ଅସାମ୍ବିଧାନିକ ଭାବେ ବିଧାନସଭା ମୁଲତବୀ ହୋଇଛି: ବିଜେପି

ଭୁବନେଶ୍ୱର: ୩୦ ଦିନ ଆଗରୁ ବିଧାନସଭାକୁ ମୁଲତବୀ ରଖାଯିବାକୁ ବିରୋଧ କରିଛି ବିଜେପି। ଆଜି ଦଳର ବିଧାୟକମାନେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ବରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଫେରାଦ ଜଣାଇଛନ୍ତି। ଅସାମ୍ବିଧାନିକ ଭାବେ ବିଧାନସଭା ମୁଲତବୀ ରଖାଯାଇଛି ବୋଲି ଦଳ ଅଭି‌େଯାଗ କରିବା ସହ ପରୀ ମାମଲାରେ ନ୍ୟାୟ ପ୍ରଦାନ କରିବାକୁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ବିଜେପି ପକ୍ଷରୁ କୁହାଯାଇଛି ଯେ ବର୍ଷକୁ ବିଧାନସଭାର ୬୦ଟି କାର୍ଯ୍ୟ ଦିବସ ରହିବା ଆବଶ୍ୟକ। ମାତ୍ର ଚଳିତ ବର୍ଷ ମାତ୍ର ୩୦ ଦିନ ପାଇଁ ଅଧିବେଶନ କରାଯାଇ ଯଥେଷ୍ଟ ସମୟ ପୂର୍ବରୁ ଅସାମ୍ବିଧାନିକ ଭାବେ ଗୃହ କାର୍ଯ୍ୟକୁ ମୁଲତବୀ କରାଯାଇଛି। ଏହି କାରଣରୁ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୃହରେ ଆଲୋଚନା କରାଯାଇ ପାରିଲା ନାହିଁ। ଶାସକ ବିଜେଡି ରାଜ୍ୟର ବିଭିନ୍ନ ସମସ୍ୟାରୁ ନିଜକୁ ଦୂରେଇ ରଖିବା ପାଇଁ ଗୃହକୁ ଜାଣିଶୁଣି ମୁଲତବୀ କରି ପଳାୟନପନ୍ଥୀ ସାଜୁଛି। ବିଧାନସଭା ଅଧିବେଶନ ହଠାତ ମୁଲତବୀ ହେବାର ଘଟଣା ବାରମ୍ବାର ହେଉଛି। ସମ୍ବିଧାନକୁ ରାଜ୍ୟ ସରକାର ଆଦୌ ସମ୍ମାନ ଦେଉ ନାହାନ୍ତି।  ବିରୋଧୀ ଦଳ ନେତା ଆହୁରି କହିଛନ୍ତି ଯେ ଗତକାଲି ବିଜେପି ବିଧାୟକମାନେ ପରୀ ହତ୍ୟାକାଣ୍ଡରେ ଗ୍ରାଉଣ୍ଡ୍‌ ଜିରୋକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି। ୫ ବର୍ଷର ଝିଅ ପରୀର ଅପହରଣ ପରେ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି।

ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଥିବା ନେଇ ପରୀର ବାପା ଅଶୋକ ସାହୁ ଓ ମା’ ସୈାଦାମିନୀ ସାହୁ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ଏପରିକି ନୟାଗଡ଼ ଜିଲ୍ଲା ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କ ପାଇଁ ପୋଲିସ ଘଟଣାକୁ ଦିଗହରା କରିଛି। ସ୍ଥାନୀୟ ଥାନାର ତଦନ୍ତ ଅଧିକାରୀ ଓ ଥାନା ଅଧିକାରୀ ଘଟଣାକୁ ଗୁରୁତର ସହ ଗ୍ରହଣ କରି ନାହାନ୍ତି। ସ୍ଥାନୀୟ ସରପଞ୍ଚଙ୍କ ସହ ମନ୍ତ୍ରୀ ଶ୍ରୀ ସାହୁ ହୋଇଥିବା କଥାବାର୍ତାରେ ସିଧାସଳଖ ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକଙ୍କ ସହ ତାଙ୍କର ସମ୍ପର୍କ ପ୍ରମାଣିତ ହୋଇଛି। ଏହି ଅଡିଓ ଭାଇରାଲ ହୋଇଥିଲେ ମଧ୍ୟ ରାଜ୍ୟ ଗୃହ ବିଭାଗ ପକ୍ଷରୁ ତାଙ୍କୁ ଏ ଯାଏ ତଦନ୍ତ ପରିସରଭୁକ୍ତ କରା ନ ଯିବା ଦୁର୍ଭାଗ୍ୟଜନକ। ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରାଯିବା ସହ ଘଟଣାର ସିବିଆଇ ତଦନ୍ତ କରିବାକୁ ଶ୍ରୀ ନାଏକ ଦାବି କରିଛନ୍ତି। ରାଜଭବନକୁ ଯାଇଥିବା ପ୍ରତିନିଧି ଦଳରେ ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ ଓ ବରିଷ୍ଠ ନେତା ଜୟ ନାରାୟଣ ମିଶ୍ରଙ୍କ ସ‌େମତ ସମସ୍ତ ବିଧାୟକ ସାମିଲ୍‌ ହୋଇଥିଲେ।

The post ଅସାମ୍ବିଧାନିକ ଭାବେ ବିଧାନସଭା ମୁଲତବୀ ହୋଇଛି: ବିଜେପି first appeared on Sambad.



from ରାଜ୍ୟ – Sambad https://ift.tt/2VmuI9G

Post a Comment

0 Comments