ବୈଜୟନ୍ତ, ଜାଗିଙ୍କୁ ନେଇ ଟ୍ବିଟ୍‌ ଯୁଦ୍ଧ

ଭୁବନେଶ୍ୱର : ସାରୁଅ ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡ଼ିଥିବା ବିଜେପି ନେତା ବୈଜୟନ୍ତ ପଣ୍ଡା ଓ ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡାଙ୍କୁ ନେଇ ଟ୍ବିଟ୍‌ ଯୁଦ୍ଧ ଚାଲିଛି। ବରିଷ୍ଠ ବିଜେପି ନେତା ରାମମାଧବ ଟ୍ବିଟ୍‌ କରି ସେମାନଙ୍କ ସମର୍ଥନ କରିଥିଲା ବେଳେ ବିଜେଡି ନେତାମାନେ ଟ୍ବିଟର୍‌ରେ ତାହାର ପ୍ରତିବାଦ କରିଛନ୍ତି। ଏହା ରାଜନୈତିକ ମହଲରୁ ଚର୍ଚ୍ଚାର ଖୋରାକ ଯୋଗାଇଛି।

ଆଜି ରାମମାଧବ ଟ୍ବିଟ୍‌ କରି କହିଛନ୍ତି ଯେ ମହାରାଷ୍ଟ୍ର ସରକାର ରିପବ୍ଲିକ୍ ଟିଭି ବିରୋଧରେ ଯାହା କରୁଛି ଓଡ଼ିଶା ସରକାର ଓଟିଭି ବିରୋଧରେ ତାହା କରୁଛନ୍ତି। କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ଚ୍ୟାନେଲ୍‌ର ପ୍ରମୋଟର୍‌ ବୈଜୟନ୍ତ ପଣ୍ଡା, ତାଙ୍କ ପତ୍ନୀ ଜାଗି ପଣ୍ଡା ଏବଂ ଓଟିଭି କର୍ମଚାରୀମାନଙ୍କୁ ପୁଲିସ୍‌ ହଇରାଣ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ପ୍ରଗତିଶୀଳ ନେତା। ସେ ନିଜ ରାଜ୍ୟରେ ଏପରି କରିବାକୁ ପ୍ରଶ୍ରୟ ଦେବା ଉଚିତ ନୁହେଁ।

ଏହାକୁ ପ୍ରତିବାଦ କରି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଟ୍ବିଟ୍‌ କରିଛନ୍ତି ଯେ ଆପଣ ସମାଜର ତଳ ସ୍ତରର ଲୋକଙ୍କ ପାଇଁ ନିରବିଚ୍ଛିନ୍ନ ଭାବେ କାମ କରି ଚାଲିଛନ୍ତି। ଦଳିତମାନଙ୍କ ଜମି ହଡ଼ପ କରିବା ପାଇଁ ଜୟ ପଣ୍ଡା ଜଣେ ଦଳିତ ଡ୍ରାଇଭର୍‌ଙ୍କୁ ବ୍ୟବହାର କରିଛନ୍ତି। ଏପରି ଅପରାଧର ତଦନ୍ତ ହେବାକୁ ଆପଣ ନିଶ୍ଚିତ ଚାହିଁବେ। ଓଡ଼ିଶା ହାଇକୋର୍ଟ ମଧ୍ୟ ଏହି ମାମଲାରେ ଜୟ ଓ ଜାଗି ପଣ୍ଡାଙ୍କ ଗିରଫ ପାଇଁ ବାଟ ସଫା କରିଛନ୍ତି। ଯେହେତୁ ମାମଲାଟି ହାଇକୋର୍ଟରେ ଅଛି, ତେଣୁ ବିନା କୌଣସି ହସ୍ତକ୍ଷେପରେ ନିଶ୍ଚିତ ନ୍ୟାୟ ମିଳିବ।

ଶ୍ରୀ ପାତ୍ର ଆହୁରି ମଧ୍ୟ ଟ୍ବିଟ୍‌ କରିଛନ୍ତି ଯେ ଜୟ ପଣ୍ଡାଙ୍କ ସଂପର୍କୀୟଙ୍କର ଥିବା ଏକ ଠିକାଦାର କମ୍ପାନି ଓଡ଼ିଶା ସରକାରଙ୍କ ବହୁ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟରୁ କୋଟି କୋଟି ଟଙ୍କା ରୋଜଗାର କରୁଛି। ଓଡ଼ିଶା ସରକାରଙ୍କ ସହଯୋଗରେ ତାଙ୍କ ପାରିବାରିକ ବ୍ୟବସାୟ‌ରେ ହଜାର ହଜାର କୋଟି ଟଙ୍କା ରୋଜଗାର ହେଉଛି। ଏଥିରେ ଓଡ଼ିଶା ସରକାରଙ୍କ ଆକ୍ରୋଶ ଆସିଲା କେଉଁଠୁ?

ସେହିପରି ବିଜେଡି ସାଂସଦ ଅମର ପଟ୍ଟନାୟକ ମଧ୍ୟ ଟ୍ବିଟ୍‌ କରି ରାମମାଧବଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଜମି ହରାଇଥିବା ୨୨ ଦଳିତଙ୍କ ଦୁର୍ଦ୍ଦଶା ଦେଖିବାକୁ ରାମ ମାଧବ ନିଜେ ଆସନ୍ତୁ ବୋଲି ସେ ଆ‌ହ୍ବାନ ଦେଇଛନ୍ତି । ପୀଡିତଙ୍କ ପାଇଁ ତାଙ୍କର ସଂଘର୍ଷ ଆଦର୍ଶଗତ ବୋଲି ସେ ଆଉ ଏକ ଟ୍ବିଟ୍‌ରେ ଦର୍ଶାଇଛନ୍ତି।

ସସ୍ମିତ ପାତ୍ରଙ୍କ ଟ୍ବିଟ୍‌ର ଉତ୍ତର ଦେଇ ରାମମାଧବ ପୁଣି କହିଛନ୍ତି ଯେ ଓଟିଭି ପକ୍ଷରୁ ଜାରି ବିବୃତିରେ ସେମାନେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି। ଏହି ମାମଲାରେ କୌଣସି ରାଜନୈତିକ ହସ୍ତକ୍ଷେପ ନ ହେବା ପାଇଁ ରାଜ୍ୟ ସରକାର ନିଶ୍ଚିତ କରିବା ଉଚିତ।

The post ବୈଜୟନ୍ତ, ଜାଗିଙ୍କୁ ନେଇ ଟ୍ବିଟ୍‌ ଯୁଦ୍ଧ first appeared on Sambad.



from ରାଜ୍ୟ – Sambad https://ift.tt/2J6aNc0

Post a Comment

0 Comments