ପୁରୁଣା ବିଧାନସଭା ହେବ ଐତିହ୍ୟସ୍ଥଳ

ଭୁବନେଶ୍ୱର : ଓଡ଼ିଶାର ସାମଗ୍ରିକ ଉନ୍ନତି ପାଇଁ ଦିନେ ନୀତି ନିର୍ଧାରଣ ହେଉଥିବା ୟୁନିଟ୍‌-୨ସ୍ଥିତ ପୁରୁଣା ବିଧାନସଭାର ଐତିହ୍ୟ କୋଠାକୁ ବିକାଶ କରାଯିବ। ପୁରୁଣା ଛାପ ଥାଇ ସୌନ୍ଦର୍ଯ୍ୟକରଣ କରାଯିବ। ଐତିହ୍ୟ ସ୍ଥଳରେ ପରିଣତ କରାଯିବା ସହ ପରିସରକୁ ସଂଗ୍ରହାଳୟର ରୂପ ଦିଆଯିବ। ଏନେଇ ପ୍ରତ୍ନତତ୍ତ୍ବବିତ୍‌ଙ୍କ ସହ ଆଲୋଚନା ପୂର୍ବକ ଏହାର ରୂପରେଖ ପ୍ରସ୍ତୁତ କରାଯାଇଛି। ପରବର୍ତୀ ପିଢ଼ି ଏହାକୁ ପରିଦର୍ଶନ କରି ଅତୀତର ଏହି ମର୍ଯ୍ୟାଦାସମ୍ପନ୍ନ ଗୃହ ବାବଦରେ ଜାଣିବାର ସୁଯୋଗ ପାଇବେ। ତେଣୁ ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ବିଲ୍‌ଡିଂ ହସ୍ତାନ୍ତର କରିବାକୁ ବାଚସ୍ପତି ନିର୍ଦେଶ ଦେବା ପରେ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି, ପୁରୁଣା ବିଧାନସଭା ପରିସରସ୍ଥିତ ତଥା ସର୍ଦାର ପଟେଲ୍ ହଲ୍ କମ୍ପ୍ଲେକ୍ସରେ ଥିବା ଓଡ଼ିଆ ଭାଷା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର, ଷ୍ଟାଫ୍ ସିଲେକ୍ସନ କମିସନ୍ ଏବଂ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଅଧୀନ ତାମିଲ୍ ଓ ଜୈନ ପାଠ୍ୟକ୍ରମକୁ ଏଠାରୁ ସ୍ଥାନାନ୍ତର କରାଯିବ। ବାଚସ୍ପତିଙ୍କ ନିର୍ଦେଶକ୍ରମେ ପ୍ରଥମ ପଦକ୍ଷେପ ସ୍ବରୂପ ଏହି ପରିସର ବାବଦରେ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି। ଶ୍ରୀ ସେଠୀ ଏନେଇ ବାଚସ୍ପତିଙ୍କୁ ରିପୋର୍ଟ ଦେବା ପରେ ପରବର୍ତୀ କାର୍ଯ୍ୟ ଆଗେଇ ନିଆଯିବ ବୋଲି ସୂଚନା ମିଳିଛି। ଆଜି ଶ୍ରୀ ସେଠୀ ସର୍ଦାର ପଟେଲ୍ ହଲ୍ କମ୍ପ୍ଲେକ୍ସ ପରିସର ବୁଲି ଦେଖିଥିଲେ। ଏଥି ସହ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳସଚିବ, ଷ୍ଟାଫ୍ ସିଲେକ୍ସନ କମିସନ୍ ସଚିବ ଏବଂ ଓଡ଼ିଆ ଭାଷା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକଙ୍କୁ ନେଇ ବୈଠକ ଡାକିବା ସହ ପୁରୁଣା ବିଧାନସଭାର ନୂତନ ରୂପରେଖ ବାବଦରେ ଆଲୋଚନା କରିଥିଲେ।

ସମ୍ପୃକ୍ତ ଜମିକୁ ସାଧାରଣ ପ୍ରଶାସନ ସଂସ୍କୃତି ବିଭାଗକୁ ଦେଇଥିବା ବେଳେ ବିଭାଗ ପକ୍ଷରୁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟକୁ ଦିଆଯାଇଥିଲା। ପରବର୍ତୀ ସମୟରେ ମଦନପୁରକୁ ସଂସ୍କୃତି ବିଶ୍ବବିଦ୍ୟାଳୟ ସ୍ଥାନାନ୍ତର ହୋଇସାରିଥିଲେ ହେଁ ଏଠାରେ ଏବେ ବି ଜୈନ ଓ ତାମିଲ୍ ଭାଷା ପାଠ୍ୟକ୍ରମ ଚାଲିଛି। ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇ ଓଡ଼ିଆ ଭାଷା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ଗତ ଜୁନ୍ ମାସରୁ ଆରମ୍ଭ ହୋଇଛି। ତେଣୁ ୩ଟି କାର୍ଯ୍ୟାଳୟ ଏହି ପରିସରରୁ ସ୍ଥାନାନ୍ତର ହେବା ପରେ କାମ ଆରମ୍ଭ ହେବ ବୋଲି କୁହାଯାଇଛି।

The post ପୁରୁଣା ବିଧାନସଭା ହେବ ଐତିହ୍ୟସ୍ଥଳ first appeared on Sambad.



from ରାଜ୍ୟ – Sambad https://ift.tt/32ttYUg

Post a Comment

0 Comments