ରାଜ୍ୟ ସରକାର-ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆଲୋଚନା, ୩ ମାସରେ ଲାଗୁ ହେବ ସପ୍ତମ ବେତନ କମିସନ

ଭୁବନେଶ୍ବର: ଆଗାମୀ ୩ ମାସ ମଧ୍ୟରେ ନୂତନ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜରେ ସପ୍ତମ ବେତନ କମିସନ ଲାଗୁ ହେବ। ତେବେ ଏହା କେବେଠାରୁ ଲାଗୁ ହେବ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସହ ଆଲୋଚନା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପ୍ରତିଶ୍ରୁତି ଦିଆଯାଇଛି। ୨୦୧୮ରୁ ପିଛିଲା ଭାବେ ସପ୍ତମ ବେତନ କମିସନ ଲାଗୁ କରିବାକୁ ମିଳିତ ମଞ୍ଚ ଦାବି କରି ଆସୁଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ପରବର୍ତୀ ନିଷ୍ପତ୍ତି ଉପରେ ସବୁ କିଛି ନିର୍ଭର କରୁଛି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ରାଜ୍ୟ ସରକାରଙ୍କ ପ୍ରତିନିଧି ଯଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ନେଇ ଗଠିତ କମିଟି ସହ ମିଳିତ ମଞ୍ଚ ଆଲୋଚନା କରିଥିଲା। ଏହି ବୈଠକରେ ମିଳିତ ମଞ୍ଚ ପକ୍ଷରୁ ୫ ଦଫା ଦାବି ଉପସ୍ଥାପନ କରାଯାଇଥିଲା। ନୂତନ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜରେ ସପ୍ତମ ବେତନ କମିସନ ସପ୍ତମ ବେତନ ଲାଗୁ, ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି, ଚାକିରି ସର୍ତ୍ତାବଳୀ, ସମସ୍ତ ଅଣ ଅନୁଦାନପ୍ରାପ୍ତ ସ୍କୁଲକୁ ଅନୁଦାନ ପ୍ରଦାନ, ଅସଙ୍ଗତି ଦୂରୀକରଣ, ଅବସରକାଳୀନ ସୁବିଧା ଆଦି ବିଷୟରେ ଉଭୟ ପକ୍ଷ ମାଧ୍ୟରେ ଆଲୋଚନା ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା ହେବା ପରେ ସପ୍ତମ ବେତନ କମିସନ ଲାଗୁ ହେବା ନେଇ ସହମତି ପ୍ରକାଶ ପାଇଛି। ଅନ୍ୟାନ୍ୟ ଦାବିଗୁଡ଼ିକ ପୂରଣ ଦିଗରେ କୌଣସି ଠୋସ୍‌ ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ବଜେଟ୍‌ରେ ବ୍ୟବସ୍ଥା କରାଯିବା ପରେ ଦାବିଗୁଡ଼ିକ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିବା ମିଳିତ ମଞ୍ଚର ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ, ପବିତ୍ର ମହାଲା ସୂଚନା ଦେଇଛନ୍ତି।

The post ରାଜ୍ୟ ସରକାର-ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆଲୋଚନା, ୩ ମାସରେ ଲାଗୁ ହେବ ସପ୍ତମ ବେତନ କମିସନ first appeared on Sambad.



from ରାଜ୍ୟ – Sambad https://ift.tt/2KMFtjp

Post a Comment

0 Comments