ଚରିତ୍ର ପଞ୍ଜିକା ନ ମିଳିଲେ ପଦୋନ୍ନତି ଘୁଞ୍ଚିବ, ସରକାରଙ୍କ ନୂଆ ନିୟମକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ

ଭୁବନେଶ୍ୱର : ଗ୍ରୁପ୍‌ ‘ଏ’ ଓ ଗ୍ରୁପ୍‌ ‘ବି’ ଅଧିକାରୀଙ୍କ ଆବଶ୍ୟକ ଚରିତ୍ର ପଞ୍ଜିକା (ସିସିଆର୍‌) ନ ମଳିଲେ ସେମାନଙ୍କ ପାଇଁ ପୂର୍ବପରି ପଦବି ସଂରକ୍ଷଣ ରହିବ ନାହିଁ। ସାଧାରଣ ପ୍ରଶାସନ ବିଭାଗ ଗତ ଅଗଷ୍ଟ ମାସରେ ଜାରି କରିଥିବା ଏହି ନୂଆ ନିୟମାବଳୀକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସଂଶୋଧିତ ନିୟମକୁ ପ୍ରତ୍ୟାହାର କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

ପଦୋନ୍ନତି ପାଇଁ ପୂର୍ବରୁ ଥିବା ନିୟମ ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପାଇଁ ଗତ ୫ ବର୍ଷର ଚରିତ୍ର ପଞ୍ଜିକା ଦରକାର ପଡ଼ିଥାଏ। ସେଥିରୁ ଯେ କୌଣସି ୩ ବର୍ଷର ପଞ୍ଜିକା ପଦୋନ୍ନତି ପାଇଁ ନିହାତି ଆବଶ୍ୟକ। କୌଣସି କର୍ମଚାରୀଙ୍କ ଚରିତ୍ର ପଞ୍ଜିକା ଅଭାବ ରହିଲେ ତାଙ୍କ ପଦୋନ୍ନତିକୁ ଘୁଞ୍ଚାଇ ଦିଆଯାଇ ସମ୍ପୃକ୍ତ ପଦବିକୁ ସଂରକ୍ଷିତ ରଖାଯାଏ। ପରବର୍ତ୍ତୀ କାଳରେ ଆବଶ୍ୟକ ଚରିତ୍ର ପଞ୍ଜିକା ଯୋଗାଡ଼ ହେବା ପରେ ପୁଣି ସାନି ସ୍ବତନ୍ତ୍ର ଡିପିସି କିମ୍ବା ରିଭ୍ୟୁ ଡିପିସି କରାଯାଇ ତାଙ୍କୁ ପଦୋନ୍ନତି ଦିଆଯାଇଥାଏ। ଏବେ ଆଉ ଏ ନିୟମ ରହିବ ନାହିଁ। ସଂଶୋଧିତ ନିୟମାବଳୀ ଅନୁଯାୟୀ ୨୦୧୫-୧୬ ବର୍ଷରୁ ଗ୍ରୁପ୍‌ ‘ଏ’ ଓ ଗ୍ରୁପ୍‌ ‘ବି’ ଅଧିକାରୀଙ୍କ ପାଇଁ ଏଚ୍‌.ଆର୍‌.ଏମ୍‌.ଏସ୍‌ ମାଧ୍ୟମରେ ପରଫରମାନ୍ସ୍‌ ଆପ୍ରାଇଜାଲ୍‌ ରିପୋର୍ଟ (ପାର୍‌) ଲିପିବଦ୍ଧ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ କର୍ମଚାରୀଙ୍କ ଆବଶ୍ୟକ ପରିମାଣର ସିସିଆର୍‌ ନ ମିଳିବ, ସେଥିପାଇଁ ପରବର୍ତ୍ତୀ କାଳରେ ଚରିତ୍ର ପଞ୍ଜିକା ଯୋଗାଡ଼ ହୋଇପାରିବ ନାହିଁ। କାରଣ ଅନ୍‌ଲାଇନ୍‌ ଏଚ୍‌.ଆର୍‌.ଏମ୍‌.ଏସ୍‌ ବ୍ୟବସ୍ଥା ହେତୁ ପୂର୍ବବର୍ଷ ପାଇଁ ସିସିଆର୍‌ ଲିପିବଦ୍ଧ କରାଯାଇପାରିବ ନାହିଁ।

