ଅନୁଗୁଳରେ ୨୫୦ କୋଟିର ଜମି କେଳେଙ୍କାରୀ; ଜାଲିଆତି କରି ମାରିନେଲେ ଆଦିବାସୀ, ହରିଜନଙ୍କ ଜମି

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମି କିଣାବିକାରେ ଏକ ବଡ଼ଧରଣର କେଳେଙ୍କାରୀ ହୋଇଛି। ଗତ ୧୦ ବର୍ଷ ଭିତରେ ପ୍ରାୟ ୩୦୦ ଏକର ଜମି ବେଆଇନ ଭାବେ ଏକ ନିର୍ଦ୍ଦିଷ୍ଟ ପରିବାର ହାତକୁ ଚାଲି ଆସିଛି। ଏହି ଜମିର ଆନୁମାନିକ ମୂଲ୍ୟ ୨୫୦ କୋଟି ଟଙ୍କା ହେବ। ଜାଲ୍ କାଗଜପତ୍ର ଜରିଆରେ ଏହି ସବୁ ଜମି ହଡ଼ପ କରାଯାଇଛି। ଏହା ପଛରେ ପ୍ରଶାସନର କିଛି ବରିଷ୍ଠ ପଦାଧିକାରୀଙ୍କର ହାତ ରହିଛି। ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ତୁରନ୍ତ ଜମି ବିକ୍ରେତାଙ୍କୁ ଜମି ଫେରସ୍ତ ନକଲେ ଆମେ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବୁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଚେତାବନୀ ଦେଇଛନ୍ତି।

ଅନୁଗୁଳ କଂଗ୍ରେସ ଭବନରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝୀ କହିଲେ, ରାଜ୍ୟରେ ଜଣେ ଆଦିବାସୀ ନେତା ରାଜସ୍ବ ମନ୍ତ୍ରୀ ଥିବାବେଳେ ଆଦିବାସୀ ଏବଂ ଦଳିତଙ୍କର ଏତେ ପରିମାଣର ଜମି ବେନିୟମ ଭା‌ବେ ଗୋଟିଏ ପରିବାର ହାତକୁ ଚାଲିଯାଇଛି। ୩୪୮ଟି ପ୍ଲଟ୍‌ ଏହି ପରିବାର ନାମରେ ରହିଛି। ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଶାସନ ଉପରେ ଏହା ଏକ ବଡ଼ ପ୍ରଶ୍ନବାଚୀ। ଆଦିବାସୀ ଏବଂ ଦଳିତ ପରିବାରର ଜମି କିଣାବିକା ହୋଇପାରିବ, ସେଥିରେ କୌଣସି ସମସ୍ୟା ନାହିଁ। କିନ୍ତୁ, ଜାଲ୍ ମେଡିକାଲ ସାର୍ଟିଫିକେଟ୍‌ ଦେଇ ଚଞ୍ଚକତା କରି ଅନୁଗୁଳର ଜଣେ ବ୍ୟବସାୟୀ ସୁଶୀଲ ଅଗ୍ରୱାଲ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ କିଣାଯାଇଛି। ଜମି କିଣାବିକା ପ୍ରକ୍ରିୟାରେ ବ୍ୟାପକ ତ୍ରୁଟି ରହିଛି। ଏହି ବେଆଇନ କାମ ତତ୍କାଳୀନ ଜିଲ୍ଲାପାଳ ଓ ଉପଜିଲ୍ଲାପାଳମାନଙ୍କ ସହାୟତାରେ ହୋଇଛି। ୬ ଜଣ ଉପଜିଲ୍ଲାପାଳ ଏହି ଅପରାଧିକ କାର୍ଯ୍ୟରେ ସଂପୃକ୍ତ ରହିଛନ୍ତି। ଏହି ପରିବାର ନାମରେ ୬ଶହରୁ ୭ଶହ ଏକର ପର୍ଯ୍ୟନ୍ତ ଜମି ରହିଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଆର୍‌ଟିଆଇ ଜରିଆରେ ତଥ୍ୟ ସଂଗ୍ରହ କରାଯାଉଛି। କେବଳ ସେତିକି ନୁହେଁ, ସୁଶୀଲ ମାଲକାନଗିରି ଏବଂ ଅନ୍ୟ ସ୍ଥାନରେ କୋଭିଡ୍ ସମୟରେ ବିଭିନ୍ନ ସରକାରୀ ସାମଗ୍ରୀ ଯୋଗାଣ ଦୁର୍ନୀତିରେ ସଂପୃକ୍ତ ଥିବା ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି। ଶ୍ରୀ ଅଗ୍ରୱାଲ୍‌ଙ୍କ ସହିତ ଶାସକ ଦଳର ନେତା, ମନ୍ତ୍ରୀ, ବିଧାୟକ ମଧ୍ୟ ସଂପୃକ୍ତ ରହିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଏମାନଙ୍କର ଚେହେରା ପଦାକୁ ଆସିବ। ଅନୁଗୁଳ ଜମି କେ‌ଳେଙ୍କାରୀରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଣିତ ଭୂସଂସ୍କାର ଆଇନର ଧାରା ୨୨ ଏବଂ ୨୩କୁ ସଂପୂର୍ଣ୍ଣ ଉଲ୍ଲଂଘନ କରାଯାଇଛି। ସରକାର ଏଥିସଂକ୍ରାନ୍ତ ସମସ୍ତ ଜମି ରେଜିଷ୍ଟ୍ରେସନ୍‌ ବାତିଲ କରି ତୁରନ୍ତ ଏହି ଆଦିବାସୀ ଏବଂ ଦଳିତ ବିକ୍ରେତାମାନଙ୍କୁ ସେମାନଙ୍କ ଜମି ଫେରାଇ ଦିଅନ୍ତୁ ବୋଲି ଶ୍ରୀ ମାଝୀ ଦାବି କରିଛନ୍ତି।

