ଶପଥ ନେଲେ ଦୁଇ ନବନିର୍ବାଚିତ ବିଧାୟକ ସ୍ୱରୂପ ଦାସ ଓ ବିଜୟ ଶଙ୍କର ଦାସ

ଭୁବନେଶ୍ୱର: ବିଧାନସଭା ଅଧିବେଶନ ୨୦ ତାରିଖରୁ ଆରମ୍ଭ ହେବ । ଏହାପୂର୍ବରୁ ଆଜି ବିଧାନସଭାର ସଭ୍ୟ ଭାବେ ଶପଥ ନେଇଛନ୍ତି ବାଲେଶ୍ୱର ସଦର ଓ ତିର୍ତ୍ତୋଲର ଦୁଇ ନବନିର୍ବାଚିତ ବିଧାୟକ । ବିଧାନସଭା ପ୍ରକୋଷ୍ଠରେ ବାଲେଶ୍ୱର ସଦର ଆସନରୁ ନିର୍ବାଚିତ ହୋଇଥିବା ସ୍ୱରୂପ ଦାସ ଓ ତିର୍ତ୍ତୋଲରୁ ନିର୍ବାଚିତ ହୋଇଥିବା ବିଜୟ ଶଙ୍କର ଦାସଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ୩ ତାରିଖରେ ହୋଇଥିବା ଦୁଇଟି ଆସନରେ ହୋଇଥିବା ଉପନିର୍ବାଚନରେ ବିଜେଡି ବିଜୟୀ ହୋଇଥିଲା । ସୂଚନା ଥାଉ କି ୨୦୧୯ରେ ତିର୍ତ୍ତୋଲ ବିଧାୟକ ଭାବେ ବିଷ୍ଣୁଚରଣ ଦାସ ନିର୍ବାଚିତ ହୋଇଥିଲେ।

ଏହାର କିଛିଦିନ ପରେ ଅସୁସ୍ଥତା ହେତୁ ତାଙ୍କର ପରଲୋକ ଘଟିଲା। ଫଳରେ ଖାଲି ପଡ଼ିଥିବା ତିର୍ତ୍ତୋଲ ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ବିଜେଡି ପକ୍ଷରୁ ସ୍ବର୍ଗତଃ ଦାସଙ୍କ ପୁତ୍ର ବିଜୟଶଙ୍କରଙ୍କୁ ପ୍ରାର୍ଥୀ କରାଯାଇଥିଲା। ଆଉ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ପରାସ୍ତ କରିଥିଲେ | ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମଦନ ମୋହନ ଦତ୍ତ ବାଲେଶ୍ୱର ସଦର ଆସନରୁ ବିଜୟ ଲାଭ କରିିଥିଲେ।

ତାଙ୍କର ଅକାଳ ବିୟୋଗ ଫଳରେ ଏହି ଆସନ ଖାଲି ପଡ଼ିଥିଲା ଓ ଏହାର ପୂରଣ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ଆସନରେ ବିଜେପି ପକ୍ଷରୁ ଦିବଂଗତ ମଦନ ମୋହନ ଦତ୍ତଙ୍କର ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରାଯାଇଥିଲା ଓ ବିଜେଡି ପକ୍ଷରୁ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରାଯାଇଥିଲା | ଆଉ ସ୍ୱରୂପ, ମାନସ ଦତ୍ତଙ୍କୁ ପରାସ୍ତ କରିଥିଲେ |

The post ଶପଥ ନେଲେ ଦୁଇ ନବନିର୍ବାଚିତ ବିଧାୟକ ସ୍ୱରୂପ ଦାସ ଓ ବିଜୟ ଶଙ୍କର ଦାସ first appeared on Sambad.



from ରାଜ୍ୟ – Sambad https://ift.tt/2IDwSiF

Post a Comment

0 Comments