
ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର, ଏସ୍ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକକୁ ତୁରନ୍ତ ଗିରଫ କରାଯାଉ
ଭୁବନେଶ୍ୱର : ପରୀ ହତ୍ୟାକାଣ୍ଡ ମାମଲାରେ ବିଜେପି ତା’ର ଆନ୍ଦୋଳନ ଜାରି ରଖିଛି। ଗତକାଲି ମହିଳା ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ବେଳେ ଆଜି ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ବିଧାନସଭା ଘେରାଉ କରାଯାଇଥିଲା। ଜିଲ୍ଲା ସଭାପତି ବାବୁ ସିଂହଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନକାରୀମାନେ ବିଧାନସଭା ଆଡ଼କୁ ଅଗ୍ରସର ହେଉଥିଲା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇବାରୁ ସେଠାରେ କିଛି ସମୟ ଠେଲାପେଲା ହୋଇଥିଲା।
ଶ୍ରୀ ସିଂହ କହିଥିେଲ ଯେ ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ବିଜେଡି କର୍ମୀ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଘନିଷ୍ଠ ହୋଇଥିବା ଯୋଗୁଁ ପୁଲିସ୍ ଏପର୍ଯ୍ୟନ୍ତ ତା’କୁ ଗିରଫ କରି ନାହିଁ। ପୁଲିସ୍ ଶାସକ ଦଳ ଚାପରେ କାର୍ଯ୍ୟ କରୁଛି । ପରୀ ହତ୍ୟାକାଣ୍ଡର ତଦନ୍ତ ଭାର କ୍ରାଇମବ୍ରାଞ୍ଚ୍ ନୁହେଁ ବରଂ ସିବିଆଇକୁ ହସ୍ତାନ୍ତର କରାଯାଉ। ଘଟଣାରେ ଶାସକ ଦଳର ମନ୍ତ୍ରୀଙ୍କ ସଂପୃକ୍ତି ଥିବାରୁ ଘଟଣାକୁ ଚପାଇ ଦେବା ଲାଗି ଯେଉଁ ଅପପ୍ରୟାସ ଚାଲିଛି ତାହା ପର୍ଦ୍ଦାଫାସ କରାଯାଉ। ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ଶ୍ରୀ ସାହୁଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ। ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ଓ ତା’ର ସହଯୋଗୀଙ୍କୁ ଗିରଫ କରି କଠୋର ଦଣ୍ଡ ଦିଆଯାଉ। କର୍ତବ୍ୟରେ ଅବହେଳା ଓ କ୍ଷମତାର ଅପବ୍ୟବହାର କରିଥିବାରୁ ନୟାଗଡ଼ ଏସ୍ପି ଓ ଥାନା ଅଧିକାରୀଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ସିଂହ ଦାବି କରିଥିଲେ। ଘେରାଉ କାର୍ଯ୍ୟକ୍ରରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ, ଜିଲ୍ଲାର ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଅମରଜ୍ୟୋତି ଜଗଦେବଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ୍ ହୋଇଥିଲେ।
The post ବିଧାନସଭା ଘେରାଉ କଲା ଜିଲ୍ଲା ବିଜେପି first appeared on Sambad.
from ରାଜ୍ୟ – Sambad https://ift.tt/2VaQLjA
0 Comments