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ଅନୁଗୁଳରେ ସଂଘଟିତ ସଂରକ୍ଷିତ ବର୍ଗର ଜମି ଦୁର୍ନୀତିରେ ସରକାରଙ୍କ ନିରବତା ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି କେଳେଙ୍କାରୀର ତଦନ୍ତ କରି ଏଥିରେ ସଂପୃକ୍ତ ବ୍ୟକ୍ତି ଓ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ଅନୁଗୁଳରେ ନିକଟରେ ସଂଘଟିତ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ପ୍ରାଣ ହରାଇଥିବା ପଥରଗଡ଼ ଗାଁର ୪ ବ୍ୟକ୍ତିଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ, ଦୃଷ୍ଟିଶକ୍ତି ହରାଇବା ଆଶଙ୍କା ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଉପଯୁକ୍ତ ଚିକିତ୍ସା କରାଇବାକୁ ଶ୍ରୀ ରାଉତରାୟ ଦାବି କରିଛନ୍ତି। ସେ ଆହୁରି କହିଥିଲେ ଯେ କଂଗ୍ରେସ ଅମଳରେ ଓଡ଼ିଶାର ଯଥେଷ୍ଟ ବିକାଶ ହୋଇଥିଲା। ଅଥଚ ଗତ ୨୦ ବର୍ଷ ଭିତରେ ରାଜ୍ୟରେ ସେଭଳି ଉଲ୍ଲେଖନୀୟ ବିକାଶ ହୋଇପାରି ନାହିଁ। ଓଡ଼ିଶାରେ ନବୀନ ସରକାର ଓ କେନ୍ଦ୍ରର ମୋଦୀ ସରକାର ଦେଶର ଗରିବ ଜନସାଧାରଣଙ୍କ ବିକାଶ ଦିଗରେ କିଛି କରୁନାହାନ୍ତି ବୋଲି ସେ ଆକ୍ଷେପ କରିଥିଲେ। ଏଥିସହ କେନ୍ଦ୍ର ସରକାର ତୁରନ୍ତ କୃଷି ବିଲ୍ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ରାଉତରାୟ ଦାବି କରିଥିଲେ। ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା, ପିସିସିର ପୂର୍ବତନ ରାଜ୍ୟ ସମ୍ପାଦକ ସରୋଜ ପ୍ରଧାନ, ବରିଷ୍ଠ ନେତା ଜିତେନ୍ଦ୍ର ସାହୁଙ୍କ ସମେତ ଜୟନ୍ତ ସାହୁ, ସୁଦୀପ ମିଶ୍ର, ସନ୍ତୋଷ ପଟ୍ଟନାୟକ, ଶିବାନୀ ଶଙ୍କର ଗୌଡ଼, ଆଲୋକ ଦାସ, ରଶ୍ମିରଞ୍ଜନ ସାହୁ, ଫାରୁକ ଏହେମଦ, ସୌମ୍ୟରଞ୍ଜନ ସାହୁ, ନରୋତ୍ତମ ନାଏକ, ଟିକନ ବେହେରା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

The post ଅନୁଗୁଳରେ ୨୫୦ କୋଟିର ଜମି କେଳେଙ୍କାରୀ; ଜାଲିଆତି କରି ମାରିନେଲେ ଆଦିବାସୀ, ହରିଜନଙ୍କ ଜମି first appeared on Sambad.



from ରାଜ୍ୟ – Sambad https://ift.tt/3251zn8

Post a Comment

0 Comments