ରାଜ୍ୟରେ ପଞ୍ଚୁକ ବେଳକୁ ପ୍ରବଳ ଶୀତ ଅନୁଭୂତ ହେବ

ଭୁବନେଶ୍ୱର : ନଭେମ୍ବର ଶେଷ ସୁଦ୍ଧା ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଉଭୟ ରାତି ଓ ଦିନର ତାପମାତ୍ରା ଆଖିଦୃଶିଆ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି। କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨ ଦିନ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବାରୁ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିବ ନାହିଁ। ୨ ଦିନ ପରେ ଅର୍ଥାତ ୨୨ ତାରିଖଠାରୁ ତାପମାତ୍ରାରେ ହ୍ରାସ ଘଟିବ। ୩/୪ ଦିନରେ ପାରଦ ୪ରୁ ୫ ଡିଗ୍ରି ଖସିବା ସହ ରାଜ୍ୟ‌‌‌‌‌‌‌‌‌ରେ ଶୀତର ପ୍ରକୋପ ବଢ଼ିବ। ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ପ୍ରବଳ ଶୀତ ଅନୁଭୂତ ହେବ।

ଅପରପକ୍ଷେ କେନ୍ଦ୍ରର ପୂର୍ବ ଆକଳନ ଅନୁଯାୟୀ, ଆଜି ସକାଳେ କଟକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖାଯାଇଥିଲା। ଆସନ୍ତାକାଲିଠାରୁ ବଙ୍ଗୋପସାଗର ଉପରେ ଥିବା ଗୁରୁଚାପର ପ୍ରଭାବ କମିବା ଫଳରେ ରାଜ୍ୟରେ ବିଶେଷ କୁହୁଡ଼ି ଦେଖାଯିବ ନାହିଁ।

କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ୨୨ତାରିଖ ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ଏହି ଦୁଇ ଦିନ ରାଜ୍ୟର ରାତ୍ରି ତାପମାତ୍ରା ଅପରିବର୍ତ୍ତିତ ରହିବ। ବର୍ଷା ଛାଡ଼ିଲେ ତାପମାତ୍ରା ଖସିବା ଆରମ୍ଭ ହୋଇଯିବ ଓ ୨୬ ତାରିଖ ସୁଦ୍ଧା ପ୍ରାୟ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସି ଶୀତ ପଡ଼ିବା ଆରମ୍ଭ ହେବ। ଅନ୍ୟପଟେ ବର୍ତ୍ତମାନ ଭାରତ ମହାସାଗରର ବିଷୁବରେଖା ଆଖପାଖ ତଥା ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ। ଏହା ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଶ୍ରୀଲଙ୍କା-ତାମିଲନାଡୁ ଉପକୂଳମୁହାଁ ହେବ। ‌ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଗତ ୨୪ ଘଣ୍ଟାରେ ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ହାଲ୍‌କା ବ‌ର୍ଷା ହୋଇଯାଇଛି। ସମତଳ ଅଞ୍ଚଳରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସୋନପୁର ଜିଲ୍ଲାରେ ୧୫.୨ ଡିଗ୍ରି ରେକର୍ଡ ହୋଇଛି। ପାହାଡ଼ିଆ ଅଞ୍ଚଳମାନଙ୍କ ମଧ୍ୟରେ କୋରାପୁଟରେ ୧୫ ଡିଗ୍ରି ଓ ଦାରିଙ୍ଗବାଡ଼ିଠାରେ ୧୫ଡିଗ୍ରି ଲେଖାଏଁ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି।

The post ରାଜ୍ୟରେ ପଞ୍ଚୁକ ବେଳକୁ ପ୍ରବଳ ଶୀତ ଅନୁଭୂତ ହେବ first appeared on Sambad.



from ରାଜ୍ୟ – Sambad https://ift.tt/36SPNxO

Post a Comment

0 Comments