ସିବିଆଇ ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ବିଜେପିକୁ ଟାର୍ଗେଟ କଲେ ନରସିଂହ ଓ ତାରା

ଭୁବନେଶ୍ୱର : ବଲାଙ୍ଗୀର ଜିଲ୍ଲାରେ ଏକାଧିକ ହତ୍ୟା ଓ ଦୁଷ୍କର୍ମ ଘଟଣାରେ ବର୍ଷ ବର୍ଷ ଧରି ସିବିଆଇ ତଦନ୍ତ କରୁଛି କିନ୍ତୁ ଆଜି ପର୍ଯ୍ୟନ୍ତ ଚାର୍ଜସିଟ୍‌ ଫାଇଲ କରିପାରିନି। ସେହିପରି ଟିକିରି ଇତିଶ୍ରୀ ହତ୍ୟା ଘଟଣାରେ ସିବିଆଇ କିପରି ଫେଲ୍ ମାରିଥିଲା ସେ ନେଇ ବିଧାନସଭାରେ ବିଜେପିକୁ ପ୍ରଶ୍ନ କରିଛି କଂଗ୍ରେସ। ଏହାସହିତ ପଶ୍ଚିମ ଓଡ଼ିଶାର ଜଣେ ବିଜେପି ନେତାଙ୍କ ବିରୋଧରେ ଜନୈକ ମହିଳା କ୍ୟାପିଟାଲ ଥାନାରେ ଦୁଷ୍କର୍ମ ଅଭିଯୋଗ ନେଇ ମଧ୍ୟ ଗୃହରେ କଂଗ୍ରେସ ପ୍ରସଙ୍ଗ ଉଠାଇଥିଲା। ଅନ୍ୟପଟେ ନାବାଳିକା ପରୀର ହତ୍ୟା ପରେ ତାର ଅଙ୍ଗକୁ ବିକ୍ରି କରାଯାଇଛି। ଏହି ଅଙ୍ଗ ତସ୍କରିରେ କିଏ କିଏ ସମ୍ପୃକ୍ତ ଅଛନ୍ତି ସେଥିପାଇଁ ସିବିଆଇ ତଦନ୍ତ ହେଲେ ହିଁ ଯାଇ ପ୍ରକୃତ କଥା ପଦାକୁ ଆସିବ ବୋଲି ବିଜେପି ଯୁକ୍ତି ଦର୍ଶାଇଛି।

ରବିବାର ଅପରାହ୍ନ ଅଧିବେଶନରେ ବୈଧାନିକ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଥିଲେ, ଗୃହରେ କେବଳ ଗୋଟିଏ ପ୍ରସଙ୍ଗରେ ଆମେ ସରକାରଙ୍କୁ ଜବାବ ମାଗୁନାହିଁ। ନୟାଗଡ଼ର ନାବାଳିକା ଝିଅ ପରୀକୁ ହତ୍ୟା କରିବା ପରେ ତାର ବିଭିନ୍ନ ଅଙ୍ଗକୁ ଚାଲାଣ କରାଯାଇଛି। ଏଥିରେ ଗୋଟିଏ ବଡ଼ ଅଙ୍ଗ ତସ୍କରି ଦଳ ରହିଥିବା ସନ୍ଦେହ କରାଯାଉଛି। ରାଜ୍ୟ ସରକାର ପରୀ, ମୁସ୍‌କାନ ପରେ କେତେ ଯୋଜନା ମଧ୍ୟ କରିଛନ୍ତି। କିନ୍ତୁ ସେସବୁ କିଛି ବି କାର୍ଯ୍ୟରେ ଆସୁନି। ନୟାଗଡ଼ ଘଟଣାରେ ପରୀର ଅଙ୍ଗ ବାବୁଲି ନାଏକ ବୋଲି ଜଣେ ବ୍ୟକ୍ତି ଚାଲାଣ କରିଥିବା ନେଇ ଅଭିଯୋଗ ହୋଇଛି। ଏହା ସଂଗୀନ ଅଭିଯୋଗ। ସେହି ବାବୁଲି ନାଏକ କିଏ। ତେଣୁ ଏଥିପାଇଁ ସିବିଆ ତଦନ୍ତ ନିହାତି ଆବଶ୍ୟକ।

