
ସଂଶୋଧିତ ନିୟମକୁ କ୍ୟାବିନେଟ୍ ସ୍ବୀକୃତି
ଫାର୍ମାସିଷ୍ଟ, ନର୍ସିଂ, ରେଡିଓଗ୍ରାଫର୍ ସେବା ନିୟମରେ ସଂଶୋଧନ
ଭୁବନେଶ୍ୱର : ରାଜ୍ୟ ବାହାରର ଯୋଗ୍ୟ ଡାକ୍ତରମାନେ ଏଣିକି ଓଡ଼ିଶାରେ ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇପାରିବେ। ଏ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ସରକାର ହଟାଇ ଦେଇଛନ୍ତି। ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟ ସେବା ( ଚୟନ ପଦ୍ଧତ୍ତି ଓ ସେବା ସର୍ତ୍ତ) ନିୟମ, ୨୦୧୭କୁ ସରକାର ସଂଶୋଧନ କରିଛନ୍ତି। ଆଜି ଏହି ସଂଶୋଧିତ ପ୍ରସ୍ତାବକୁ କ୍ୟାବିନେଟ୍ ସ୍ବୀକୃତି ମିଳିଛି।
ନୂଆ ବ୍ୟବସ୍ଥା ଅନୁଯାୟୀ ଯଦି ଜଣେ ପ୍ରାର୍ଥୀ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷାରେ ଓଡ଼ିଆକୁ ଏକ ଭାଷା ବିଷୟ ଭାବେ ନେଇ ଉତ୍ତୀର୍ଣ୍ଣ ହୋଇ ନ ଥିବେ, ତେବେ ସେ ଚାକିରିରେ ଯୋଗ ଦେବାର ୪ ବର୍ଷ ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ଯଦି ରାଜ୍ୟ ବାହାରର ଜଣେ ପ୍ରାର୍ଥୀ ନିଜ ନାମ ଓଡ଼ିଶା ଡାକ୍ତରୀ ପଞ୍ଜୀକରଣ ପରିଷଦରେ ପଞ୍ଜୀକୃତ ନ କରିଥିବେ, ତେବେ ସେ ନିଯୁକ୍ତି ନିର୍ଦ୍ଦେଶନାମା ପାଇବା ପୂର୍ବରୁ ପରିଷଦରେ ନାମ ପଞ୍ଜୀକୃତ କରିବାକୁ ପଡ଼ିବ। କ୍ୟାବିନେଟ୍ ବୈଠକରେ ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଶୋଧନ ନିୟମ, ୨୦୨୦କୁ ଅନୁମୋଦନ ମିଳିଛି। ଏହି ବ୍ୟବସ୍ଥାରେ ଯେଉଁ ସ୍କିମ୍ର ପଦବିଗୁଡ଼ିକ ଭାରତ ସରକାର କିମ୍ବା ଓଡ଼ିଶା ସରକାରଙ୍କ ଦ୍ବାରା ଅନୁମୋଦନପ୍ରାପ୍ତ ହୋଇଥିବ ଏବଂ ସେହି ସବୁ ପଦବିରେ ଫାର୍ମାସିଷ୍ଟମାନଙ୍କୁ ସ୍ବଚ୍ଛ ପଦ୍ଧତ୍ତି ଅନୁସରଣ କରି ନିଯୁକ୍ତି ଦିଆଯାଇଥିବ ଏବଂ ସେମାନେ ସରକାରଙ୍କ ବିଭିନ୍ନ ଚିକିତ୍ସାଳୟରେ ଗୁରୁତର ଚିକିତ୍ସା ପଦ୍ଧତ୍ତିରେ କାର୍ଯ୍ୟରତ ଥିବେ, କେବଳ ସେହି ଠିକା ଫାର୍ମାସିଷ୍ଟମାନଙ୍କୁ ରାଜ୍ୟ ସରକାରଙ୍କ ସାଧାରଣ ସ୍ବାସ୍ଥ୍ୟ ସେବାରେ ଅନ୍ତର୍ଭୁକ୍ତ କରାଯାଇ ନିୟମିତ କରାଯିବ। ପଦୋନ୍ନତି ପାଇଁ ୧୦ ବର୍ଷର ସମୟସୀମା ନିୟମିତ ହେବା ଦିନ ଠାରୁ ବିଚାରକୁ ନିଆଯିବ। ସ୍କିମ୍ ଓ ସୋସାଇଟି ଅଧୀନରେ କାର୍ଯ୍ୟ କରୁଥିବା ଯେଉଁ ଫାର୍ମାସିଷ୍ଟଙ୍କର ସମସ୍ତ ଯୋଗ୍ୟତା ଠିକ୍ ଅଛି, ତେବେ ସେମାନଙ୍କ ଆବେଦନର ସର୍ବାଧିକ ବୟସସୀମା ୪୫ ବର୍ଷକୁ ହ୍ରାସ କରାଯାଇଛି।
ସେହିପରି ଓଡ଼ିଶା ନର୍ସିଂ ସେବା ସଂଶୋଧନ ନିୟମ,୨୦୨୦କୁ କ୍ୟାବିନେଟ୍ ସ୍ବୀକୃତି ମିଳିଛି। ନୂଆ ବ୍ୟବସ୍ଥାରେ ଷ୍ଟାଫ୍ ନର୍ସ/ଆସିଷ୍ଟାଣ୍ଟ୍ ମାଟ୍ରନ୍/ମାଟ୍ରନ୍/ ଚିଫ୍ ମାଟ୍ରନ୍ ପଦବିକୁ ଯଥାକ୍ରମେ ନର୍ସିଂ ଅଫିସର୍ / ଆସିଷ୍ଟାଣ୍ଟ୍ ନର୍ସିଂ ସୁପରିନ୍ଟେଣ୍ଡେଣ୍ଟ୍ / ଡେପୁଟି ନର୍ସିଂ ସୁପରିନ୍ଟେଣ୍ଡେଣ୍ଟ୍ / ନର୍ସିଂ ସୁପରିନ୍ଟେଣ୍ଡେଣ୍ଟ୍ ନାମରେ ନାମକରଣ କରାଯାଇଛି। ଠିକା ଫାର୍ମାସିଷ୍ଟଙ୍କ ପରି ସମାନ ତରିକାରେ ଠିକା ଷ୍ଟାଫ୍ ନର୍ସଙ୍କୁ ସାଧାରଣ ସ୍ବାସ୍ଥ୍ୟ ସେବାରେ ଅନ୍ତର୍ଭୁକ୍ତ କରାଯାଇ ନିୟମିତ କରାଯିବ।
ଓଡ଼ିଶା ରେଡିଓଗ୍ରାଫର୍ ସେବା ସଂଶୋଧନ ନିୟମ, ୨୦୨୦ରେ କ୍ୟାବିନେଟ୍ ମୋହର ବାଜିଛି। ଏହି ବ୍ୟବସ୍ଥାରେ ମୂଳ ଶିକ୍ଷାଗତ ଯୋଗ୍ୟତା ଡିଏମ୍ଆର୍ଟି ଥାଇ ଉଚ୍ଚତ୍ତର ଶିକ୍ଷାଗତ ଯୋଗ୍ୟତା ବିଏମ୍ଆର୍ଟି ଥିବା ପ୍ରାର୍ଥୀ ମଧ୍ୟ ରେଡିଓଗ୍ରାଫର୍ ପଦବି ପାଇଁ ଆବେଦନ କରିପାରିବେ। ଠିକା ଫାର୍ମାସିଷ୍ଟ ଓ ଷ୍ଟାଫ୍ ନର୍ସଙ୍କ ପରି ସମାନ ତରିକାରେ ଠିକା ରେଡିଓଗ୍ରାଫର୍ଙ୍କୁ ସାଧାରଣ ସ୍ବାସ୍ଥ୍ୟ ସେବାରେ ଅନ୍ତର୍ଭୁକ୍ତ କରାଯାଇ ନିୟମିତ କରାଯିବ।
The post ଏଣିକି ବାହାର ରାଜ୍ୟର ଡାକ୍ତରଙ୍କୁ ମିଳିପାରିବ ସରକାରୀ ନିଯୁକ୍ତି first appeared on Sambad.
from ରାଜ୍ୟ – Sambad https://ift.tt/2IuHlMT
0 Comments