
ପାଟଣାଗଡ଼ : ପାଟଣାଗଡ଼ ସଅଁରାପଡ଼ା କୁସୁମତଲ ଚାଞ୍ଚଲ୍ୟକର ଗଣହତ୍ୟା ମାମଲାରେ ପୁଲିସ ଆଉ ୭ ଜଣଙ୍କୁ ଅଟକ ରଖିଛି। ଏମାନଙ୍କୁ ମିଶାଇ ପାଟଣାଗଡ଼ରେ ୪ଜଣ ଓ ବାହାରେ ୫ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ପୂର୍ବରୁ ପାଟଣାଗଡ଼ ଥାନାରେ ଭୋଲା ଓ ଶିବାଙ୍କୁ ପୁଲିସ ଅଟକ ରଖିଥିଲା। ଶନିବାର ବବଲୁ ଜାନୀ ଓ ସୁରେଶ ମାଝୀ ନାମକ ଆଉ ୨ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି। ସେହିପରି ପୁଲିସର ଏକ ଟିମ୍ ବାହାର ଜିଲ୍ଲାରୁ ଆଉ ୫ ଜଣଙ୍କୁ ଆଣି ପାଟଣାଗଡ଼ ବାହାରେ ରଖି ପଚରା ଉଚୁରା କରୁଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖ ରାତିରେ କୁସୁମତଲରେ ରହୁଥିବା ବୁଲୁ ଜାନୀଙ୍କ ପରିବାରର ୬ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ୧୧ ତାରିଖ ସକାଳୁ ୬ଟି ଯାକ ମୃତଦେହ କମ୍ବଳ ଘୋଡ଼ାଇ ରଖାଯାଇଥିବା ନେଇ ପଡ଼ିଶା ଲୋକେ ପୁଲିସକୁ ସୂଚନା ଦେଇଥିଲେ।ଏସ୍ପି ଏମ୍. ସନ୍ଦୀପ ସଂପତ, ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହ ପୁଲିସ ଅଧିକାରୀମାନେ ପହଞ୍ଚି ତଦନ୍ତ କରିଥିଲେ। ସେହିପରି ଭୁବନେଶ୍ବରରେ ଥିବା ମୃତ ବୁଲୁଙ୍କ ୫ ପୁଅ ସେମାନଙ୍କ ପରିବାର ସହ ଆସିବା ପରେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ସେମାନେ ଥାନାରେ ଅଭିଯୋଗ କରିଥିଲେ। ଭୁବନେଶ୍ୱରରୁ ଆସିଥିବା ବୁଲୁଙ୍କ ପୁଅ ଓ ସେମାନଙ୍କ ପରିବାର ଲୋକେ କୁସୁମତଲର ନିଜ ଘରକୁ ଯାଇଥିଲେ। ହେଲେ ଘର ଭିତରେ ଗୋଟିଏ ଗାତ ରହିଥିବା ଏବଂ ଉକ୍ତ ଗାତରେ ରକ୍ତ ଲାଗିଥିବା ଦେଖିବାକୁ ପାଇଥିଲେ। ଫଳରେ ସେମାନେ ଭୟଭୀତ ହୋଇ ଘର ଛାଡ଼ି ଅନ୍ୟତ୍ର ରହିଥିଲେ। ଏମାନେ ଝାଡ଼ଖଣ୍ଡର ମୂଳ ବାସିନ୍ଦା ହୋଇଥିବାରୁ ସେଠାକୁ ଯାଇ ମୃତ ପରିବାର ବର୍ଗଙ୍କ ଶୁଦ୍ଧିକ୍ରିୟା କରିବେ ବୋଲି କହୁଥିବା ଜଣାପଡ଼ିଛି।
The post ପାଟଣାଗଡ଼ ଗଣହତ୍ୟା ମାମଲା : ଆଉ ୭ ଜଣଙ୍କୁ ଅଟକ ରଖି ଜେରା first appeared on Sambad.
from ରାଜ୍ୟ – Sambad https://ift.tt/3ntccbw
0 Comments