ଶ୍ରୀ ନାଏକଙ୍କୁ ଜବାବ ଦେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୋଟିଏ ଦୈନିକ ଖବରକାଗଜରେ ପ୍ରକାଶିତ ଖବର ପଢ଼ି କହିଥିଲେ ବଲାଙ୍ଗୀରରେ ୨୦୧୫ରେ ଜନୈକ ନାବାଳିକା ଦଳିତ ଝିଅକୁ ଗଣଦୁଷ୍କର୍ମ କରାଯାଇଥିଲା। ଏହି ମାମଲାରେ ତଦନ୍ତଭାର ସିବିଆଇ ନେଇଥିଲା। କିନ୍ତୁ ୫ ବର୍ଷ ବିତିଥିଲେ ବି ଏହି ମାମଲାରେ ସିବିଆଇ ଚାର୍ଜସିଟ୍‌ ଦାଖଲ କରିପାରିନାହିଁ। ସେହିପରି ୧୯୯୭ ମସିହାରେ ଘଟିଥିବା ଗୋଟିଏ ହତ୍ୟାକାଣ୍ଡ ଘଟଣାର ଏ ପର୍ଯ୍ୟନ୍ତ ସିବିଆଇ କୌଣସି ପର୍ଦ୍ଦାଫାସ କରିପାରିନାହିଁ। ଗୋଟିଏ ଜାତୀୟ ଦଳର ନେତା ତଥା ପୂର୍ବତନ ମନ୍ତ୍ରୀ ଜଣେ ଅଣଓଡ଼ିଆ ମହିଳାଙ୍କୁ ଏକାଧିକ ଥର ଦୁଷ୍କର୍ମ କରିଥିବା ନେଇ କ୍ୟାପିଟାଲ ଥାନାରେ ଏତଲା ଦାୟର ହୋଇଛି। ସେ ନେତା ଜଣଙ୍କ ପଶ୍ଚିମ ଓଡ଼ିଶାର। ଆଉ ସେ ଜାତୀୟ ଦଳ ଏବେ କ୍ଷମତାରେ ଅଛି। ଏହି ଦୁଷ୍କର୍ମ ବିରୋଧରେ ଥାନାରେ ଏତଲା ଦେଲେ ଜୀବନରେ ମାରିଦେବେ ବୋଲି ସମ୍ପୃକ୍ତ ମହିଳାଙ୍କୁ କୁଆଡ଼େ ନେତା ଜଣଙ୍କ ଧମକ ଦେଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଜାତୀୟ ଦଳ ଅର୍ଥ ବିଜେପି କିମ୍ବା କଂଗ୍ରେସ। କଂଗ୍ରେସ ତ କ୍ଷମତାରେ ନାହିଁ। ଏହାର ଅର୍ଥ ବିଜେପି ଦଳର ନେତା। ଏବେ ବିଜେପି ବନ୍ଧୁମାନେ ଉତ୍ତର ଦେବା ଦରକାର। ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ହତ୍ୟା ମାମଲାରେ ସିବିଆଇ କିପରି ଅସଫଳ ରହିଥିଲା ସେ ସମ୍ପର୍କରେ କହିଥିଲେ। ଏହାସହିତ ଗୃହରେ ବିଶୃଙ୍ଖଳା କରି ବିଜେଡିକୁ ବଞ୍ଚାଇବା ପାଇଁ ବିଜେପି ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ।

The post ସିବିଆଇ ଦକ୍ଷତା ଉପରେ ପ୍ରଶ୍ନ ଉଠାଇ ବିଜେପିକୁ ଟାର୍ଗେଟ କଲେ ନରସିଂହ ଓ ତାରା first appeared on Sambad.



from ରାଜ୍ୟ – Sambad https://ift.tt/3lm7B9G

Post a Comment

0 Comments