ହାଇକୋର୍ଟରେ ପରୀ ହତ୍ୟାକାଣ୍ଡ ମାମଲା : ସୁରକ୍ଷା ଲୋଡ଼ି ଲକ୍ଷ୍ମୀପ୍ରସାଦ ସରପଞ୍ଚ ହାଇକୋର୍ଟଙ୍କ ଦ୍ବାରସ୍ଥ

କଟକ : ପରୀ ହତ୍ୟାକାଣ୍ଡ ଘଟଣା ଏବେ ହାଇକୋର୍ଟରେ ପହଞ୍ଚିଛି। ମୃତ ପରୀର ଗାଁ ନୟାଗଡ଼ ଲକ୍ଷ୍ମୀପ୍ରସାଦ ପଂଚାୟତର ସରପଂଚ ସୌମ୍ୟରଂଜନ ପ୍ରଧାନ ଏବେ ନିଜର ତଥା ନିଜ ପରିବାର ଲୋକଙ୍କ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ଘଟଣାରେ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ପକ୍ଷଭୁକ୍ତ କରି ସେ ରିଟ୍ ପିଟିସନ୍ ଦାଖଲ କରିଛନ୍ତି।

ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ପକ୍ଷରୁ ଆବେଦନରେ ଦର୍ଶାଯାଇଛି ଯେ ତାଙ୍କର ଓ ପରିବାରର ଧନ ଜୀବନ ପ୍ରତି ବିପଦ ରହିଛି। ତୁରନ୍ତ ତାଙ୍କୁ ଓ ପରିବାରକୁ ସୁରକ୍ଷା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଉ। ପରୀ ହତ୍ୟାକାଣ୍ଡ ଘଟଣାରେ ପୀଡ଼ିତ ପରିବାରକୁ ନ୍ୟାୟ ପାଇଁ ଗ୍ରାମବାସୀମାନେ ଅତୀତରେ ଧାରଣାରେ ବସିଥିଲେ। ସେଦିନ ସେ ଘଟଣାସ୍ଥଳରେ ଅନୁପସ୍ଥିତ ଥିଲେ। କିନ୍ତୁ ଏହି ଧାରଣା ପରେ କେତେକ ଗ୍ରାମବାସୀଙ୍କ ସହିତ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ କରି ମାମଲା ରୁଜୁ କରାଯାଇଥିଲା। ସେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ମାମଲାରେ ଜାମିନ ପାଇଥିଲେ। ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୋଧରେ ଏପରି କରାଯାଇଥିଲା। ଛୋଟ ଝିଅ ପରୀ ହତ୍ୟାକାଣ୍ଡ ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ଲକ୍ଷ୍ମୀପ୍ରାସଦ ଗ୍ରାମବାସୀ ଅଭିଯୁକ୍ତଙ୍କ ଗିରଫ ଓ ପୀଡ଼ିତ ପରିବାରକୁ ନ୍ୟାୟ ପାଇଁ ସ୍ବର ଉତ୍ତୋଳନ କରିଥିଲେ। କିନ୍ତୁ ଏପରି କାର୍ଯ୍ୟକୁ ନେଇ କେତେକ ରାଜନୈତିକ ବ୍ୟକ୍ତି ଅସନ୍ତୁଷ୍ଟ ହୋଇଥିଲେ। ଅତୀତରେ ମଧ୍ୟ ତାଙ୍କୁ ଧମକ ଦିଆଯାଇଥିଲା। ଏଥିସହିତ ନିକଟରେ କେତେକ ଘଟଣାରୁ ତାଙ୍କର ଓ ପରିବାର ସଦସ୍ୟଙ୍କ ଧନଜୀବନ ପ୍ରତି ବିପଦ ରହିଥିବା ସ୍ପଷ୍ଟ ହୋଇଛି। ଏପରି ସ୍ଥଳେ ତାଙ୍କୁ ଓ ସମସ୍ତ ପରିବାର ସଦସ୍ୟଙ୍କୁ ତୁରନ୍ତ ସୁରକ୍ଷା ପ୍ରଦାନ କରାଯିବା ଆବଶ୍ୟକ ବୋଲି ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି। ଅନ୍ୟ ଉପାୟ ନ ପାଇ ଏହି ପ୍ରସଂଗରେ ନ୍ୟାୟ ପାଇବା ପାଇଁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ପ୍ରସଂଗରେ ହାଇକୋର୍ଟଙ୍କ ହସ୍ତକ୍ଷେପ ପାଇଁ ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି। ମାମଲାରେ ରାଜ୍ୟ ଗୃହ ବିଭାଗ, ପୁଲିସ ଡିଜି, ନୟାଗଡ଼ ଜିଲ୍ଲାପାଳ, ଏସ୍‌ପି, ସଦର ଥାନା ଆଇଆଇସି, ନାୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ମାମଲା ପରିଚାଳନା କରୁଛନ୍ତି।

ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ ଓ ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ମଧ୍ୟରେ ହୋଇଥିବା ଏକ ଅଡିଓ ରେକର୍ଡିଂ ଭାଇରାଲ ହେବା ଘଟଣା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ଶ୍ରୀ ପ୍ରଧାନ ସୁରକ୍ଷା ଲୋଡ଼ି ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ଚର୍ଚ୍ଚାର ବିଷୟ ହୋଇଛି।

The post ହାଇକୋର୍ଟରେ ପରୀ ହତ୍ୟାକାଣ୍ଡ ମାମଲା : ସୁରକ୍ଷା ଲୋଡ଼ି ଲକ୍ଷ୍ମୀପ୍ରସାଦ ସରପଞ୍ଚ ହାଇକୋର୍ଟଙ୍କ ଦ୍ବାରସ୍ଥ first appeared on Sambad.



from ରାଜ୍ୟ – Sambad https://ift.tt/39o1m38

Post a Comment

0 Comments