ବନ୍ଦ‌ ହେବ ସାଢ଼େ ୧୪ ହଜାର ସରକାରୀ ସ୍କୁଲ, ନିଷ୍ପତ୍ତିକୁ ‌ଜୋରଦାର ବିରୋଧ

ରାଜ୍ୟ ସରକାର ଶିକ୍ଷାର କଣ୍ଠରୋଧ କରନ୍ତୁ ନାହିଁ: ଓଷ୍ଟା
ଶିକ୍ଷାର ବ୍ୟବସାୟୀକରଣ ପାଇଁ ହୀନ ଚକ୍ରାନ୍ତ: ଅଭିଭାବକ ମହାସଂଘ

ଭୁବ‌ନେଶ୍ୱର : ରାଜ୍ୟର ସାଢ଼େ ୧୪ ହଜାର ସରକାରୀ ବିଦ୍ୟାଳୟ ବନ୍ଦ ହେବ। କେଉଁଠି ଗୋଟିଏ ସ୍କୁଲ ନିକଟସ୍ଥ ସ୍କୁଲରେ ମିଶିବ ତ ଆଉ କେଉଁଠି ତାଲା ଝୁଲିବ। ପିଲା ହେଉ ନ ଥିବାରୁ ସ୍କୁଲ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ବିରୋଧ ବଢ଼ିବାରେ ଲାଗିଛି। ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମେତ ଅଭିଭାବକ ବି ସ୍ବର ଉଠାଇଲେଣି। କେନ୍ଦୁଝରରୁ ଆରମ୍ଭ କରି କୋରାପୁଟ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦାବି ହୋଇଛି। କେତେକ ସ୍ଥାନରେ ଅଭିଭାବକ, ଛାତ୍ରଛାତ୍ରୀ ବି ରାଜରାସ୍ତାକୁ ଓହ୍ଲାଇ ସାରିଲେଣି।

