
ଭୁବନେଶ୍ୱର : ସାଢେ ଚାରି କୋଟି ଓଡିଆଙ୍କ ହୃଦୟର ସଂଗୀତ ଭାବେ ‘ବନ୍ଦେ ଉତ୍କଳ ଜନନୀ’ ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିର୍ଦେଶ ଦେବା ପରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତୀ ପଢ଼ିବାର ସୁଯୋଗ ପାଇବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ କରୋନା ପରିସ୍ଥିତିରେ ରାଜ୍ୟ ଭୀଷଣ ଦୁର୍ଦିନରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଏସଂକ୍ରାନ୍ତରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ରାଜ୍ୟ ସରକାର ବହୁ ଦିନର ଦାବି ପୂରଣ କରିବାକୁ ଯାଇ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ପ୍ରଦାନ କରିଥିଲେ। କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଗତ ମେ’୩୦ ତାରିଖରେ ସାରା ରାଜ୍ୟ ତଥା ସାରା ବିଶ୍ବର କୋଣ ଅନୁକୋଣରେ ଥିବା ଓଡିଆଙ୍କୁ ଏହି ସଂଗୀତକୁ ଏକ ସମୟରେ ଗାନ କରି ଏକ ଭାବମୟ ପରିବେଶ ସୃଷ୍ଟି କରିବା ଲାଗି କୁହାଯାଇଥିଲା। ଯେଉଁଥିରେ ଅନେକ ସଫଳତା ମିଳିଥିଲା। ସେବେ ସରକାର ଏହାକୁ ପାଠ୍ୟକ୍ରମରେ ସ୍ଥାନ ମିଳିବ ବୋଲି ସୂଚାଇଥିଲେ।
ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି ଯେ ମାଧ୍ୟମିକ ବିଦ୍ୟାଳୟ ପାଠ୍ୟକ୍ରମରେ ଏହାକୁ ସ୍ଥାନ ଦେବା ପରେ ଉତ୍କଳ ଜନନୀଙ୍କ ଜୟଗାନ କରୁଥିବା ଏହି ମହାନ ସଂଗୀତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡିଆ ଜାତୀୟତାର ଭାବକୁ ସୁଦୃଢ କରିବ। ଏହା ଓଡିଆ ଜାତିର ମହାନତା ସହ ପରିଚିତ କରାଇବାରେ ସଫଳ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
The post ସ୍କୁଲ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପଢ଼ିବେ first appeared on Sambad.
from ରାଜ୍ୟ – Sambad https://ift.tt/3eZag7K
0 Comments