କର୍ମଚାରୀଙ୍କ କହିବା ଅନୁଯାୟୀ ଯେଉଁ କର୍ମଚାରୀ ନିଜର ଚରିତ୍ର ପଞ୍ଜିକା ବା ପାର୍‌କୁ ଏଚ୍‌.ଆର୍‌.ଏମ୍‌.ଏସ୍‌ରେ ଲିପିବଦ୍ଧ କରିଛନ୍ତି କିନ୍ତୁ କୌଣସି କାରଣ ବଶତଃ ତାଙ୍କ ରିପୋର୍ଟିଂ ଓ ରିଭ୍ୟିୁଂ ଅଧିକାରୀ କିଛି ବି ଟିପ୍ପଣୀ ଦେଇନାହାନ୍ତି, ତାହେଲେ ସମ୍ପୃକ୍ତ କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ କି ନାହିଁ ସରକାର ସ୍ପଷ୍ଟ କରିନାହାନ୍ତି। ରିପୋର୍ଟିଂ ଓ ରିଭ୍ୟିୁଂ ଅଧିକାରୀଙ୍କ ଅବହେଳା ପାଇଁ ଦାୟୀ କିଏ ରହିବ? ଖାଲି ସେତିକି ନୁହେଁ, ଯଦି ଜଣେ କର୍ମଚାରୀ ଦେହ ଖରାପ କିମ୍ବା ଅନ୍ୟ କୌଣସି କାରଣରୁ ନିଜର ଚରିତ୍ର ପଞ୍ଜିକା ବା ପାର୍‌ ଦେଇପାରିନାହାନ୍ତି ସେ କ୍ଷେତ୍ରରେ କଣ ହେବ। ନିର୍ମାଣ ବିଭାଗର ଜନୈକ ବରିଷ୍ଠ ଅଧିକାରୀଙ୍କ କହିବା କଥା, ସରକାରଙ୍କ ୨୦୦୬ ମସିହା ମାର୍ଗଦର୍ଶିକା ଅନୁଯାୟୀ ଯଦି କୌଣସି ଅଧିକାରୀ ଠିକ୍‌ ସମୟରେ ଏଚ୍‌.ଆର୍‌.ଏମ୍‌.ଏସ୍‌ ମାଧ୍ୟମରେ ପାର୍‌ ଲିପିବଦ୍ଧ କରିପାରିନାହାନ୍ତି, ସେ କ୍ଷେତ୍ରରେ ତାଙ୍କ ଅଫିସର ଉପରିସ୍ଥ ଅଧିକାରୀ ସେଥିପାଇଁ ପଦକ୍ଷେପ ନେବେ ଓ ସେହିବର୍ଷ ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ପାର୍‌ ଲିପିବଦ୍ଧ କରାଯିବ। ଏବେ ସରକାରଙ୍କ ନୂଆ ନିୟମକୁ ନେଇ କର୍ମଚାରୀ ଦ୍ବନ୍ଦ୍ବରେ ରହିଥିବା ସେ କହିଛନ୍ତି।

The post ଚରିତ୍ର ପଞ୍ଜିକା ନ ମିଳିଲେ ପଦୋନ୍ନତି ଘୁଞ୍ଚିବ, ସରକାରଙ୍କ ନୂଆ ନିୟମକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ first appeared on Sambad.



from ରାଜ୍ୟ – Sambad https://ift.tt/3kfXOS3

Post a Comment

0 Comments