ପୁଣି ବଢ଼ିଲା ଏକାଡେମି ପଦବି ଆବେଦନ ତାରିଖ, କାହା ପ୍ରତି ସଂସ୍କୃତି ବିଭାଗର ଏ ଅନୁକମ୍ପା?

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ବିଭିନ୍ନ ଏକାଡେମିରେ ସଭାପତି, ଉପସଭାପତି ଓ ସଚିବ ପଦବି ପୂରଣ ନିମନ୍ତେ ପ୍ରଥମଥର ପାଇଁ ଆବେଦନ ପତ୍ର ଆହ୍ବାନ କରାଯାଇଥିଲା। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଏକାଡେମି ପାଇଁ ଆବେଦନ ପତ୍ର ପହଞ୍ଚିଥିଲା। ନିର୍ଦିଷ୍ଟ ଯୋଗ୍ୟତା ସହ ଆବେଦନ କରିବାକୁ କୁହାଯାଇଥିଲା। ହେଲେ ବିଜ୍ଞପ୍ତିରେ ଥିବା ବୟସ ସୀମା ଏକାଡେମି ପଦ ମଣ୍ଡନ କରିଥିବା କିଛି ବ୍ୟକ୍ତିଙ୍କୁ ଅଡ଼ୁଆରେ ପକାଇଲା। ପଦ ଚାଲିଯିବା ଭୟରେ ସେମାନଙ୍କ ହସ୍ତକ୍ଷେପ ପରେ ସରକାରୀ ବିଜ୍ଞପ୍ତି ପୁନଃ ବଦଳିଲା। ଥରେ ନୁହେଁ, ବରଂ ପ୍ରଥମ ବିଜ୍ଞପ୍ତି ପରେ ଥରେ ନିୟମ ବଦଳିଥିବା ବେଳେ ଆଜି ପୁଣି ଆବେଦନ ତାରିଖ ବଢ଼ାଇ ଦିଆଯାଇଛି।

ସଂସ୍କୃତି ବିଭାଗ ଅଧୀନ ଏକାଡେମିର ସଭାପତି ପଦବି ପାଇଁ ବୟସ ସୀମା ପ୍ରଥମ ବିଜ୍ଞପ୍ତିରେ ୬୦ରୁ ୮୦ ବର୍ଷ ରହିଥିଲା। ସେହିଭଳି ଏକାଡେମି ସଚିବ ପଦ ପାଇଁ ବୟସ ସୀମା ୪୫ରୁ ୬୫ ବର୍ଷ ରହିଥିଲା। ହେଲେ କିଛି ବ୍ୟକ୍ତିଙ୍କ ପାଇଁ ଏହା ଅଡ଼ୁଆ ହେଲା। ତେଣୁ ୪ ତାରିଖରେ ପୁନଃ ନୂଆ ବିଜ୍ଞପ୍ତି ଜାରି ହେଲା। ଏଥିରେ ସଭାପତି ଓ ଉପସଭାପତି ପଦବି ପାଇଁ ବୟସ ସୀମା ୧୮ରୁ ୮୦ ଏବଂ ସଚିବ ପଦବି ପାଇଁ ବୟସ ସୀମା ୧୮ରୁ ୬୫ ବର୍ଷ ବୟସ ସୀମା ରଖି ପୁନଃ ବିଜ୍ଞପ୍ତି ଜାରି ହେଲା। ଖାଲି ଏତିକି ନୁହେଁ ଆବେଦନର ଶେଷ ତାରିଖ ୧୧ ତାରିଖ ଥିଲେ ହେଁ ଏହାକୁ ବଦଳାଇ ୧୨ ତାରିଖ ରଖାଯାଇଥିଲା। ତେବେ ଏହା ବି ସଂସ୍କୃତି ବିଭାଗକୁ ସନ୍ତୁଷ୍ଟ କରିପାରିଲା ନାହିଁ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏକାଡେମି ପଦବି ପାଇଁ ଆବେଦନ କରିବାର ତାରିଖ ପୁଣି ୭ଦିନ ବଢ଼ାଯିବ। ତେବେ ସଂସ୍କୃତି ବିଭାଗ କାହାକୁ ଏତେ ଅନୁକମ୍ପା ଦେଖାଇ ବାରମ୍ବାର ନିୟମ ପରିବର୍ତନ କରୁଛି ତାହା ପ୍ରଶ୍ନବାଚୀ ଲଗାଇଛି। ଏନେଇ ସଂସ୍କୃତି ନିର୍ଦେଶକ ରଂଜନ କୁମାର ଦାସଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲେ ବି ଉତ୍ତର ମିଳିନଥିଲା।

The post ପୁଣି ବଢ଼ିଲା ଏକାଡେମି ପଦବି ଆବେଦନ ତାରିଖ, କାହା ପ୍ରତି ସଂସ୍କୃତି ବିଭାଗର ଏ ଅନୁକମ୍ପା? first appeared on Sambad.



from ରାଜ୍ୟ – Sambad https://ift.tt/3nhTZxI

Post a Comment

0 Comments