚେନ୍ନାଇର ଶ୍ରୀଦେବୀ ନୃତ୍ୟାଳୟର ଗୁରୁ ଶୀଲାଉନ୍ନିକ୍ରିଷ୍ଣନ ଓ ସାଥି କଳାକାରମାନଙ୍କ ଦ୍ବାରା ଭାତନାଟ୍ୟମ୍ ପରିବେଷିତ ହୋଇଛି । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ପ୍ରଚାରପ୍ରସାର ଲକ୍ଷ୍ୟ ନେଇ ୧୯୮୯ ମସିହାରୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ। ଚଳିତ ବର୍ଷ ଉତ୍ସବରେ କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ କରାଯାଇଛି। ପ୍ରଥମ ସନ୍ଧ୍ୟାରେ ଅତିଥି, ପର୍ଯ୍ୟଟକ ଓ ନିମନ୍ତ୍ରିତ ତଥା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସମେତ ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନେଇ ମହୋତ୍ସବ ଆରମ୍ଭ ହୋଇଛି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଜଗତସିଂହପୁର ସାଂସଦ ଡ଼ା. ରାଜଶ୍ରୀ ମଲ୍ଲିକ, ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ପର୍ଯ୍ୟଟନ ସଚିବ ବିଶାଲ ଦେବ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଯାଦବ, ପର୍ଯ୍ୟଟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ ଓ ଏସ୍ପି କେ. ବିଶାଲ ସିଂହ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ ସହ ଉତ୍ସବ ଉଦ୍ଘାଟିତ ହେଲା ବୋଲି ଘୋଷଣା କରିଥିଲେ।
ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମି ,ଭୁବନେଶ୍ବରର ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ପ୍ରଥମ ନୃତ୍ୟ ପରିବେଷଣ କରିଥିଲେ। ନୃତ୍ୟର ପ୍ରଥମ ଅର୍ଘ୍ୟ ଭାବେ ଶିଳ୍ପୀମାନେ ପରସି ଦେଇଥିଲେ ନଟରାଜ ଶିବଙ୍କ ଅର୍ଚ୍ଚନାରେ ପ୍ରସ୍ତୁତ ‘ଶିବମ୍ ଧିମହୀ’। ଏମାନେ ନୃତ୍ୟର ଅନ୍ତିମ ଅର୍ଘ୍ୟ ଭାବେ ନୃତ୍ୟାଭିନୟ ‘ପ୍ରଶ୍ନ’କୁ ଅତି ନିଖୁଣ ଭାବେ ପରିବେଷଣ କରିଥିଲେ। ଉଦଘାଟନୀ ସଂଧ୍ୟାର ଦ୍ବିତୀୟ ପର୍ଯ୍ୟାୟରେ ଭାରତନାଟ୍ୟମର ପ୍ରତିଷ୍ଠିତ ଶିଳ୍ପୀ ଚେନ୍ନାଇର ଶୀଲା ଉନ୍ନିକ୍ରିଷ୍ଣନ ଓ ସାଥି ଆବାହନି, ଆଲ୍ଲାପୁରୀ, ବର୍ଣ୍ଣମ୍, ଶଙ୍କର ଶ୍ରୀ ଗିରିକୀର୍ତ୍ତମ ଓ ଶିବମଙ୍ଗଳ ସଂଯୋଜନାରେ ପ୍ରସ୍ତୁତ ନୃତ୍ୟ ପରିବେଷଣ କରିଥିଲେ। ଏହା ଉପସ୍ଥିତ ଦର୍ଶକ ଓ ପର୍ଯ୍ୟଟକଙ୍କୁ ବିଭୋର କରିଥିଲା । ଆଜିର କାର୍ଯ୍ୟକ୍ରମକୁ ଡ଼. ସାଧନା ଶ୍ରୀବାସ୍ତବ ଓ ଅଧ୍ୟାପକ ଡ଼. ମୃତ୍ୟଞ୍ଜୟ ରଥ ସଂଚାଳନ କରିଥିଲେ। ଉତ୍ସବରେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ଓ ପର୍ଯ୍ୟଟନ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
The post କୋଣାର୍କ ମହୋତ୍ସବ ଉଦ୍ଘାଟିତ: ଭିଡ଼ିଓ କନଫରନେସିଂରେ ମୁଖ୍ୟମନ୍ତ୍ରୀ କଲେ ଉଦ୍ଘାଟନ first appeared on Sambad.
from ରାଜ୍ୟ – Sambad https://ift.tt/3muce2N
0 Comments