ହାଜତ ମୃତ୍ୟୁ ଓଡ଼ିଶା ପୁଲିସ ବର୍ବରତାର ମୁଖା ଖୋଲିଛି : ବିଜେପି

ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାକୁ ନେଇ ଶୁକ୍ରବାର ବିଜେପି ନେତାମାନେ ଜାତୀୟ ଓ ରାଜ୍ୟ ମାନବାଧିକାର କମିସନ୍‌ଙ୍କୁ ଭେଟି ଏହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ନୂଆଦିଲ୍ଲୀରେ ଜାତୀୟ ମାନବାଧିକାର କମିସନ୍‌ଙ୍କୁ ଭେଟିଥିଲେ। ଶ୍ରୀ ପାତ୍ର କହିଛନ୍ତି ଯେ ହାଜତ ମୃତ୍ୟୁ ଓଡ଼ିଶା ପୁଲିସ୍‌ର ଅମାନବୀୟତା ଓ ବର୍ବରତାର ଅସଲ ମୁଖା ଖୋଲି ଦେଇଛି। ଜାତୀୟ ମାନବାଧିକାର କମିସନ୍‌ଙ୍କୁ ଭେଟି ହାଜତ ମୃତ୍ୟୁ ଘଟଣା ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। କମିସନ୍‌ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଭୁବନେଶ୍ବରରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ ନାୟକ ଓ ମୁକେଶ ମହାଲିଙ୍ଗ ରାଜ୍ୟ ମାନବାଧିକାର କମିସନ୍‌ଙ୍କୁ ଭେଟି ଏକ ନିରପେକ୍ଷ କମିଟି ଜରିଆରେ ଘଟଣାର ନିରପେକ୍ଷ ତଦନ୍ତ କରାଇ ଦୋଷୀଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଥିଲେ।

ସେହିପରି ବାସେଳି ସାହି ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ୍‌ ଦାଖଲ କରିଛି ବିଶ୍ବ ମାନବାଧିକାର ସୁରକ୍ଷା ସଂସ୍ଥା(ଡବ୍ଲୁଏଚ୍‌ଆରପିଓ)। ସଂସ୍ଥାର ପୁରୀ ଜିଲ୍ଲା ସଭାପତି ଗୌରୀଶଙ୍କର ସିଂହାରୀ ଏହି ପିଟିସନ୍‌ ଦାଖଲ କରିଛନ୍ତି। ସେହିଭଳି ଆଇନଜୀବୀ ଲଲାଟେନ୍ଦୁ ଦାସ ମଧ୍ୟ କମିସନ୍‌ଙ୍କ ଦ୍ବାରସ୍ଥ ହୋଇଛନ୍ତି।

The post ହାଜତ ମୃତ୍ୟୁ ଓଡ଼ିଶା ପୁଲିସ ବର୍ବରତାର ମୁଖା ଖୋଲିଛି : ବିଜେପି first appeared on Sambad.



from ରାଜ୍ୟ – Sambad https://ift.tt/35RG9MO

Post a Comment

0 Comments