ମେଡିକାଲ କଲେଜରେ ଏଇଏଫ୍‌ଆଇ ବୈଷୟିକ ସହଯୋଗ କେନ୍ଦ୍ର ଚିହ୍ନଟ କର

ଭୁବନେଶ୍ବର: କୋଭିଡ-୧୯ ବା କରୋନା ଭୂତାଣୁ ପାଇଁ ଟିକା ପ୍ରସ୍ତୁତ ଜାରି ରହିଛି। ପ୍ରାରମ୍ଭିକ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକମାନଙ୍କୁ ଏହି ଟିକା ପ୍ରଦାନ କରାଯିବ। ତେବେ ଟିକାକରଣ ପରେ ପାର୍ଶ୍ବ ପ୍ରଭାବ ବା ଏଇଏଫ୍‌ଆଇ ଉପରେ ଯାଞ୍ଚ/ନିରୀକ୍ଷଣ ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଗୁରୁତ୍ବ ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ କେତୋଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରକୁ ଚିହ୍ନଟ କରାଯାଇଛି। ଏଥିରେ ପ୍ରତ୍ୟେକ ରାଜ୍ୟ ଏକ ନିର୍ଦ୍ଦିଷ୍ଟ ମେଡିକାଲ କଲେଜକୁ ଏଇଏଫ୍‌ଆଇ ବୈଷୟିକ ସହଯୋଗ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୋହର ଅଗ୍‌ନାନୀ ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି।

ରାଜ୍ୟସ୍ତରୀୟ ଏଇଏଫ୍‌ଆଇ ବୈଷୟିକ ସହଯୋଗ କେନ୍ଦ୍ର ଚିହ୍ନଟ କରିବା ସହ ଏଥିରେ ମେଡିକାଲ କଲେଜର ସ୍ନାୟୁରୋଗ, ହୃଦ୍‌ରୋଗ, ରେସ୍ପିରେଟୋରି ମେଡିସିନ୍, ଶିଶୁରୋଗ ବିଶେଷଜ୍ଞ ସହିତ ଏଇଏଫ୍‌ଆଇ କମିଟିକୁ ସହଯୋଗ କରିବା ଲାଗି କମ୍ୟୁନିଟି ମେଡିସିନ୍‌ର ବିଶେଷଜ୍ଞଙ୍କୁ ସାମିଲ କରିବା ଲାଗି କୁହାଯାଇଛି। ଏହାସହ ଡ୍ରଗ୍ ଇନ୍‌ସପେକ୍ଟରମାନଙ୍କୁ ମଧ୍ୟ ଏଇଏଫ୍‌ଆଇର କମିଟିରେ ସାମିଲ୍ କରିବା ଲାଗି କୁହାଯାଇଛି। ଏଇଏଫ୍‌ଆଇ କମିଟିର ସଦସ୍ୟମାନଙ୍କୁ ନିୟମିତ ଟିକାକରଣ, କରୋନା ଟିକାକରଣ ଓ ଏଇଏଫ୍‌ଆଇର ଯାଞ୍ଚ ସଂପର୍କରେ ତାଲିମ୍ ପ୍ରଦାନ କରାଯିବା ଜରୁରୀ। ରାଜ୍ୟ/ଜିଲ୍ଲା ଏଇଏଫ୍‌ଆଇ କମିଟି ମାସରେ ଅତିକମ୍‌ରେ ଏକାଠି ହେବା ସହିତ ଟିକାକରଣ ସମ୍ବନ୍ଧୀୟ ତଥ୍ୟ ଟିକାକରଣ ଡିଜିଭନ୍/ଏଇଏଫ୍‌ଆଇ ସେକେଟାରିଏଟ୍‌କୁ ପ୍ରଦାନ କରିବା ଲଗି କୁହାଯାଇଛି। ମୁଖ୍ୟତଃ ଟିକାକରଣ ପରେ ଦେଖାଯିବାକୁ ଥିବା ପାର୍ଶ୍ବ ପ୍ରତିକ୍ରିୟାର ଯାଞ୍ଚ ପାଇଁ ଟିମ୍ ଗଠନ କରିବା ଲାଗି କୁହାଯାଇଛି। ଏହି କମିଟିରେ ସ୍ନାୟୁରୋଗ, ହୃଦ୍‌ରୋଗ ଓ ରେସ୍ପିରେଟୋରି ମେଡିସିନ୍‌ର ବିଶେଷଜ୍ଞଙ୍କୁ ସାମିଲ୍‌ କରିବା ଲାଗି କୁହାଯାଇଛି। ଜିଲ୍ଲାସ୍ତରରେ ମଧ୍ୟ ଏହି ଟିମ୍‌ରେ ସଂପୃକ୍ତ ୩ ବିଶେଷଜ୍ଞ ରହିବେ।

ଟିକାକରଣ ଆରମ୍ଭ ହେବା ପରେ ସଚେତନତା କାର୍ଯ୍ୟକ୍ରମ ପାଇଁ ଅଧିକରୁ ଅଧିକ ବିଶେଷଜ୍ଞଙ୍କ ଆବଶ୍ୟକତା ପଡ଼ିବ। ତେଣୁ ବାହାରୁ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେବା ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନଙ୍କୁ କୁହାଯାଇଛି। ବହୁସଂଖ୍ୟାରେ ଆଡେନାଲିନ୍ ଇଞ୍ଜେକସନ୍ ମହଜୁଦ୍ ରଖିବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଯେହେତୁ ଆଡ୍ରେନାଲିନ୍ ଇଞ୍ଜେକସନ୍‌ର ସ୍ବଳ୍ପ ସମୟ ଅବଧି ରହିଛି, ତାହାକୁ ମଧ୍ୟ ନଜରେ ରଖିବାକୁ ହେବ। ଏହାସହ ଟିକାକରଣ ଆରମ୍ଭ ହେବା ପରେ ଅନେକ ପ୍ରକାର ଗୁଜବ ସୃଷ୍ଟି ହେବାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ଜିଲ୍ଲାସ୍ତରରେ ଟିକାକରଣକୁ ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ଲଗି କୁହାଯାଇଛି।

The post ମେଡିକାଲ କଲେଜରେ ଏଇଏଫ୍‌ଆଇ ବୈଷୟିକ ସହଯୋଗ କେନ୍ଦ୍ର ଚିହ୍ନଟ କର first appeared on Sambad.



from ରାଜ୍ୟ – Sambad https://ift.tt/33hoE6J

Post a Comment

0 Comments