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସଂପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ସାଢ଼େ ୧୪ ହଜାର ସରକାରୀ ବିଦ୍ୟାଳୟକୁ ବନ୍ଦ କରି, ଭାଙ୍ଗି ବା ଅନ୍ୟ ବିଦ୍ୟାଳୟ ସହ ମିଶ୍ରଣ କରି ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର କଣ୍ଠରୋଧ କରିବାକୁ ଯାଉଛନ୍ତି। ଏଭଳି ନିଷ୍ପତ୍ତିରୁ ନିବୃତ୍ତ ରୁହନ୍ତୁ। ପୁନଃଯାଞ୍ଚ କରି ବିଭିନ୍ନ ଦିଗକୁ ଅନୁଧ୍ୟାନ କଲା ପରେ ପଦକ୍ଷେପ ନିଅନ୍ତୁ। ସ୍ୱାଧୀନତା ପୂର୍ବରୁ ଓ ପରେ ଶିକ୍ଷାର ଆବଶ୍ୟକତାକୁ ଲକ୍ଷ୍ୟ କରି ବିଦ୍ୟାଳୟ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିଲେ। ସାଧାରଣ ଲୋକେ ଜମି, ଇଟା, ମାଟି ଦେଇ ସେମାନଙ୍କ ପିଲାଙ୍କୁ ପଢ଼ାଇବା ପାଇଁ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ବିଭିନ୍ନ ଗ୍ରାମ, ସହର ଓ ପଡ଼ାରେ ବିଦ୍ୟାଳୟ ସ୍ଥାପନ ହେଲା। ତେବେ ସମୟର ପରିବର୍ତ୍ତନ ସହ ରାଜ୍ୟ ସରକାର ଓ କିଛି ଅସାଧୁ ଶିକ୍ଷା ପ୍ରଶାସକ ସାରା ରାଜ୍ୟରେ ଘରୋଇ ବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ପ୍ରଦାନ କଲେ। ଉପଯୁକ୍ତ ଭିତ୍ତିଭୂମି ଯଥା- ଜମି, ଶ୍ରେଣୀଗୃହ, ଆସବାବପତ୍ର ଓ ତାଲିମପ୍ରାପ୍ତ ଶିକ୍ଷକ ନଥାଇ ମଧ୍ୟ ଅନୁମତି ପ୍ରଦାନ କଲେ। ସେହି ସବୁ ଶିକ୍ଷାନୁଷ୍ଠାନ ଏତେ ଶକ୍ତିଶାଳୀ ହୋଇଗଲେ ଯେ ଅନୁମତିପତ୍ରକୁ ନବୀକରଣ ନକରି ଶ୍ରେଣୀ ପରେ ଶ୍ରେଣୀ ଖୋଲିଲେ। ଗୋଟିଏ ଏନ୍‌ଓସି(ନୋ ଅବଜେକ୍ସନ ସାର୍ଟିଫିକେଟ୍‌)ରେ ଅନେକ ସ୍କୁଲ୍ ଚାଲିଲା। ସେମାନଙ୍କ ପାଇଁ କିଛି ନୀତି ନିର୍ଦ୍ଧାରଣ କରାଗଲା ନାହିଁ। ବିଦ୍ୟାଳୟ ଖୋଲିବାକୁ କୌଣସି କଟକଣା ରହିଲା ନାହିଁ। ଫଳରେ ସରକାରୀ ବିଦ୍ୟାଳୟରୁ ପିଲା ସଂଖ୍ୟା ଧୀରେଧୀରେ କମିଲେ। ତାହାକୁ ଆହୁରି ରୁଗ୍‌ଣ କରିବା ପାଇଁ ସରକାର ଶିକ୍ଷକ ନିଯୁକ୍ତ କଲେ ନାହିଁ। ଏବେ ଏକ ନିଷ୍ଠୁର ନିଷ୍ପତ୍ତି ନେଇ ସେହି ସବୁ ସରକାରୀ ବିଦ୍ୟାଳୟକୁ ପିଲା ସଂଖ୍ୟା ଭିତ୍ତିରେ ଭାଙ୍ଗି ଦେବାକୁ ତଥା ବନ୍ଦ କରି ଅନ୍ୟ ବିଦ୍ୟାଳୟ ସହ ମିଶାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କୁହାଯାଇଛି ଯେ ୨୦ ଓ ୪୦ରୁ କମ୍‌ ପିଲା ଥିବା ସରକାରୀ ସ୍କୁଲ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ ସେହି ସ୍କୁଲ ନିକଟରେ ବେଆଇନ ଭାବେ ଗଢ଼ି ଉଠିଥିବା ଘରୋଇ ସ୍କୁଲଗୁଡ଼ିକୁ ବନ୍ଦ କରିବାକୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହା ଶିକ୍ଷା ବିଭାଗ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ। ବନ୍ଦ ହେଉଥିବା ସ୍କୁଲରେ ପଢ଼ୁଥିବା ଆଦିବାସୀ, ଦଳିତ, ଗରିବ, ଆର୍ଥିକ ଅନଗ୍ରସର ଶ୍ରେଣୀର ଅଭିଭାବକ କେତେ ଖରାପ ଅବସ୍ଥା‌‌ରେ ଅଛନ୍ତି, ସରକାର ତାହାକୁ ଅନୁଭବ କରିପାରି ନାହାନ୍ତି। ବରଂ ନୂଆ ଘରୋଇ ସ୍କୁଲଗୁଡ଼ିକ ସିଓଆର(ସାର୍ଟିଫିକେଟ୍‌ ଅଫ୍‌ ରେକଗୋନାଇଜେସନ) ପାଇଁ ଆବେଦନ କରିବାକୁ ଗଣଶିକ୍ଷା ବିଭାଗ ଚିଠି କରିଛି। ଏହା କେବଳ ଶିକ୍ଷାର ବ୍ୟବସାୟୀକରଣ କରିବାର ଏକ ହୀନ ଚକ୍ରାନ୍ତ ଛଡ଼ା ଆଉ କିଛି ନୁହେଁ। ସରକାରୀ ସ୍କୁଲଗୁଡ଼ିକ ବନ୍ଦ କରି ଘରୋଇ ସ୍କୁଲକୁ ପ୍ରୋତ୍ସାହନ ଦେବାର ଭିତିରି ବୁଝାମଣା ଓ ଭାଗୀଦାରିତାର ବିରାଟ ଗନ୍ଧ ବାରି ହେଉଛି। ଯଦି ନିଷ୍ପତ୍ତି ପ୍ରତ୍ୟାହାର କରା ନଯାଏ, ତେବେ ମହାସଂଘ ବନ୍ଦ ହେଉଥିବା ସେହି ସ୍କୁଲର ଗାଁକୁ ଯାଇ ଅଭିଭାବକଙ୍କୁ ନେଇ ଜନ ଆନ୍ଦୋଳନ କରିବ ବୋଲି ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି।

The post ବନ୍ଦ‌ ହେବ ସାଢ଼େ ୧୪ ହଜାର ସରକାରୀ ସ୍କୁଲ, ନିଷ୍ପତ୍ତିକୁ ‌ଜୋରଦାର ବିରୋଧ first appeared on Sambad.



from ରାଜ୍ୟ – Sambad https://ift.tt/35BrJjs

Post a Comment

0 Comments