
ଭୁବନେଶ୍ୱର : ବିଦ୍ୟାଳୟର ଉନ୍ନତି ପଥରେ ପୁରାତନ ଛାତ୍ରଛାତ୍ରୀ ଓ ସମାଜକୁ ଯୋଡ଼ିବା ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ‘ମୋ ସ୍କୁଲ୍’ ଅଭିଯାନ ଗତ ନଭେମ୍ବର ୧୪ତାରିଖରେ ଚତୁର୍ଥ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହି ଅବସରରେ ଏକ ରାଜ୍ୟସ୍ତରୀୟ ଭର୍ଚୁଆଲ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ବିଜୟ ସାହୁ, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ଅନ୍ୟ ଅତିଥିମାନେ ଯୋଗଦେଇ ମୋ ସ୍କୁଲ୍ର ଅଗ୍ରଗତି ଓ ଏହାକୁ ପାଥେୟ କରି ସଫଳତା ଅର୍ଜନ କରିଥିବା କିଛି ସ୍କୁଲ୍ ବିଷୟରେ ଆଲୋକପାତ କରିଥିଲେ।
ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ କାଲିଫର୍ଣ୍ଣିଆରୁ ନମ୍ରତା ପଟ୍ଟନାୟକ ସାମିଲ୍ ହୋଇ କହିଲେ, ମୋ ସ୍କୁଲ୍ କାର୍ଯ୍ୟକ୍ରମ ଆମେରିକାର ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଆଦୃତ ହୋଇଛି। ସେ ଓ ତାଙ୍କ ଭଳି ଆମେରିକାରେ ରହୁଥିବା ବହୁ ଓଡ଼ିଆ ଓଡ଼ିଶାର ସ୍କୁଲ୍ମାନଙ୍କ ସହ ଯୋଡ଼ି ହୋଇ ସ୍ମାର୍ଟ ଶ୍ରେଣୀ ଗୃହ ଗଠନ, ପାଠାଗାର ପ୍ରତିଷ୍ଠା ଏବଂ ଅନ୍ୟ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି। ତେଲେଙ୍ଗାନାର ବରିଷ୍ଠ ପ୍ରଶାସକ ବିଭୁ ପ୍ରସାଦ ଆଚାର୍ଯ୍ୟଙ୍କ ସୂଚନା ମୁତାବକ, ସେ ପଢ଼ିଥିବା ଭୁବନେଶ୍ବରସ୍ଥିତ ୟୁନିଟ୍-୯ ଉଚ୍ଚବିଦ୍ୟାଳୟ ନିମନ୍ତେ ୪୦ଲକ୍ଷ ଟଙ୍କାର ବିକାଶମୂଳକ କାମ ହାତକୁ ନିଆଯାଇଛି। ଟିଟିଲାଗଡ଼ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରାମହରି ସାହୁ, ମାଲକାନଗିରିର ସଫଳ ଚାଷୀ ବିକାଶ ବୈରାଗୀ ଟିଟିଲାଗଡ଼ର ଧବଳେଶ୍ବର ଉଚ୍ଚବିଦ୍ୟାଳୟ ଏବଂ ମାଲକାନଗିରିର ଜଗନ୍ନାଥ ଉଚ୍ଚବିଦ୍ୟାଳୟରେ କରାଯାଇଥିବା ଉନ୍ନତିମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଭୂତି ଉପସ୍ଥାପନ କରିଥିଲେ।
ଓଡ଼ିଶାରେ ସଂପ୍ରତି ୧୩୪୪୮ଟି ସ୍କୁଲ୍ ‘ମୋ ସ୍କୁଲ୍’ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଆନୁମାନିକ ୧ଲକ୍ଷ ୮୩ ହଜାର ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇଛନ୍ତି। ୨୦୨୧ ମାର୍ଚ୍ଚ ସୁଦ୍ଧା ୨୫ହଜାର ସ୍କୁଲ୍ ଏହି ଧାରାରେ ଯୋଡ଼ି ହେବ ବୋଲି ଆଶା ରଖାଯାଇଛି। ମନ୍ତ୍ରୀ ଶ୍ରୀ ଦାଶ ୩୦ଟି ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ‘ମୋ ସ୍କୁଲ୍’ ଅଭିଯାନରେ ଯୋଡ଼ି ହେବାକୁ ଆହ୍ବାନ ଜଣାଇଛନ୍ତି। ମୋ ସ୍କୁଲ୍ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ କିଛି ସଫଳ କାହାଣୀ ବର୍ଣ୍ଣନା କରିବା ସହ ଏହି ଅଭିଯାନକୁ ବିସ୍ତାର କରିବା ପାଇଁ ଆରମ୍ଭ ହୋଇଥିବା ବହୁ ପ୍ରକଳ୍ପ ବିଷୟରେ ସୂଚନା ଦେଇଥିଲେ। ଏହି ଅବସରରେ ଅ, ଆ, କ, ଖ ସମ୍ବାଦ ପତ୍ରିକା ଓ ‘ମୋ ସ୍କୁଲ ଅଭିଯାନ’ ସଂଗୀତ ଉନ୍ମୋଚିତ ହୋଇଥିଲା।
The post ଚତୁର୍ଥ ବର୍ଷରେ ‘ମୋ ସ୍କୁଲ୍’, ଯୋଡ଼ି ହେଲେଣି ୧୩୪୪୮ ସ୍କୁଲ୍, ୧୮୩୦୦୦ ପୁରାତନ ଛାତ୍ରଛାତ୍ରୀ first appeared on Sambad.
from ରାଜ୍ୟ – Sambad https://ift.tt/2UvgB1o
0 Comments