
ଭୁବନେଶ୍ବର: ଅଙ୍ଗନବାଡ଼ିରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଲାଭ କରୁଥିବା ୩ରୁ ୬ ବର୍ଷ ବୟସର ଶିଶୁଙ୍କ ପାଇଁ ଚଳିତବର୍ଷଠାରୁ ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ନୂଆ ଜୋତା, ମୋଜା ଓ ସ୍ବେଟର ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାରେ ରାଜ୍ୟରେ ୧୬ ଲକ୍ଷ ୧୪ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। ନଭେମ୍ବର ୧୪ ତାରିଖ ତଥା ଶିଶୁ ଦିବସ ଅବସରରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଶିଶୁଙ୍କୁ ଜୋତା, ମୋଜା ଓ ଶୀତ ବସ୍ତ୍ର ବଣ୍ଟନ ଆରମ୍ଭ ହୋଇଛି। ୧୭ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୭୨ ହଜାର ୫୮୭ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୫୨ ହଜାର ୪୮୫ଟି କେନ୍ଦ୍ରରେ ଶିଶୁଙ୍କୁ ଏକ ହଳ ଜୋତା ଓ ମୋଜା ଏବଂ ଗୋଟିଏ ସ୍ବେଟର ପ୍ରଦାନ କରାଯାଇଛି। ସରକାରଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ନିୟମାବଳୀ ଅନୁଯାୟୀ ପିଲାଙ୍କୁ କଳା ଜୋତା, ଗୋଲାପି ମୋଜା ଏବଂ ଖଇରିଆ ରଙ୍ଗର ଭି-ନେକ୍ ବିଶିଷ୍ଟ ପୂରା ହାତର ସ୍ବେଟର ପ୍ରଦାନ କରାଯାଇଛି। ୨୫ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁମାନଙ୍କୁ ସ୍ବେଟର ଦେବା କାର୍ଯ୍ୟ ଶେଷ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପିଲାଙ୍କୁ ଏହି ସବୁ ସାମଗ୍ରୀ ବଣ୍ଟନ ସମୟରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି, ମାତୃ ଏବଂ ଯାଞ୍ଚ କମିଟିର ସଦସ୍ୟ, ପିତାମାତା, ଜେଜେବାପା, ଜେଜେମା’ମାନେ ଉପସ୍ଥିତ ଥିଲେ। ଏହି ପରିଧାନ ବିତରଣ କାର୍ଯ୍ୟକ୍ରମରେ କୋଭିଡ୍ ନିୟମାବଳୀର କଡ଼ାକଡ଼ି ଅନୁ ପାଳନ କରାଯାଇଥିଲା।
The post ଅଙ୍ଗନବାଡ଼ି ଶିଶୁଙ୍କୁ ଜୋତା, ମୋଜା ଓ ସ୍ବେଟର ପ୍ରଦାନ, ଉପକୃତ ହେବେ ୧୬ ଲକ୍ଷ ଛାତ୍ରଛାତ୍ରୀ first appeared on Sambad.
from ରାଜ୍ୟ – Sambad https://ift.tt/2ICbbiY
0 Comments